ବ୍ରହ୍ମପୁର, ୩୦/୦୬/୨୦୨୦:
ଦିଗପହଣ୍ଡି ଏନ୍ ଏ ସି ସମ୍ପ୍ରତି ଦୁର୍ନୀତିର ଦୁର୍ବିସହ ଦେଇ ଗତି କରୁଥିବା ବେଳେ ତୋଷାମଦକାରି ଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଦିଅଁ ଗିଳା ଯୋଜନା ପ୍ରଣୟନ କରୁଥିବା ଅଭିଯୋଗ ହେଉଅଛି ।ଏହି ଯୋଜନା କ୍ରମରେ ବହୁଦିନରୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଜମିକୁ ଏନ୍ ଏ ସି ଦ୍ଵାରା ଜବରଦଖଲ କରି ଚେଲା ଚାମୁଣ୍ଡଙ୍କ ମନ୍ତ୍ରଣା ରେ ବିପୁଳ ଅର୍ଥ ବ୍ୟୟରେ ଯାତ୍ରୀ ବିଶ୍ରାମ ଗାର ନିର୍ମାଣକୁ ନେଇ ଅଞ୍ଚଳ ବୁଦ୍ଧିଜୀବୀ ମହଲାରେ ଅସନ୍ତୋଷ ଦେଖାଦେଇଛି ।
ମିଳିଥିବା ସୂଚନା ତଥା ସାଧାରଣ ପ୍ରତିକ୍ରିୟା ପ୍ରକାରେ ଦିଗପହଣ୍ଡି ପୁଞ୍ଜିକଇଆଁ ଛକ ଚିକିଟି ରାସ୍ତାର ଡାହାଣ ପାର୍ଶ୍ଵ ଛକ ସନ୍ନିକଟରେ ତିନି ପୁରୁଷ ଧରି ଅବସ୍ଥାପିତ ଶ୍ରୀ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର ଙ୍କ ବିଜେ ମନ୍ଦିରରେ ଠାକୁର ପୂଜା ପାଇ ଆସୁଥିଲା ବେଳେ ବହୁଦିନରୁ ମନ୍ଦିର ଦକ୍ଷିଣ ଦିଗରେ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।ଏହି ମନ୍ଦିର ପରିଚାଳନା ପାଇଁ ନିର୍ଦ୍ଧିଷ୍ଟ କମିଟି ଗଠନ ସହ ଖାତା ନଂ -୧୧୧୯/୧୨୯୮ ପ୍ଲଟ ନଂ -୨୬୨୨ କୁ ଦେବୋତ୍ତର ବିଭାଗ ତ୍ରିନାଥ ମହାପ୍ରଭୁଙ୍କ ବିଜେ ଆସ୍ଥାନ ଭାବେ ନେଇ କମିଟି ଙ୍କ ତରଫେ ସଭାପତି କୁନା ବିଷୋୟୀ ଙ୍କୁ ଟ୍ରଷ୍ଟି ଘୋଷିତ କରିଥିଲା ।ଯାହାକି ବିଭାଗ ରେଜିଷ୍ଟ୍ରି ନଂ -୧୦୬୩୧୩୦୩୦୭୦/୨୦୧୩ ଅନୁଯାୟୀ ସ୍ପଷ୍ଟ ଭାବରେ ଲିପିବଦ୍ଧ ହୋଇଅଛି ।ଇତି ମଧ୍ୟରେ ଜାତୀୟ ରାଜପଥ ସମ୍ପ୍ରସାରଣ ନିମିତ୍ତ ଅଧିଗ୍ରହଣ ରେ ବିଜେ ଆସ୍ଥାନ କମିବା କାରଣରୁ ଟ୍ରଷ୍ଟି ଦ୍ବାରା ନିର୍ମିତ ହନୁମାନ ମନ୍ଦିର ,ରୋଷ ଶାଳ ଏବଂ ବୈଠକ ଗୃହ ଭାଙ୍ଗିଯାଇଥିବା ବେଳେ ଏଥି ସମ୍ବନ୍ଧିତ କ୍ଷତି ପୂରଣ ଅର୍ଥ ମଧ୍ୟ ଟ୍ରଷ୍ଟି ନାମରେ ରହିଅଛି ।ଯାହାକି ଜମିର ପରିମାଣ କମିବା ପରେ ନୂତନ ନିର୍ମାଣର ଆବଶ୍ୟକତା ରହିଅଛି ।
