ଗଞ୍ଜାମ ଜିଲ୍ଲା ସ୍ତରୀୟ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ।

0
164

ଛତ୍ରପୁର,୧୧/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଆଜିର ଯୁବପିଢୀ ବାଇକ୍ ଚାଳନା ପ୍ରତିଯୋଗିତା ମନୋଭାବ ଛାଡି ପାଠପଢା, କ୍ରୀଡା ଆଦି ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ରଖିବା ଉଚିତ ବୋଲି କହିଥିଲେ ।୨୦୧୯ ମସିହା ଡିସେମ୍ବର ସୁଦ୍ଧା ଦୃତ ଗତି, ଟ୍ରାଫିକ୍ ନିୟମର ଉଲ୍ଂଘନ ଆଦି ଯୋଗୁଁ ୩୮୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଦାୟୀତ୍ବପୂର୍ଣ୍ଣ ଭାବେ ଗାଡି ଚଳାଇବା ସହ ଗାଡି ଚାଳନା ବେଳେ ମୋବାଇଲ୍ ବ୍ୟବହାର ନ କରିବା ଏବଂ ନିଜେ ବଞ୍ଚିବା ସହ ଅନ୍ୟର ଜୀବନ ବଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ବାଳ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ୍ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଯୋଗ ଦେଇ ନୂଆ ଟ୍ରାଫିକ୍ ନିୟମ ଉପରେ ସଚେତନ ହେବାପାଇଁ ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ । ଆଞ୍ଚଳିକ ପରିବହନ ଡେପୁଟି କମିଶନର୍ ବସନ୍ତ କୁମାର ବେହେରା ଏବଂ ଏମ୍.ଭ୍.ଆଇ. ଶାନ୍ତନୁ କୁମାର ପରିଡା ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ । ପ୍ରଭାତରେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ୍ ଦେଇ ସହର ପରିକ୍ରମା କରି ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା ।
ଉତ୍ସବରେ ଶିକ୍ଷାନୁଷ୍ଠାନର ବହୁ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here