ମୃତା ମହିଳାଙ୍କୁ ଜୀବିତ କରାଇ , ଜମି ବିକ୍ରିରେ ସହଯୋଗ । ଜମିମାଫିଆଙ୍କ ଡନ ବନିଛନ୍ତି ଖୋଦ୍ ଦିଗପହଣ୍ଡି ଉପ ନିବନ୍ଧକ ।

0
185

ବ୍ରହ୍ମପୁର, ୦୩/୦୬/୨୦୨୦(ବ୍ୟୁରୋ)
ଅବିଭକ୍ତ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦିଗପହଣ୍ଡି ଉପ – ନିବନ୍ଧକ ତଥା ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ସମ୍ପ୍ରତି ବେ ଲଗାମ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଅଗୋଚର ହେଉଥିବା ଲକ୍ଷ କରାଯାଉଅଛି ।୧୯୦୮ ମସିହାରେ ସ୍ଥାପିତ ଏହି କାର୍ଯ୍ୟାଳୟ ବିଗତ ଦିନରେ ଜମିଜମା ରେଜିଷ୍ଟ୍ରି ଜନିତ ଉଚିତ ଷ୍ଟାମ୍ପ ଟିକସ ଆକଳନ ଏବଂ ଧାର୍ଯ୍ୟ ଭୁ ଟିକସ ସଂଗ୍ରହରେ ଜିଲ୍ଲାରେ ସୁନାମ ରଖିଥିଲା ବେଳେ ଅଧୁନା କିଛିବର୍ଷ ଧରି କ୍ୟାଡ଼ର ସବ୍ ରେଜିଷ୍ଟ୍ରାର ଙ୍କୁ ନିଯୁକ୍ତି ନ ଦେଇ ବାରମ୍ବାର କାମଚଳା ଭାରପ୍ରାପ୍ତଙ୍କୁ ଦାୟିତ୍ଵ ଦେଇ ଜିଲ୍ଲା ପ୍ରଶାସନ ଦୁର୍ନୀତି ପାହାଡ଼ରେ ଘୁଙ୍ଗୁଡ଼ି ମାରୁଥିବା ସମୟରେ ଦିଗପହଣ୍ଡିରେ କାର୍ଯ୍ୟରତ ଭାରପ୍ରାପ୍ତ ସବ୍- ରେଜିଷ୍ଟ୍ରାର ମହୋଦୟ ଜନୈକ ମୃତ ମହିଳାଙ୍କୁ ନିଜ ଇଜଲାସ ରେ ଜୀବିତ ଦର୍ଶାଇ ତାଙ୍କ ଜମିକୁ ନିର୍ଦ୍ଧିଷ୍ଟ ଜମି ବେପାରୀଙ୍କ ବିକ୍ରି କବଲା ଦ୍ଵାରା ରେଜିଷ୍ଟ୍ରି କରିଦେବା ଘଟଣା ସମ୍ପ୍ରତି ଦିଗପହଣ୍ଡି ଅଞ୍ଚଳ ତଥା ଜିଲ୍ଲାରେ ଆଲୋଚ୍ୟ ବିଷୟ ହୋଇ ଚର୍ଚ୍ଚା ଧରିଅଛି ।
ପ୍ରାପ୍ତ ସୂଚନା ପ୍ରକାରେ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବାସୁଦେବପୁର ରାଜସ୍ବ ମଣ୍ଡଳ ଅନ୍ତର୍ଗତ ଅନଙ୍ଗପୂର୍ ମୌଜାରେ ଭାଣ୍ଡି କୁନ୍ଦନ ରେଡ୍ଡୀ ଙ୍କ ନିଜସ୍ଵ ଜମିକୁ ତାଙ୍କ ମୃତ୍ୟୁପରେ ସେହିଗ୍ରାମର କିଛି ଜମି ମାଫିଆ ହଡ଼ପ କରିବା ଯୋଜନାରେ ଏଭଳି କରିଥିବା ଦୃଷ୍ଟିଗୋଚର ହେଉଅଛି ।ପଟାଦାର, କୂନ୍ଦନ ରେଡ୍ଡୀଙ୍କ କିଛି ମାସ ତଳେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମହିଳାଙ୍କୁ ପଟାଦାର୍ ଦର୍ଶାଇ ଜମି ବିକ୍ରି କରିଦେଇଥିବା ମୃତା କୂନ୍ଦନ୍ ଙ୍କ ପୁଅ ଭାଂଡି ବାସୁଦେବ ରେଡ୍ଡୀ ଅଭିଯୋଗ କରିଛନ୍ତି ।ତାଙ୍କ ସୂଚନା ପ୍ରକାରେ ଗତ ମାସ ୧୨ ତାରିଖରେ ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟ ଦଲିଲ ନଂ ୧୦୬୩୨୦୦୧୨୫୮ ପ୍ରକାରେ କିଣାବିକା ଦଲିଲ ପ୍ରସ୍ତୁତି ହୋଇଛି ।ଏ ବିଷୟରେ କୌଣସି ସୂତ୍ରରୁ ଖବର ପାଇ ମୃତା ମହିଳାଙ୍କ ପୁଅ ବାସୁଦେବ ରେଡ୍ଡୀ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଜିଲ୍ଲାପାଳଙ୍କ ଯାଏଁ ଆପତ୍ତି ଅଭିଯୋଗ କଲାପରେ ଘଟଣା ପର୍ଦ୍ଧାଫାଶ ହୋଇଅଛି ।

