ଚଳିତ ବର୍ଷରୁ ପୂର୍ବ ଭଳି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଛାତ୍ରସଂସଦ ନିର୍ବାଚନ ପ୍ରତ୍ୟକ୍ଷ ଭାବରେ କରାଯିବା ଦାବିରେ ଏ. ଆଇ. ଡି. ଏସ. ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିକ୍ଷୋଭ

0
95

ବ୍ରହ୍ମପୁର,୦୧/୧୦/୨୦୨୨: ଚଳିତ ବର୍ଷରୁ ପୂର୍ବ ଭଳି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଛାତ୍ରସଂସଦ ନିର୍ବାଚନ ପ୍ରତ୍ୟକ୍ଷ ଭାବରେ କରାଯିବା ଦାବିରେ ଏ. ଆଇ. ଡି. ଏସ. ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଆଜି ଆର.ଡି.ସି ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଏକ ଦାବି ପତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ପ୍ରଦାନ କରାଗଲା । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାର ଗତ ୪ ବର୍ଷ ଧରି ବିଭିନ୍ନ ଆଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ କରିବା ନେଇ କୌଣସି ସ୍ପଷ୍ଟ ମତ ରଖାଯାଇନାହିଁ । ଅନ୍ୟ ଦିଗରେ ବିଶ୍ବବିଦ୍ୟାଳୟ ଆଇନ୍ ସଂଶୋଧନ କରାଯାଇ ବିଶ୍ବବିଦ୍ୟାଳୟରେ ଥିବା । ସିନେଟ୍ ବ୍ୟବସ୍ଥା ମଧ୍ୟ ହଟାଇ ଦିଆଯାଇଛି । ଏହା ଛାତ୍ରଛାତ୍ରୀଙ୍କର ଗଣତାନ୍ତ୍ରିକ ଅଧିକାର ଖର୍ବ କରିବା ସହ ଶିକ୍ଷାନୁଷ୍ଠାନଗୁଡିକରେ ଥିବା ଗଣତାନ୍ତ୍ରିକ ପରମ୍ପରାକୁ ସଂପୂର୍ଣ୍ଣ ଧ୍ବଂସ କରିଛି । ନିର୍ବାଚିତ ଛାତ୍ରସଂସଦ ଗଠନ କରିବା ଛାତ୍ରଛାତ୍ରୀମାନଙ୍କର ଏକ ସଂଗ୍ରାମଲବ୍ଧ ଅଧିକାର । ନବଜାଗରଣ ଯୁଗର ମନୀଷୀ ତଥା ଆମ ଦେଶର ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ନେତାମାନେ ଗଣତାନ୍ତ୍ରିକ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗଭାବେ ଛାତ୍ର ଓ ଶିକ୍ଷକମାନଙ୍କର ଗଣତାନ୍ତ୍ରିକ ଅଧିକାର ଦାବି ଉତ୍‌ଥାପିତ କରିଥିଲେ । ସର୍ବପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୮ ମସିହା ଅକ୍ଟୋବର ୩୧ ତାରିଖ ଦିନ ଶିଲଂଠାରେ ତାଙ୍କର ଏକ ଐତିହାସିକ ଭାଷଣରେ ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ସଂଗଠନ ‘ନିର୍ବାଚିତ ଛାତ୍ରସଂସଦ’ର ଦାବି ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ତଥା ନ୍ୟାୟସଙ୍ଗତ ଦାବିକୁ ନିଜର ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଜରିଆରେ ଉପସ୍ଥାପନ କରିବାର ଏକମାତ୍ର ମାଧ୍ୟମ ହେଲା ଛାତ୍ରସଂସଦ ଗଠନ କରିବା । ପ୍ରଥମେ ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗଡୋ କମିଶନ ଲାଗୁ କରି ବିଭିନ୍ନ ଅଗଣତାନ୍ତ୍ରିକ କଟକଣା ଲାଗୁ କରାଗଲା ଏବଂ ଗତ ୪ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ କୁଯୁକ୍ତି ଆଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି । ଏହାଫଳରେ ଛାତ୍ରଛାତ୍ରୀମାନେ ଆତ୍ମସମ୍ମାନ ସମ୍ପନ୍ନ ବ୍ୟକ୍ତି ଭାବେ କର୍ତ୍ତୃପକ୍ଷଙ୍କ ପାଖରେ ନିଜର ଦାବିକୁ ଉପସ୍ଥାପନ କରିବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି ।

। ତେଣୁ, କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅକ୍ଷୁର୍ଣ୍ଣ ରଖିବା ସହ ନିଜର ପ୍ରତିନିକୁ ଛାତ୍ର ଛାତ୍ରୀମାନେ ଭୋଟ ଦେଇ ନିର୍ବାଚିତ କରିବାର ଅଧିକାରକୁ ଫେରାଇବା ପାଇଁ ଆମେ ଆପଣଙ୍କ ନିକଟରେ ଦାବି କରୁଛୁ । ପୂର୍ବଭଳି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚଳିତ ବର୍ଷରୁ ଦଶହରା ଛୁଟି ପରେ ପ୍ରତ୍ୟକ୍ଷ ଭାବରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏ ଆଇ ଡି ଏସ୍ ଓ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରୁଛି ।ଆଜିର ଏହି କାର୍ଯ୍ୟକ୍ରମରେ ଏ. ଆଇ. ଡି. ଏସ୍. ଓ.ର ରାଜ୍ୟ ସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ ଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହି, ଅଲିଭା ଦାସ ଆଦି ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here