ଛତ୍ରପୁର,୧୮/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ଗଞ୍ଜାମ ଜିଲ୍ଲା ରେ ଗତ ୨ ବର୍ଷ ମଧ୍ୟରେ ୬୨୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଆରଟିଓଙ୍କ ପକ୍ଷରୁ ରଦ୍ଦ କରାଗଲାଣି । ୨୦୧୮ ରେ ୨୮୬୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି । ୨୦୧୯ ରେ ୩୩୭୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ଏଥିମଧ୍ୟରୁ ୨୧୩୧ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ଆରଟିଓଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ ଆରଟିଓଙ୍କ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି । ସେହିପରି ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ଆରଟିଓଙ୍କ ପକ୍ଷରୁ ୧୨୪୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ଆହୁରି ଜଣାଯାଇଛି, ଗଞ୍ଜାମ ଓ ଭଞ୍ଜନଗର ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ୧୨୪୪ ଇ-ଚାଲାଣ ଉଲ୍ଲଂଘନକାରୀଙ୍କୁ ପଠାଯାଇଛି। ସେଥିମଧ୍ୟରେ ଗଞ୍ଜାମ ଆରଟିଓ ଙ୍କ ପକ୍ଷରୁ ୧୧୪୦ ଓ ଭଞ୍ଜନଗର ଆରଟିଓ ଙ୍କ ପକ୍ଷରୁ ୧୦୪ ଇ-ଚାଲାଣ ଇସ୍ୟୁ କରାଯାଇଛି। ହେଲମେଟ୍ ନ ପିନ୍ଧି ଗାଡି ଚଳାଇବା ନେଇ ବର୍ଷକ ମଧ୍ୟରେ ଜିଲ୍ଲାର ୮୫,୯୪୩ ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି। ସେଥିମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ୭୫,୫୯୯ ଜଣଙ୍କଠାରୁ ୧ କୋଟି ୨୨ ଲକ୍ଷ ୧୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆରଟିଓଙ୍କ ପକ୍ଷରୁ ୧୦,୩୪୪ ଜଣଙ୍କଠାରୁ ୫ ଲକ୍ଷ ୧୩ ହଜାର ୪୦୦ ଟଙ୍କା ଜରିମାନା ଆଦାୟ ରହିଛି ।ଆହୁରି ଜଣାଯାଇଛି, ଯାଞ୍ଚ ବେଳେ ଗାଡି ବୀମା ପ୍ରମାଣପତ୍ର ନ ଥିବା ନେଇ ୧,୬୬୦ ଜଣଙ୍କଠାରୁ ୩ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି