ବ୍ରହ୍ମପୁର, ୨୮/୦୩/୨୦୨୦(ବ୍ୟୁରୋ ରିପୋର୍ଟ)- ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୫୦୦ ଟଙ୍କା କୋରନା ସହାୟତା ସମୁଦ୍ର କୁ ଶଙ୍ଖେ। ଗରିବ ଶ୍ରମଜୀବି ଲୋକଙ୍କ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ କୋରନା ସମସ୍ୟାକୁ ବହୁ ଗୁଣିତ କରିବ। ନିର୍ମାଣ ଶ୍ରମିକ ଓ ଦିନ ମଜୁରିଆ ମାନେ ଗତ ୧୦ ରୁ ୧୨ ଦିନ ଧରି ଆଦୌ କାମ ପାଇନାହାନ୍ତି। ଓଡ଼ିଶାରେ ଲକ ଡାଉନ ୨୨ ମାର୍ଚ୍ଚରୁ ଆରମ୍ଭ ହୋଇଛି। ସେହି ଦିନଠାରୁ ଟୋଟାଲ କାମ ବନ୍ଦ। ଏହି ଶ୍ରମିକଙ୍କ ଭିତରୁ ଅଧିକାଂଶଙ୍କର ଦୈନିକ ଖଟିଲେ ତାଂକ ପେଟ ପୁରେ। ୭ ଦିନ ହେଲାଣି କାମ ନାହିଁ, ରୋଜଗାର ନାହିଁ। ଦୋକାନ ବାକି, ଧାର ଉଧାର ବନ୍ଦ। ବହୁ ଶ୍ରମିକ ପରିବାର ୩ ରୁ ୫ ଦିନ ଧରି ଭୋକ ଉପାସରେ ତଥା ଅଧା ପେଟରେ ରହିଲେଣି। ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ଓ ଏହିଭଳି କିଛି ସଂଗଠନ ଦାବି କରିବା ପରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ମାତ୍ର ୧୫୦୦ ଟଙ୍କାର ସହାୟତା। ତାହାପୁଣି କେବେ ମିଳିବ ତା’ର କିଛି ଠିକଣା ନାହିଁ। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟରେ ୨୯ ଲକ୍ଷ ନିର୍ମାଣ ଶ୍ରମିକ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ସରକାର ଘୋଷଣା କରିଛନ୍ତି ୨୨ ଲକ୍ଷ ଶ୍ରମିକଙ୍କୁ ଦେବେ। ତେବେ କେଉଁମାନଙ୍କୁ ଦେବେ ନାହିଁ। ଏହି ସ୍କ୍ରୁଟିନି ପ୍ରକ୍ରିୟାରେ ମାସ ମାସ ଚଲିଯିବ। ସେତେବେଳକୁ ଏହିଟଙ୍କା ପାଇ ଲୋକେ କରିବେ କଣ ? ଏବେ ଭୋକସହି ବଞ୍ଚିଥିଲେ ତ ସେତେବେଳକୁ ପାଇବେ। ଆହୁରି ୧୮ ଦିନ ଅଛି ଲକ୍ ଡାଉନ। ଏତେ ଲମ୍ବା ସମୟ ଚଢା ଦରଦାମରେ ବଂଚି ରହିବେ କେମିତି। ଅନ୍ୟପକ୍ଷରେ ରାଜ୍ୟର ଆହୁରି ବ୍ୟାପକ ପ୍ରକୃତ ନିର୍ମାଣ ଶ୍ରମିକ ଆଦୌ ପଞ୍ଜିକୃତ ହୋଇନାହାନ୍ତି। ସେମାନଙ୍କ ଅବସ୍ଥା କଣ ହେବ ସରକାର ସ୍ପଷ୍ଟ କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି। ଅନ୍ତତଃ ରାଜ୍ୟ ସରକାର ସ୍ଥିର କରିଥିବା ସର୍ବନିମ୍ନ ମଜୁରୀ ହିସାବରେ ନିର୍ମାଣ ଶ୍ରମିକଙ୍କୁ ଯେତେଦିନ ଧରି ଲକ୍ ଡାଉନ ରହିବ ସମ୍ପୂର୍ଣ୍ଣ ଲକ ଡାଉନ ପିରିୟଡ଼ର ଦୈନିକ ମଜୁରୀ ସେମାନଙ୍କୁ ପ୍ରଦାନ କରାଯାଉ। ସରକାରୀ ଚାକିରିଆ, କମ୍ପାନୀ ଚାକିରିଆ ଆଦି ସମସ୍ତଙ୍କୁ କାମ ନକରି ମଧ୍ୟ ସେମାନଙ୍କୁ ମାସିକ ଦରମା ମିଳିବ। ନିର୍ମାଣ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ କାହିଁକି ଦିଆଯିବନାହିଁ। ଅତି କଷ୍ଟେ ମଷ୍ଟେ ଚାଲିବାର ଆଵଶ୍ୟକତା କୁ ବିଚାର କରି ସରକାର ସର୍ବନିମ୍ନ ମଜୁରୀ ସ୍ଥିର କରିଛନ୍ତି। ସର୍ବନିମ୍ନ ମଜୁରୀ ଠାରୁ କମ ଦେବା ଅପରାଧ। ଏହାଠାରୁ କମ ଦେଲେ ପେଟକୁ ଆଦୌ ଅଣ୍ଟିବ ନାହିଁ। ଏକ ଜନ ମଙ୍ଗଳକାରୀ ରାଷ୍ଟ୍ରର ସରକାର ଅନ୍ତତଃ ବଞ୍ଚିବା ପାଇଁ ସର୍ବନିମ୍ନ ଆଵଶ୍ୟକତାକୁ ବିଚାରକୁ ନନେଇ ସହାୟତା ଘୋଷଣା କରିବା ଲୋକଙ୍କ ଗରିବୀ ପ୍ରତି ଉପହାସ ବ୍ୟତୀତ ଆଉ କିଛି ନୁହେଁ।
ଏଣୁ ରାଜ୍ୟ ସରକାର ତୁରନ୍ତ ଏ ବିଷୟରେ ଗମ୍ଭୀର ବିଚାର କରି ଅନ୍ୟୁନ ଦୈନିକ ସର୍ବନିମ୍ନ ମଜୁରୀ ଦେବାକୁ ନିଷ୍ପତ୍ତି କରିବାକୁ ଦାବି ଜଣାଇଛନ୍ତି। ଏଥିସହ ସଂପ୍ରତ୍ତି ଘୋଷିତ ୧୫୦୦ ଟଙ୍କାର ସହାୟତା ଆଗାମୀ ଏକ ସପ୍ତାହ ଭିତରେ ସବୁ ଶ୍ରମିକଙ୍କ ନିକଟରେ ପହଞ୍ଚାଇବାକୁ ନିବେଦନ କରାଯାଇଛି। ଯେଉଁ ଶ୍ରମିକ ମାନେ କଲ୍ୟାଣ ବୋର୍ଡ଼ରେ ପଞ୍ଜିକୃତ ହୋଇପାରିନାହାନ୍ତି, ସେହି ସମସ୍ତ ପ୍ରକୃତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ସହାୟତା ରାଶି ଯୋଗେଇ ଦେବାକୁ ନିବେଦନ। ଲୋକଙ୍କ ନିକଟରେ ସହାୟତା ରାଶି ପହଂଚିବା ପର୍ଯ୍ୟନ୍ତ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଯୋଗେଇ ଦିଆଯାଉ। ରାଜ୍ୟର ପ୍ରାୟ ୧୪୦୦ ପଞ୍ଜିକୃତ ନିର୍ମାଣ ଶ୍ରମିକ ୟୁନିୟନ ରହିଛି। ନିର୍ମାଣ ଶ୍ରମିକଙ୍କ ରିଲିଫ ଓ ସହାୟତା ପ୍ରଦାନରେ ତଥା କୋରନା ବିରୋଧୀ ଯୁଦ୍ଧରେ ଏହି ସବୁ ୟୁନିୟନ ମାନଙ୍କୁ ସାମିଲ କରାଯାଉ।