ଭୁବନେଶ୍ୱର, ୦୧/୦୨/୨୦୨୦(ଆକାଶ ମିଶ୍ର) – ଆସନ୍ତାକାଲି ଅର୍ଥାତ ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ହେବ। ଏ ସଂକ୍ରାନ୍ତରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ନେଇ ଗତ ଶୁକ୍ରବାର ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ଯେଉଁ ସୁପାରିସ କରିଥିଲେ, ତାହା ଉପରେ ସରକାର ଠୋସ୍ ପଦକ୍ଷେପ ନେବେ। ଏଥିପାଇଁ ଏକ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।
ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ଗ୍ରାମାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ରକ୍ଷଣାବେକ୍ଷଣ ଓ ମରାମତି କରିବା ଦାୟିତ୍ବ ଦିଆଯିବ।
ଏହାସହିତ ସବଡିଭିଜନ୍ ହସ୍ପିଟାଲ୍ ଓ ମୁଖ୍ୟ ଚିକିତ୍ସାଳୟର ରକ୍ଷଣାବେକ୍ଷଣ ଯଥାକ୍ରମେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ କରିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରାଥମିକ ସ୍ତରରେ କେଉଁ କେଉଁ କ୍ଷମତା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିବେ ତାର ତାଲିକା ପ୍ରସ୍ତୁତ କରି ମନ୍ତ୍ରୀସ୍ତରୀୟ କମିଟି ସୁପାରିସ କରିଛି।