ସାନଖେମୁଣ୍ଡିରେ ମନରେଗା ଦୁର୍ନୀତି : ବିନା କାମରେ ୧ .୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

0
317

ବ୍ରହ୍ମପୁର, ୦୮/୦୮/୨୦୨୨ : ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଏମଜିଏନଆରଇଜିଏସ ତଥା କେନ୍ଦ୍ରୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଫଳ ରୂପାୟନରେ ସାନଖେମୁଣ୍ଡି ବ୍ଲକର ଦବଦବା ସର୍ବତ୍ର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ କୋଟି କୋଟି ଟଙ୍କାର ଶ୍ରମିକ ମଜୁରୀ ପ୍ରଦାନ କରାଯାଇ ଭିତିରି ହଡ଼ପ ହୋଇଥିବା ନେଇ ଅଭିଯୋଗର ହାର ବଢ଼ିବାରେ ଲାଗିଛି । ବ୍ଲକ ଅଞ୍ଚଳରେ ଚାଲିଥିବା ଶହ ଶହ ମନରେଗା ପ୍ରକଳ୍ପ ପାଇଁ ଶ୍ରମଦିବସ ସୃଷ୍ଟିକରାଯାଇ ଶ୍ରମିକ ନିୟୋଜନ କରି କାମ ଚାଲୁଥିବା କାଗଜ କଲମରେ ଦର୍ଶାଯାଉଥିବା ବେଳେ କୌଣସି ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଦୃଷ୍ଟି ଗୋଚର ହେଉନାହିଁ । ପରନ୍ତୁ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କ ଅଗୋଚରରେ ସ୍ଵତନ୍ତ୍ର ରୀତିରେ ଜିଆରଏସ , ପିଇଓ , ଜେଇ ମିଳିତ ଭାବେ ପ୍ରକଳ୍ପ କାର୍ଯ୍ୟ ସୁନିଶ୍ଚିତ କରି ଆବଶ୍ୟକ ଶ୍ରମିକ ସ୍ଥିରିକୃତ କରିବା ସହ ସେମାନଙ୍କ ନାମରେ ଶ୍ରମଦିବସ ସୃଷ୍ଟି କରି ପ୍ରକଳ୍ପ ବାହାନାରେ ପର୍ଯ୍ୟାପ୍ତ ଶ୍ରମ ମଜୁରୀ ପ୍ରଦାନ ବ୍ୟବସ୍ଥାରେ ବିପୁଳ ଅର୍ଥ ହଡପ କରାଯାଇଥିବା ଦୃଷ୍ଟାନ୍ତମୂଳକ ତଥ୍ୟ ସମ୍ପ୍ରତି ହସ୍ତଗତ ହୋଇଅଛି ।

ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତର ୨୬ ଗୋଟି ପଞ୍ଚାୟତରେ ଚଳିତ ଅଗଷ୍ଟ ମାସ ଚାରି ତାରିଖ ସୁଦ୍ଧା ଦୈନିକ ପ୍ରାୟ ୨୦୦ ରୁ ୨୨୦ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଦର୍ଶାଯାଇ ଶ୍ରମିକ ମଜୁରୀ ପ୍ରଦାନ କରାଯାଇଥିବା ବେଳେ କୌଣସି ପ୍ରକଳ୍ପ କାମ ହୋଇନଥିବା ଜଣାଯାଇଛି । ପୂର୍ବଦିନ ମାନଙ୍କରେ ବ୍ଲକରେ ଚାଲିଥିବା ମନରେଗା କେଲେଙ୍କାରୀରେ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ସଂପୃକ୍ତି ନେଇ କରାଯାଇଥିବା ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ଜିଲ୍ଲା ପ୍ରଶାସନ ନୀରବ ରହୁଥିବାରୁ ସାଧାରଣରେ ସଂଶୟ ସୃଷ୍ଟି କରିଅଛି । ଏହି କ୍ରମରେ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତରେ ଚାଲିଥିବା ଦଣ୍ଡ ବନ୍ଧ ଠାରୁ କେନାଲ ରାସ୍ତା ନିର୍ମାଣ ନାମରେ ବିନା କୌଣସି ସୂଚନା ବିବରଣୀରେ ଶ୍ରମିକ ନିୟୋଜନ କରାନଯାଇ ନଥିବା , ବିନା କାମରେ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ଶ୍ରମିକ ମଜୁରୀ ପାଉଣା ବିଭିନ୍ନ ଶ୍ରମିକଙ୍କ ବ୍ୟାଙ୍କ୍ ଖାତାକୁ ପଠାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ଦର୍ଶାଯାଇଥିବା ସ୍ଥାନୀୟ କର୍ମ ଆଶାୟୀ ଶ୍ରମିକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପୂର୍ବରୁ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତରେ ବିନା କାମରେ ବହୁ ମନରେଗା ପ୍ରକଳ୍ପ ନାମରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ରହିଥିଲେ ମଧ୍ୟ ସମ୍ପ୍ରତି ଜିଲ୍ଲା ତଥ୍ୟ ପ୍ରକାରେ ଏହି ଦଣ୍ଡ ବନ୍ଧ ଠାରୁ କେନାଲ ରାସ୍ତା କାର୍ଯ୍ୟର ଡବ୍ଲୁ ସି ୨୪୧୨୦୨୦୦୧୭/ଆର ସି /୧୦୪୦୨୬୧୪ ପ୍ରକାରେ ୧୫/୦୫/୨୦୨୧ ପର ଠାରୁ ମଷ୍ଟର ରୋଲ ଜାରି କରାଯାଇ ୧ ଲକ୍ଷ ୭୯ ହଜାର ୬୩୮ ଟଙ୍କା ଶ୍ରମିକ ମଜୁରୀ ପ୍ରଦାନ କରାଯାଇଥିବା ସୂଚନା ରହିଛି । ପରନ୍ତୁ ଏହି ଧାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟ ଅଦ୍ୟାବଧି ହୋଇନଥିବା ଏବଂ ସଂପୃକ୍ତ ଜିଓ ଟାଗିଂ ପରିସୀମାରେ ଗ୍ରାମବାସୀଙ୍କ ମାଣ୍ଡିଆ ବାଡ଼ ରହିଥିବା ଦେଖାଯାଇଛି। ଏ ନେଇ ଅଞ୍ଚଳ ବାସିନ୍ଦା ଗଣମାଧ୍ୟମ ଜରିଆରେ ରାସ୍ତା କାମ ଆଦୌ ହୋଇନଥିବା ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ କର୍ମ ଆଶାୟୀ ଶ୍ରମିକ ଓ ସ୍ଥାନୀୟ ବାସିନ୍ଦାଙ୍କ ଅବଗତି ପ୍ରକାରେ ପି ରାମଚନ୍ଦ୍ରପୁର ଗ୍ରାମରେ ଚାଲିଥିବା ସେହି ଦଣ୍ଡ ବନ୍ଧ ଠାରୁ କେନାଲ ରାସ୍ତାକାମର ସ୍ଥିତାବସ୍ତା ନେଇ ସଂପୃକ୍ତ ରୋଜଗାର ସେବକ ଏବଂ ନିର୍ବାହୀ ଅଧିକାରୀ କିମ୍ବା ଦାୟିତ୍ୱରେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ କୌଣସି ଆଶାଜନକ ଉତ୍ତର ନ ରଖି ନୀରବ ରହୁଥିବାରୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏ ସମନ୍ଧରେ ସ୍ଥାନୀୟ ସରପଞ୍ଚ ଅଳୟ ଦାସ ନିଜ ପ୍ରତିକ୍ରିୟାରେ ସେ ଉକ୍ତ କାର୍ଯ୍ୟ ସମନ୍ଧରେ କିଛି ଜାଣିନଥିବା କହିବା ସହ ନିଜ ଦାୟିତ୍ଵ ଗ୍ରହଣ ପର ସମୟର ହୋଇନଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here