ଭୂବନେଶ୍ୱର,୨୪/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ସଙ୍କଟରେ ପଡ଼ିଛି ଗ୍ରୀଡ୍କୋ ଅବସ୍ଥା ସାଂଘାତିକ ହୋଇଛି। ସେସୁକୁ ଟାଟା ହାତକୁ ଟେକି ଦିଆଯିବା ପୂର୍ବରୁ ଏହି ବଣ୍ଟନ କମ୍ପାନୀ ୨ ହଜାର କୋଟି ଟଙ୍କା ଗ୍ରୀଡ୍କୋକୁ ଦେଇଥାନ୍ତା। କିନ୍ତୁ ଏହି ଟଙ୍କା ନଦେଇ ସେସୁକୁ ଟାଟା ହାତକୁ ଟେକି ଦିଆଯାଇଛି। ଫଳରେ ଗ୍ରୀଡ୍କୋକୁ ଏବେ ଏହି ୨ ହଜାର କୋଟି ଟଙ୍କା ହରାଇବାକୁ ପଡିଛି। କେବଳ ଏତିକି ନୁହେଁ ଆଗାମୀ ଦିନରେ ୱେସ୍କୋ, ନେସ୍କା ଏବଂ ସାଉଥକୋକୁ ମଧ୍ୟ ଘରୋଇ କମ୍ପାନୀ ହାତରେ ଟେକି ଦେବାକୁ ଓଇଆରସି ନିଷ୍ପତ୍ତି ନେଇଛି। ଓ୍ବେସ୍କୋ ଉପରେ ଗ୍ରୀଡ୍କୋର ୨୩୦୦ କୋଟି ଟଙ୍କା ବକେୟା ରହିଥିଲାବେଳେ ନେସ୍କୋ ଉପରେ ୧୫୬୦ କୋଟି ଏବଂ ସାଉଥକୋ ଉପରେ ୧୩୮୦ କୋଟି ଟଙ୍କା ବକେୟା ରହିଛି। ଯାହା ମୋଟ୍ ୭ ହଜାର ୨୪୦ କୋଟି ଟଙ୍କା ଓ ଏହି ଟଙ୍କା ବିଦ୍ୟୁତ୍ ବଣ୍ଟନ କମ୍ପାନୀଠାରୁ ଗ୍ରୀଡ୍କୋକୁ ପାଇବାର ଅଛି। କିନ୍ତୁ ଏସବୁ ଟଙ୍କା ନଦେଇ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡିକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯାଉଥିବାରୁ ଗ୍ରୀଡ୍କୋ ଦେବାଳିଆ ହେବାକୁ ଯାଉଛି ବୋଲି ନିଖିଳ ଓଡିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ ଓ ଏକତା ମଞ୍ଚ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସେସୁକୁ ଟାଟା ହାତକୁ ଟେକି ଦେବାକୁ ଓଇଆରସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଯଦି ଟାଟା ହାତକୁ ସେସୁ ଚାଲିଯାଏ ତାହେଲେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭବିଷ୍ୟତ କ’ଣ ହେବ, ସେମାନଙ୍କ ସ୍ଵାର୍ଥ ରକ୍ଷା ହେବ କି ନାହିଁ, ଏସବୁକୁ ନେଇ ନିଖିଳ ଓଡିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ ଓ ଏକତା ମଞ୍ଚ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଯେଉଁମାନେ ସେସୁରୁ ଅବସର ନେଇଛନ୍ତି ସେମାନଙ୍କର ସେସୁ ଠାରୁ ପାଇବାକୁ ଥିବା ବକେୟା ଅର୍ଥ, ଜିପିଏଫ, ପେନ୍ସନ୍ ଆଦି ର ଭବିଷ୍ୟତ କଣ ହେବ? ଓଇଆରସିର ଚିଠି ବଳରେ ସେସୁ ଟାଟା ହାତକୁ ଯାଉଛି କିନ୍ତୁ ଏହି ଚିଠିରେ ରାଜ୍ୟ ସରକାର ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ କ’ଣ ଚୁକ୍ତି ରହିଛି ସେ ନେଇ କିଛି ବି ଉଲ୍ଲେଖ କରାଯାଇନି। ଏହିସବୁ କର୍ମଚାରୀଙ୍କ ଭବିଷ୍ୟତ ଏଥିରେ କେତେଦୂର ସୁରକ୍ଷିତ ସେ ନେଇ ମଧ୍ୟ ସମସ୍ତେ ଚୁପ୍। ଏହାଉପରେ ହାଇକୋର୍ଟ ଓଇଆରସିକୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ ମଧ୍ୟ ଓଇଆରସି ଜବାବ ରଖିବା ପରେ ପୁନର୍ବାର ଆବେଦନକାରୀଙ୍କ ପକ୍ଷରୁ ଆଉ ଏକ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ, ସେସୁ ଟ୍ରାନ୍ସମିସନ୍ ବାବଦରେ ଓପିଟିସିଏଲକୁ ୧୧ କୋଟି ଟଙ୍କା ଦେବ। ସାଉଥକୋ ଓପିଟିସିଏଲ୍କୁ ୧୦୦ କୋଟି ଏବଂ ନେସ୍କୋ ୧୦ କୋଟି ଟଙ୍କା ଦେବା। କିନ୍ତୁ ଏସବୁ କମ୍ପାନୀ ଘରୋଇ କମ୍ପାନୀ ହାତକୁ ଚାଲିଯିବା ପରେ ରାଜ୍ୟ ସରକାର ବା ସରକାରଙ୍କ ଦ୍ବାରା ପରିଚାଳିତ ଗ୍ରୀଡ୍କୋ ଏବଂ ଓପିଟିସିଏଲକୁ ହଜାର ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ଏ ନେଇ ନା ଓଇଆରସି ନା ରାଜ୍ୟ ସରକାର କେହି ବି ମୁହଁ ଖୋଲୁନାହାନ୍ତି।