ବ୍ରହ୍ମପୁର, ୨୭/୦୬/୨୦୨୦:
ପାତ୍ରପୁର ତହସିଲ ରେ ଥିବା ଲଘୁ ଖଣିଜ ଉତ୍ସରୁ ଅବୈଧ ଲୁଣ୍ଠନ ନେଇ ପୂର୍ବଦିନ ରେ ଘଟିଥିବା ପ୍ରଶାସନ ଓ ମାଫିଆ ଗୋଷ୍ଠୀଙ୍କ ମୁହାଁ ମୁହିଁ ସ୍ଥିତିକୁ ନେଇ ବହୁ ରୋଚକ ଆଲୋଚନା ମନରୁ ଲିଭିନଥିବା ବେଳେ ଜିଲ୍ଲାପାଳଙ୍କ କରୋନା ସଂକ୍ରମଣ ଜନିତ ବିପର୍ଯ୍ୟୟ ସ୍ଥିତି ଲକ୍ ଡାଉନ୍ କୁ ଖାତିର ନକରି ସାମନ୍ତିଆପଲ୍ଲି ରାଜସ୍ବ ସର୍କଲ ଭୀମପୁର ମୌଜା ବାହୁଦା ନଦୀ ଅଣ ନିଲମୀ ବାଲି ଉତ୍ସରୁ ମଧ୍ୟରାତ୍ରରେ ଜେସିବି ଲଗାଇ ଶହ ଶହ ଟ୍ରକ୍ ବାଲି ଚୋରାଚାଲାଣ କରୁଥିବା ବେଳେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଠାରୁ ସୂଚନା ଓ ଆଦେଶପ୍ରକାର ରେ ପାତ୍ରପୁର ତହସିଲଦାର ଡା ,ଶ୍ରୀନିବାସ ବେହେରାଙ୍କ ଦ୍ଵାରା ଅତର୍କିତ ଚଢ଼ାଉ ସମ୍ପ୍ରତି ଚର୍ଚ୍ଚାକୁ ଆସିଅଛି ।ନିଶାର୍ଦ୍ଧ ସାଢ଼େ ଗୋଟାଏ ବେଳେ ତହସିଲଦାରଙ୍କ ଧର୍ଯ୍ୟପୂର୍ଣ୍ଣ ଅତର୍କିତ ଚଢ଼ାଉ ବେଳେ ବହୁ ଟ୍ରକ୍ ,ଟ୍ରାକ୍ଟର ଅମଡ଼ା ନଦୀ ଶଯ୍ୟାରୁ ଉଭାନ ହୋଇଥିଲେ ମଧ୍ୟ ବାଲି ଉଠା କାର୍ଯ୍ୟରେ ନିୟୋଜିତ ଜେସିବି ସହିତ ଦୁଇଟି ଟ୍ରକ୍ ତହସିଲଦାର ଜବତ କରିଛନ୍ତି ।ଜବତ ହୋଇଥିବା ଗାଡ଼ିର ବାଲି ଚାଲାଣ ନେଇ ଆବଶ୍ୟକୀୟ ୱାଈ ଫାର୍ମ ପୁରୁଷୋତ୍ତମପୁର ଓ ଚିକିଟି ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ହୋଇଥିବା ବେଳେ ଟ୍ରାଞ୍ଜିଟ ପାସ୍ ଆନ୍ଧ୍ର ପ୍ରଦେଶ ଥିବା ତଦନ୍ତରୁ ଜଣାପଡିଛି। ଜବତ ହୋଇଥିବା ସବୁ ୱ୍ଵାଇ ଫର୍ମ ପିଛିଲା ତାରିଖରେ ଦିଆଯାଇଥିବା ଏବଂ ଜାଲ ଥିବା ତଦନ୍ତରୁ ଜଣାପଡ଼ିଛି ।
ପୂର୍ବ ପ୍ରସ୍ତୁତ ତଥା ସମ୍ପୁର୍ଣ୍ଣ ଗୋପନୀୟତା ସହିତ କରାଯାଇଥିବା ଏହି ଅତର୍କିତ ଚଢ଼ାଉରେ ଖରିଆଗୁଡ଼ ଆର୍ ଆଇ ଖିରସିନ୍ଧୁ ବେହେରା ,ଏ ଆର୍ ଆଇ ଦୀପ୍ତି ରଞ୍ଜନ,କେଲୁଆ ଏ ଆର୍ ଆଇ ଚନ୍ଦ୍ର ବେହେରାଙ୍କ ସହ ରାଜସ୍ବ କର୍ମଚାରୀ ସାମିଲ ଥିଲେ ।
ଗୁରୁବାର ରାତ୍ରି ସାଢ଼େ ଗୋଟାଏ ବେଳକୁ କରାଯାଇଥିବା ଏହି ଅତର୍କିତ ଚଢ଼ାଉରେ ଜବତ ଟ୍ରକ୍ AP 31TD 1355 ଓ AP, 16TB. 8511 ସହ ନମ୍ବର ବିହୀନ ଯେଶିବି କୁ ପାତ୍ରପୁର ତହସିଲ ପରିସରରେ ରଖାଯାଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଏହି ଘଟଣାରେ କୌଣସି ଅଗ୍ରଗତି ହୋଇନଥିବା ତହସିଲ ପକ୍ଷରୁ ସୂଚିତ କରାଯାଇଛି ।
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।