ଗଞ୍ଜାମ,୨୭/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ପୁଣି ଜଳପଥରେ ଓଡ଼ିଶା ପହଞ୍ଚିଲେ ପ୍ରବାସୀ । ତିନିଦିନ ତଳେ ଚେନ୍ନାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଥିବା ଏକ ବୋଟ୍ ଆଜି ଗଞ୍ଜାମ ଜିଲ୍ଲା ରମେୟାପାଟଣା କୂଳରେ ଲାଗିଛି । ୩୯ଜଣ ଶ୍ରମିକଙ୍କୁ ନେଇ ବୋଟ୍ ଆରମ୍ଭ କରିଥିଲା ଯାତ୍ରା । ତେବେ ଅଧାବାଟରେ ଆନ୍ଧ୍ରର ଶ୍ରମିକମାନେ ଓହ୍ଲାଇ ପଡିଥିଲେ । ବୋଟ୍ ରମେୟାପାଟଣାରେ ଲାଗିବା ପୂର୍ବରୁ ପାତିସୁନାପୁରରୁ ଆଉ କିଛି ଓହ୍ଲାଇ ଯାଇଥିଲେ । ବୋଟ୍ ରମେୟାପାଟଣାରେ ଲାଗିବା ବେଳକୁ ମାତ୍ର ୧୨ଜଣ ଶ୍ରମିକ ଥିଲେ ।
ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଅଧାବାଟରୁ ଓହ୍ଲାଇ ପଡ଼ିଥିବା ଶ୍ରମିକଙ୍କୁ ଖୋଜିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଲକ୍ ଡାଉନ୍ ପରେ ଶ୍ରମିକଙ୍କୁ ଚଳିବା ମୁସ୍କିଲ୍ ହୋଇ ପଡିଥିଲା । ପରିବାର ଲୋକେ ୧ଲକ୍ଷ ୮୫ ହଜାର ଟଙ୍କା ଚାନ୍ଦା କରି ପଠାଇବା ପରେ ଏକ ବୋଟ୍କୁ କିଣିଥିଲେ ।
ତେବେ ବାଟରେ ଆସିବା ବେଳେ ଝଡ଼ତୋଫାନ୍ ହୋଇଥିଲା । ଆଶା ଆଶଙ୍କା ଭିତରେ ଭୋକଉପାସରେ ,ତିନିଦିନ ପରେ ଚେନ୍ନାଇରୁ ବାହାରିଥିବା ବୋଟ୍ ଆସି ପହଞ୍ଚିଥିଲା ଗଞ୍ଜାମ କୂଳରେ । ଏହାକୁ ମିଶାଇ ତୃତୀୟ ବୋଟ୍ ପହଞ୍ଚିଛି ଗଞ୍ଜାମରେ ।