କୁକୁଡାଖଣ୍ଡି,୩୧/୦୫/୨୦୨୦(ବ୍ୟୁରୋ ରିପୋର୍ଟ): ପ୍ରତିବର୍ଷ ମଇ ମାସ ୩୧ ତାରିଖକୁ ସାରା ଭାରତ ବର୍ଷାରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ତମାଖୁର ଭୟାବହତାକୁ ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଉର୍ଦ୍ଦେଶରେ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଏହା ସତ୍ୱେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟର ବିକ୍ରି ଓ କ୍ରୟ ନିୟନ୍ତ୍ରଣ ହୋଇ ପାରିନାହିଁ । ୨୦୧୩ ମସିହା ଠାରୁ ଗୁଟଖାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଏହା ମଧ୍ୟରେ ଦୀର୍ଘ ୭ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଗୁଟଖା ବିକ୍ରି ବନ୍ଦ ହୋଇ ପାରିନାହିଁ । ନିଷିଦ୍ଧ ଘୋଷଣା ହେବାର କିଛି ଦିନ ପର୍ଯ୍ୟନ୍ତ ଲୁଚାଛପାରେ ଏହାର ବିକ୍ରି ହେଉଥିଲା ବେଳେ ଏବେ ଖୁଲୁମଖୁଲା ଗୁଟଖା ବିକ୍ରି ହେଉଛି । ବିଦ୍ୟାଳୟ ଠାରୁ ଆରମ୍ଭ କରି ଡ଼ାକ୍ତରଖାନା ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ଗୁଟଖା ମାଳ ଝୁଲୁଥିବା ଦେଖିବାକୁ ମିଳୁଛି । ଆଇନର ଧାରା ୬ ରେ ବିଦ୍ୟାଳୟ ଠାରୁ ୧୦୦ ମିଟର ମଧ୍ୟରେ ତମାଖୁ ବିକ୍ରି ବାରଣ କରାଯାଇଛି । ମାତ୍ର ପ୍ରଶାସନ ଏହାକୁ ଭୁଲି ଯାଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଧରପଗଡ଼ ଠିକ୍ ଭାବେ ହେଉନଥିବାରୁ ଏହାର ବିକ୍ରି ଦିନକୁ ଦିନ ବଢିବାରେ ଲାଗିଛି । ଗୁଟଖା ନିଷିଦ୍ଧ ଘୋଷଣା ହୋଇଥିଲେ ମଧ୍ୟ ଏହାର ବିକ୍ରି ଚାଲିଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଏଫଏସଏସଆଇ ଆଇନରେ ଜର୍ଦ୍ଧା ଓ ଖଇନି ଆସୁନଥିବାରୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହାର ବିକ୍ରି ଉପରେ କଟକଣା ଜାରୀ କରିବା ସମ୍ଭବପର ହେଉନାହିଁ । ଗତ ୨୦୧୩ ମସିହା ଠାରୁ ରାଜ୍ୟ ସରକାର ତମାଖୁ ନିଷେଧ ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତମାଖୁ ପ୍ରସ୍ତୁତି ସହ କିଣାବିକା ଓ କଟକଣା ଉପରେ ମଧ୍ୟ ଜାରୀ ହୋଇଛି । କିନ୍ତୁ ସରକାରଙ୍କ ଏଥିପ୍ରତି ଆନ୍ତରିକତା ନଥିବା ସ୍ଵଷ୍ଟ ବାରି ହୋଇପଡୁଛି । କୁକୁଡାଖଣ୍ଡି ବ୍ଲକର ସମସ୍ତ ଅଞ୍ଚଳରେ ଥିବା ପାନ ପୁଡ଼ିଆ ଦୋକାନରେ ବିନା ଦ୍ୱିଧାରେ ଗୁଟଖା ବିକ୍ରି ହେଉଛି । ଯେଉଁଠି ଦେଖିବ ମାଳମାଳ ଗୁଟଖା ପାଉଚ ଦେଖିବାକୁ ମିଳୁଛି । ବେଧଡ଼କ ଭାବେ ବିକ୍ରି ଚାଲିଛି ଗୁଟଖା ବେପାର । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ମାନେ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡ଼ି ପାରୁନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ଯୁବପୀଢୀ ମଧ୍ୟ କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । କୁକୁଡାଖଣ୍ଡି ଏବଂ ଆଖପାଖ ଅଞ୍ଚଳର ଗୁଟଖା ବେପାରୀ ମାନେ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଆଣି ଅବାଧରେ ବିକ୍ରି କରି ମାଲାମାଲ ହେଉଛନ୍ତି । ସରକାରଙ୍କ ତମାଖୁ ନିଷେଧ କେବଳ କାଗଜକଲମରେ ସୀମିତ ରହିଯାଉଥିବା ଦେଖିବାକୁ ମିଳୁଛି । ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଯକ୍ଷ୍ମା ଭଳି ଦୂରାରୋଗ୍ୟରେ ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୁକୁଡ଼ାଖଣ୍ଡି ଅଂଚଳରେ ମଧ୍ୟ ଏହାର ସଂଖ୍ୟା କିଛି କମ୍ ନୁହେଁ । ବ୍ଲକରେ ଦୈନିକ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ଵର ଟଙ୍କାର ଗୁଟଖା କାରବାର ହେଉଥିବା ଲକ୍ଷ୍ୟ କରାଯାଉଛି । ଜଣେ ତମାଖୁ ସେବନ କରିବା ଦ୍ୱାରା ତାର ମାନସିକତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ଓ ଅଭ୍ୟାସ ହୋଇଗଲା ପରେ ଏହାକୁ ଛାଡ଼ିବା କଷ୍ଟକର ହୋଇପଡେ଼ । ତମାଖୁ ଉପରେ ସେ ଏତେ ମାତ୍ରାରେ ନିର୍ଭରଶୀଳ ହୋଇପଡେ଼ ଯେ, ପରିଣାମ ଯାହା ହେଉ ନା କାହିଁକି ଅଭ୍ୟାସ ଛାଡ଼ି ପାରେନାହିଁ । କେବଳ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ହିଁ ଜଣେ ତମାଖୁ ଠାରୁ ଦୂରେଇ ରହିପାରିବ । ଏଥି ପାଇଁ ପରିବାରର ସହଯୋଗ ସହ ଉପଯୁକ୍ତ ପରାମର୍ଶଦାତାର ମଧ୍ୟ ଆବଶ୍ୟକତା ରହିଛି । ତେବେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ଦ୍ରବ୍ୟ ତ୍ୟାଗ କରିବା ଲାଗି ଶପଥ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।ବ୍ଲକର କୁକୁଡାଖଣ୍ଡି ,ବୋରିଗାଁ,ସୁକୁଣ୍ଡା,ମାର୍ଥାପଲ୍ଲୀ,ହୁଗୁଳାପଟ୍ଟା,ଗୁରୁଣ୍ଠି,ଭାବିନୀପୁର,ଶକ୍ତି ନଗର,ଲୋଚାପଡା ଆଦି ଅଞଳରୁ ୧୦ରୁ ଉର୍ଦ୍ଧ ବେଆଇନ ଗୁଟୁକା ଫେକ୍ଟ୍ରି ରହିଛି।ପୂର୍ଵରୁ ଚଢଉ ହେବା ପରେ ପୁଣି ସହଭାଗିତାରେ ଜୋରରେ ଅବାଧରେ ଚାଲିଛି ବେପାର ।ସବୁ ଦେଖି ନିରବ ପ୍ରଶାସନ ଓ ପୋଲିସ ବିଭାଗ।ପୋଲିସ ବେଆଇନ ପ୍ରସ୍ତୁତ କାରି ଙ୍କୁ ସହଯୋଗ କରୁଥିବା ରୁ ଚଢ଼ାଉ ହଉନଥିବା ଅଭିଯୋଗ ହୋଇଛି ।