କରୋନା ମୁକାବିଲାପାଇଁ ଜିଲ୍ଲାପାଳଙ୍କ ଜରୁରି ବୈଠକ ସମସ୍ତ ଜନସମାଗମ ଉପରେ କଟକଣା ଜାରି ।

0
164

ଛତ୍ରପୁର,୧୫/୦୩/୨୦୨୦(ବ୍ୟୁରୋ ରିପୋର୍ଟ)କରୋନାର ଭୟବହତାକୁ ଦେଖି ଗଞ୍ଜାମରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ ପାଇଁ ଜିଲ୍ଲାପାଳ ବିଜୟ ଅମୃତାକୁଲାଙ୍ଗେ ପୂର୍ବାହ୍ନରେ ଜରୁରୀ ବୈଠକ ଆହୁତ କରିଥିଲେ । ଜନ ସମାଗମ କରୋନା ବ୍ୟାପିବାରେ ପ୍ରମୁଖ କାରଣ ହୋଇଥିବାରୁ ଜିଲ୍ଲାସାରା ସମସ୍ତ ସମାଗମକୁ ନିଷେଧ କରାଯାଇଛି । ଏପରିକି ପ୍ରସିଦ୍ଧ ତାରାତାରିଣୀ ଯାତ୍ରାରେ ଲୋକମାନେ ଏକତ୍ରିତ ହେବାକୁ ବାରଣ କରାଯାଇଛି । ଯାତ୍ରାର ପୂଜାବିଧି ଯଥାରୀତି ସମ୍ପନ୍ନ ହେବ । ସାଜସଜ୍ଜା ମଧ୍ୟ ଉଚିତ ଢଙ୍ଗରେ ପ୍ରଦର୍ଶିତ ହେବ । କିନ୍ତୁ ଯାତ୍ରୀ ସମାଗମକୁ ପ୍ରଶ୍ରୟ ଦିଆଯିବ ନାହିଁ । ସ୍ବତନ୍ତ୍ର ବସ ସେବାଏବଂ ଅଟୋସେବା ପ୍ରତ୍ୟାହାର କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ହେଉଥିବା ଭୋଜନ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି । କୌଣସି ମୁଣ୍ଡନ କରାଯିବ ନାହିଁ । ପୂଜକ ମାନଙ୍କୁ ମୁଖ ମଣ୍ଡଳ ଆବୃତ କରି ରଖିବାପାଇଁ କୁହାଯାଇଛି । ଯେଉଁମାନେ ବିଶେଷ କାରଣ ପାଇଁ ମନ୍ଦିରକୁ ଯିବେ ସେଠାରେ ସେମାନଙ୍କର ଦେହର ତାପମାତ୍ରା ମାପିବାପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପାହାଡର ପାଦ ଦେଶରେ ଏବଂ ଉପରି ଭାଗରେ ହାତ ଧୋଇବାର ଆନୁସଙ୍ଗୀକ ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କର ଅଭାବ ପ୍ରତିହତ କରିବାପାଇଁ ସମସ୍ତ ସ୍ବୟଂସହାୟିକା ଗୋଷ୍ଠୀ ଜିଲ୍ଲାସାରା ଏହାକୁ ପ୍ରସ୍ତୁତ କରିବେ ଏବଂ ଜିଲ୍ଲାସାରା ବିକ୍ରିକରିବେ । ସମସ୍ତ ବିବାହ,ଯାନିଯାତ୍ରା ପ୍ରତୀକ ଆକାରରେ ପାଳନ କରାଯିବ । କୌଣସିଥିରେ ଜନସମାଗମକୁ ପ୍ରଶ୍ରୟ ଦିଆଯିବନାହିଁ . ଜିଲ୍ଲାର ସାମୁଦ୍ରିକ ବେଳାଭୂମି ଗୁଡିକରେ ପର୍ଯ୍ୟଟକ ମାନଙ୍କ ଉପସ୍ଥିତି ନିଷେଧ କରାଯାଇଛି । ସ୍ବତନ୍ତ୍ର ବସ୍ ରେ ଯାତ୍ରୀ ପରିବହନ ନିଷେଧ କରାଯାଇଛି । ସରକାରୀ ଏବଂ ବେସରକାରୀ କଲ୍ୟାଣ ମଣ୍ଡପ ଗୁଡିକର ଆରକ୍ଷଣ ବାତିଲ କରାଯାଇଛି ଏବଂ ଭୋଜିଭାତକୁ ନିଷେଧ କରାଯାଇଛି । ପର୍ଯ୍ୟଟକ ମାନଙ୍କପାଇଁ ଉଦ୍ଦିଷ୍ଟ ହୋଟେଲରେ ରହଣୀ ସୀମିତ କରିବାପାଇଁ କୁହାଯାଇଛି । ରାଜ୍ୟ ବାହାରୁ ଜିଲ୍ଲାକୁ ଫେରୁଥିବା ଲୋକ ମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାପାଇଁ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୁଜବରେ ବିଶ୍ବାସ ନ କରିବା, ସୋସିଆଲ ମିଡିଆ ବାର୍ତ୍ତା ଉପରେ ସତର୍କ ରହିବା ପାଇଁ କୁହାଯାଇଛି । ପ୍ରଶାସନର ପ୍ରଣୀତ ନିୟମାବଳୀ ଅମାନ୍ୟ କଲେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅହୋରାତ୍ର କାର୍ଯ୍ୟ କରୁଥିବା ଦୁଇଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି । ୦୬୮୦-୨୨୨୪୭୯୮ କିମ୍ବା ୯୪୩୯୯୮୩୯୫୬ ଟେଲିଫୋନ୍ ନମ୍ବର ଆଧାରରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇପାରିବେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ, ଅତିରିକ୍କ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏବଂ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତାରାତାରିଣୀ ସେବାୟତ ସଂଘର ସଭାପତି ତପନ କୁମାର ରଣା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here