ସାମ୍ପ୍ରତିକ ଦିଗପହଣ୍ଡି ରାଜନୈତିକ ପୃଷ୍ଟପଟକୁ ନିୟନ୍ତ୍ରଣ କରୁଥିବା ଜମି ଦଲାଲଙ୍କ ପ୍ରାଦୁର୍ଭାବକୁ ନଜରକୁ ଆଣି କୌଣସି ଅଭିଜ୍ଞ ରେଜିଷ୍ଟ୍ରାର ଦିଗପହଣ୍ଡି କୁ ଆସିବା ଠିକ୍ ଭାବୁନାହାନ୍ତି ।ଏହି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେବେଳେ କୋଉ ଅଧିକାରୀଙ୍କୁ ଏହି ଦାୟିତ୍ଵ ଦେଲେ ମଧ୍ୟ କୌଣସି ଅଧିକାରୀ ଏହି ପଦବୀ କୁ ରଖିବାକୁ ଚାହୁଁନାହାଁନ୍ତି ।ଏଣୁ ସ୍ଥାୟୀ ସବ୍ – ରେଜିଷ୍ଟ୍ରାର ଅଭାବରୁ ଏଠାର ମୁଖ୍ୟ କିରାଣୀ ଭାରାପ୍ରାପ୍ତ ସବ୍ – ରେଜିଷ୍ଟ୍ରାର ଭାବେ ଦାୟିତ୍ଵ ନେଉଛନ୍ତି ।ନିଜ ଦାୟିତ୍ୱ ଗ୍ରହଣ ପର ସମୟକୁ ପୁଷ ମାସ ନ୍ୟାୟରେ ନିଜପାଇଁ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ପୂର୍ବ ଅଭିଜ୍ଞତାକୁ ଖଟେଇ ବହୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଥିବା ବହୁ ଅଭିଯୋଗ ରହିଥିଲା । କିନ୍ତୁ ମୃତା ମହିଳାଙ୍କ ଜମିକୁ ମିଛ ମହିଳାଙ୍କୁ ଉପସ୍ଥିତି କରାଇ ଦଲିଲ ପତ୍ରରେ ସ୍ୱାକ୍ଷର କରି ବିକିଦେବା ଘଟଣା ସକ୍ରିୟ ଜମି ଦଲାଲଙ୍କ ଗ୍ୟାଙ୍ଗ ଡନ ଭାବେ ଭାରପ୍ରାପ୍ର ଅଧିକାରୀଙ୍କ ନାମକୁ ନିଆ ଯାଇଥିବା ଆଲୋଚନା ହେଉଅଛି ।

