ବ୍ରହ୍ମପୁର,୦୪/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ବିଶିଷ୍ଟ ସମାଲୋଚକ, ବିଦ୍ୱାନ ଗବେଷକ, ସାହିତ୍ୟ ପତ୍ରିକା ‘ଇସ୍ତାହାର’ର ମୁଖ୍ୟ ସମ୍ପାଦକ, ଉତ୍କଳ ବିଶ୍ବବିଦ୍ୟାଳୟ ସତ୍ୟବାଦୀ ଚେୟାରର ପ୍ରାକ୍ତନ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଦେହାବସାନ ଅବସରରେ ଗୁରୁବାର ଅପରାହ୍ଣରେ ‘ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ’ ପକ୍ଷରୁ ଏକ ଅନଲାଇନ ଶୋକସଭା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱଭାରତୀ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଶରତ କୁମାର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋକସଭାର ସଂଯୋଜନା କରିଥିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡ.ଜ୍ଞାନୀ ଦେବାଶିଷ ମିଶ୍ର l ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଡ. ଶରତ କୁମାର ଜେନା ପ୍ରାରମ୍ଭରେ ପରଲୋକଗତ ପ୍ରଫେସର ଶତପଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ l ଏହି ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସ୍ବର୍ଗତ ଶତପଥୀଙ୍କ ପ୍ରାକ୍ତନ ଛାତ୍ର କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଏହି ଶୋକସଭାରେ ଦିବଂଗତ ସାରସ୍ୱତ ସାଧକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ବିବିଧ ଦିଗ, ସାରସ୍ୱତ କୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଭକ୍ତିପୂତ ଶୋକାଞ୍ଜଳି ଅର୍ପଣ କରିଥିଲେ l ଏହି ଅନଲାଇନ ଶୋକସଭାରେ ଅଠର ଜଣ ଓଡ଼ିଆ ଅଧ୍ୟାପକ ଓ ଗବେଷକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l