ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ଓ ସହାୟତା*ଓଡିଆଙ୍କ ସହ ଦୁର୍ଦ୍ଦିନରେ ଠିଆ ହୋଇଥିବାରୁ ସାଢେ ୪ କୋଟି ଓଡିଆଙ୍କ ତରଫରୁ ଧନ୍ୟବାଦ : ସମୀର ମହାନ୍ତି * ଦୀର୍ଘ ୨ ଘଂଟା ଆକାଶ ମାର୍ଗରୁ କ୍ଷୟକ୍ଷତିର ଟିକିନିଖି ଅନୁଧ୍ୟାନ *ଦୀର୍ଘ ୧ ଘଂଟାରୁ ଉର୍ଦ୍ଧ୍ୱ ସମୟର ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା *୫୦୦ କୋଟିର ତତ୍କାଳୀନ ସହାୟତା * ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଲା ପରେ ଅଧିକ ସହାୟତାର ପ୍ରତିଶ୍ରୁତି * ଗୃହ, ଚାଷ, ଶକ୍ତି, ଯୋଗାଯୋଗ ଓ ଭତିଭୂମି ପାଇଁ ସହାୟତାର ଦେଇଛନ୍ତି ପ୍ରତିଶ୍ରୁତି *କରୋନା ପାଇଁ ପାଖାପାଖି ୮୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀରୁ ବାହାରି ନଥିବା ପ୍ରଧାନମନ୍ତ୍ରୀ ପ୍ରଥମ ଗସ୍ତରେ ପୂର୍ବ ଭାରତ ତଥା ଓଡିଶାକୁ ଧ୍ୟାନ ଦେବା ତାଙ୍କର ଓଡିଶା ପ୍ରତି ଥିବା ଦରଦର ପ୍ରମାଣ

0
185

 

ଭୁବନେଶ୍ୱର, ତା.୨୨/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଓଡିଶାର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢାଇଥିବାରୁ ସାଢେ ୪ କୋଟି ଓଡିଆଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ଦୀର୍ଘ ୨ ଘଂଟା କାଳ ପ୍ରଭାବିତ ଜିଲ୍ଲା ଗୁଡିକୁ ଆକାଶ ମାର୍ଗରୁ ଟିକିନିଖି ଦେଖିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ଦୁଇ ଘଂଟା କାଳ ବୁଲି ଦେଖିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଦୀର୍ଘ ୧ ଘଂଟା କାଳ ରାଜ୍ୟରେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ । ଆକାଶ ମାର୍ଗରୁ ଟିକିନିଖି ୨ ଘଂଟା କାଳ ଦେଖିବା ଓ ପରିସ୍ଥିତିର ଘଂଟାଏ କାଳ ସମୀକ୍ଷା କରିବା ଓଡିଶାର ଦୁର୍ଦ୍ଦିନରେ ପ୍ରଧାନମନ୍ତ୍ରୀଙ୍କ ଓଡିଶାବାସୀଙ୍କ ସହ ସହଭାଗୀ ହେବାର ନିଷ୍ଠାର ପ୍ରମାଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ତୁରନ୍ତ ରିଲିଫ ପାଇଁ ୫୦୦ ଟଙ୍କାର ତତକାଳୀନ ସହାୟତା ନିଜେ ପ୍ରଧାନମନ୍ତ୍ରୀ ଓଡିଶାରୁ ଦିଲ୍ଲୀ ବାହାରିବା ପୂର୍ବରୁ ଘୋଷଣା କଲେ । ଏହାସହ ରାଜ୍ୟର କ୍ଷୟକ୍ଷତିର ଆକଳନ ରାଜ୍ୟ ସରକାର ପ୍ରସ୍ତୁତ କରିବା ପରେ କେନ୍ଦ୍ରୀୟ ଟିମ୍ ଆସି ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ବାସଗୃହ, କୃଷି, ଶକ୍ତି, ଯୋଗାଯୋଗ ତଥା ଭିତିଭୂମି ବିକାଶ କ୍ଷେତ୍ରରେ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି ।
କରୋନା ସମୟରେ ପ୍ରଧାନମନ୍ତ୍ରୀ ଯେପରି ଭାବରେ ଓଡିଶାବାସୀଙ୍କ ସହ ଠିଆ ହୋଇଥିଲେ ଅମ୍ଫନ ଭଳି ଦୁର୍ବିପାକ ସମୟରେ ମଧ୍ୟ ଠିକ୍ ସେହିପରି ଠିଆ ହୋଇଛନ୍ତି । କରୋନା ପାଇଁ ପାଖାପାଖି ୩ ମାସ ବା ଦୀର୍ଘ ୮୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀରୁ ବାହାରି ନଥିବା ପ୍ରଧାନମନ୍ତ୍ରୀ ପ୍ରଥମ ଗସ୍ତରେ ପୂର୍ବ ଭାରତକୁ ଆସିବା ଓ ଏଥିରେ ଓଡିଶା ପାଇଁ ବିଶେଷ ଧ୍ୟାନ ଦେବା ତାଙ୍କର ରାଜ୍ୟ ପ୍ରତି ଥିବା ଦରଦର ପ୍ରମାଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here