ଜମିଜମାର କିଣାବିକା ଦଲିଲ ପ୍ରସ୍ତୁତି ପାଇଁ ନିର୍ଦ୍ଧିଷ୍ଟ ପଞ୍ଜିକୃତ ଦଲିଲ ଲେଖକ ଥିଲାବେଳେ ଅନଭିଜ୍ଞ ତୋଷା ମଦିଆ ମିଛ ସମ୍ପତିଦର ଧାର୍ଯ୍ୟ କରି ମୁନାଫା ନେବାକୁ ଚାହୁଁଥିବା କିଛି ଲେଖଳୀଙ୍କ ଦ୍ଵାରା ପରିଚାଳିତ ଅଧିକାରୀ ନିଜ ପାଇଁ ଉଚ୍ଚଦର ଧାର୍ଯ୍ୟକରି ସବୁ ଅସମ୍ଭବକୁ ସମ୍ଭବ କରୁଥିବା ଅଭିଯୋଗ ମାନ ରହିଅଛି ।ପରନ୍ତୁ ଜମି କିଣାବିକା ସମୟରେ କ୍ରେତା। ଓ ବିକ୍ରେତାଙ୍କ ପରିଚୟର ସଠିକତା ଯାଞ୍ଚ୍ କରିବା ରେଜିଷ୍ଟ୍ରାର ଙ୍କ ପ୍ରମୁଖ ଉତ୍ତରଦାୟିତ୍ୱବୋଧ ହୋଇଥିବାରୁ ଏ ସମ୍ପର୍କରେ କରିତକର୍ମା ଭାରପ୍ରାପ୍ର ରେଜିଷ୍ଟ୍ରାର ଓରଫ ମୁଖ୍ୟ କିରାଣୀ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ସାମ୍ବାଦିକ ତଥା ଭାରତୀୟ ଆଇନଜୀବୀ ସଂଘର ଜାତୀୟ ପରିଷଦ ସଭ୍ୟ ଶ୍ରୀ ହରପ୍ରସାଦ ରଥ କାର୍ଯ୍ୟାଳୟରେ ଯୋଗାଯୋଗ କରି ପ୍ରତିକ୍ରିୟା ଚାହିଁବାରୁ ରେଜିଷ୍ଟ୍ରାର ପ୍ରଥମେ ନିଜର ଅଧିକାରୀ କାଇଦାରେ ମୁହଁ ଟାଣ ବକ୍ତବ୍ୟ ରଖି ସେପରି କିଛି ହୋଇ ନଥିବା ପ୍ରକାଶ କରିଥିଲେ ।ମୃତା ମହିଳା କୁନ୍ଦନ ଙ୍କ ଜମି ରେଜିଷ୍ଟ୍ରି ଦିନ ମହିଳା ଜଣଙ୍କ ଉପସ୍ଥିତ ଥିବା ପ୍ରକାଶ କରିଥିଲେ ।ପରେ ଦଲିଲ ପ୍ରମାଣ ପରେ ଘଟଣାକୁ ସ୍ବୀକାର କରିବା ସହିତ ଉକ୍ତ ଦଳିଲକୁ ୨୭ ତାରିଖରେ ନିଜେ କ୍ୟାନସେଲ୍ କରିଥିବା ସୂଚିତ କରି ମନ୍ଦିର ଭିତରେ ଥାଇ କଦଳୀ ଖାଇ ନଥିବା ସ୍ଵିକୋରକ୍ତି ଦେଇଥିଲେ

ପୁଣି ଏଠି ମହା ଅଡୁଆ ଅଧିକାରୀ ପ୍ରଥମେ ଏ କାମ ହୋଇନଥିବା କହି ଦ୍ଵିତୀୟରେ ମୃତା ମହିଳାଙ୍କ ଉପସ୍ଥିତିରେ ରେଜିଷ୍ଟ୍ରି ହୋଇଥିବା ସ୍ପଷ୍ଟୋକ୍ତି ରଖିବା ପରେ ସେ ନିଜେ ନିଜର ଆଦେଶକୁ କିପରି ବାତିଲ କଲେ ତାହା ଏଠି ପ୍ରଶ୍ନବାଚୀ ସୃଷ୍ଟି କରିଅଛି ।ଏମିତି କିଛି ଧାରା ରେଜିଷ୍ଟ୍ରାର ଙ୍କ ଅଧିକୃତ କ୍ଷମତାରେ ନଥିବାରୁ ମୂଷା ଖୋଜିବାକୁ ଢୋଲ ଖୋଜା ହେବା ଅବଶ୍ୟମ୍ଭାବୀ ହୋଇଅଛି ।ଘଟଣା ପ୍ରଘଟ ହେବାପରେ ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ସମୟକୁ ନେଇ ସ୍ଵତନ୍ତ୍ର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ସାଧାରଣ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ଜୋର୍ ଧରିଛି ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here