ଜାତୀୟ ରାଜପଥର କାର୍ଯ୍ୟ ସରିନଥିବା ବେଳେ ମନ୍ଦିର ନିର୍ମାଣ ଯୋଜନା ନଥିପତ୍ରରେ ଥିବା ଅବସରରେ ଦିଗପହଣ୍ଡି ଏନ୍ ଏ ସି ଦ୍ଵାରା ସ୍ଵତନ୍ତ୍ର ଆକ୍ସନ ପ୍ଲାନ ରେ ତ୍ରିନାଥ ମନ୍ଦିର ଟ୍ରଷ୍ଟି ଓ ଏନ୍ ଏ ସି ପ୍ରଶାସନର ବାଦବିବାଦ କାରଣରୁ ଦେବୋତ୍ତର ବିଭାଗ ସହ ଏହାକୁ ମନ୍ଦିର ଜମି ଦର୍ଶାଇଥିବା ବେଳେ ଏନ୍ ଏ ସି ଦ୍ଵାରା ତହସିଲକୁ ଅବଗତ କର ଯାଇଥିଲା ।ଏହି ସ୍ଥିତିରେ ଟ୍ରଷ୍ଟି ଙ୍କ ପକ୍ଷରୁ ଉଭୟ ତହସିଲ ଓ ଏନ୍ ଏ ସି କାର୍ଯ୍ୟଳୟରେ ଅଭିଯୋଗ କରି ନିର୍ମାଣ କାର୍ଯ୍ୟକୁ ବିରୋଧ କରାଯାଇଥିଲା ।ଉଭୟ ଏଥିପ୍ରତି କର୍ଣ୍ଣପାତ ନ କରିବା ପରେ ଟ୍ରଷ୍ଟି ଙ୍କ ପକ୍ଷରୁ ଏଥିନେଇ ଏକ ଯାଚିକା ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାର ଙ୍କ ଦବ୍ଲୁ ପି (ସି)୮୦୬୪/୨୦୨୦ ବିଚାରାଧୀନ ଥିବା ବେଳେ ଏନ୍ ଏ ସି ଏ ଦିଗକୁ ଧ୍ୟାନ ନ ଦେଇ କରୋନା ମହାମାରୀ ସଂକ୍ରମଣ କୋର୍ଟ ବନ୍ଦକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଲକ୍ଷରେ ରହିଥିବାରୁ ମନ୍ଦିରକମିଟି,ଦେବୋତ୍ତର ବିଭାଗ ଓ ଅଞ୍ଚଳ ଜନସାଧାରଣଙ୍କ ମନରେ ସଂଶୟ ସୃଷ୍ଟି କରିଅଛି ।
ଅନ୍ୟ ପକ୍ଷରେ ପ୍ରମୁଖ କରୋନା ଯୋଦ୍ଧା ଭାବେ ଉଲ୍ଲସିତ ଥାଇ ନିମ୍ନମାନର ମାସ୍କ୍ , ସାବୁନ୍ ଓ ସାନିଟାଇଜର କିଣା ସହିତ ପ୍ରବାସୀଙ୍କ କ୍ୱାରାଟାଇନ୍ କିଟ୍ କିଣା ଦୁର୍ନୀତିରେ ଲିପ୍ତ ଅଭିଯୋଗ ଥିବା ନିର୍ବାହୀ ଅଧିକାରୀଙ୍କ ଦିଅଁ ଗିଲା ଅଭିସନ୍ଧି ନେଇ ଚର୍ଚ୍ଚା ଧରିଥିବା ଜଣାଯାଇଛି ।
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।