କୁକୁଡାଖଣ୍ଡି,୦୯/୦୩/୨୦୨୦(ବ୍ୟୁରୋ ରିପୋର୍ଟ)ସଦର ଥାନା ଅନ୍ତର୍ଗତ ଗୁଠବନ୍ଧ ଗାଁରେ ଅଘଟଣ । ବିଜୁଳି ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଜଣକ ହେଉଛନ୍ତି ୪୨ ବର୍ଷିୟ ଦୁର୍ଯ୍ୟୋଧନ ମଳିକ । ଆହତ ବ୍ୟକ୍ତିମାନେ ହେଉଛନ୍ତି ସଦାନନ୍ଦ ଷଣ୍ଢ, କାଲୁ ବିଶୋୟୀ, ବାବୁଲା ପାତ୍ର ଓ ଜିତେନ୍ଦ୍ର ଦଳାଇ ।
ସୂଚନା ମୁତାବକ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁଠବନ୍ଧ ଗାଁ’କୁ ଲାଗିଥିବା ପରିବା କ୍ଷେତରେ ଜନୈକ ବ୍ୟକ୍ତି ପନିପରିବା ଚାଷ କରିଛନ୍ତି । ବଣୁଆ ବାର୍ହା ଉପଦ୍ରବରୁ ଫସଲ ରକ୍ଷା କରିବାକୁ ସେ ବ୍ୟକ୍ତିଜଣକ କ୍ଷେତ ଚାରିପଟରେ ଧାତବ ତାର ଘେରାଇ ରାତିରେ ସେଥିରେ ବିଜୁଳି ସଂଯୋଗ କରିଦିଅନ୍ତି । ପରିବା କ୍ଷେତ ପାଖରେ ଥିବା ଅନ୍ୟ କ୍ଷେତରେ କିଛି ଲୋକ ବିରି ଚାଷ କରିଥିଲେ । ବିରି ବିଲରୁ ବାର୍ହା ଘଉଡ଼ାଇବାକୁ ଉପରୋକ୍ତ ୫ଜଣ ବ୍ୟକ୍ତି ରାତିରେ ସେଠାକୁ ଯାଇଥିଲେ । ରାତି ପ୍ରାୟ ୧୨: ୩୦ ମିନିଟ୍ରେ ସେମାନେ ସେଠାରୁ ଫେରିବା ବେଳେ ପରିବା କ୍ଷେତରେ ବେଢ଼ାଯାଇଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ସେମାନଙ୍କ ପାଟି ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ । କିନ୍ତୁ, ସେତେବେଳକୁ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ଘଟି ସାରିଥିଲା । ଉକ୍ତ ତା’ର ସଂସ୍ପର୍ଶରେ ଆସି ଗୋଟାଏ ବୁଲା କୁକୁର ମଧ୍ୟ ମରିଯାଇଥିବା ଜଣାପଡ଼ିଛି । ଚିକିତ୍ସା ନିମନ୍ତେ ଗାଁ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି । ସଦରଥାନା ପୋଲିସ ଶବ ବ୍ୟବଛେଦ କରିବାସହ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।