ପ୍ରଫେସର୍ ବାସୁଦେବ ସାହୁଙ୍କ ପଞ୍ଚଦଶ ଶ୍ରାଦ୍ଧବାର୍ଷିକୀରେ ସ୍ମାରକୀ ୱେବିନାର୍

0
186

 

ବ୍ରହ୍ମପୁର,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବିଶିଷ୍ଟ ଭାଷାତତ୍ତ୍ୱବିତ୍, ବିଦ୍ୱାନ ସମାଲୋଚକ, ପ୍ରାଜ୍ଞ ଗବେଷକ, ଓଡ଼ିଆ ଭାଷା-ସାହିତ୍ୟର ସ୍ୱନାମଧନ୍ୟ ପ୍ରଫେସର୍ ବାସୁଦେବ ସାହୁଙ୍କ ପଞ୍ଚଦଶ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମାରକୀ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି l ପ୍ରଫେସର୍ ବାସୁଦେବ ସାହୁ ଗବେଷଣା ଓ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଅନ୍-ଲାଇନ୍ ସ୍ମୃତି ବକ୍ତୃତା କାର୍ଯ୍ୟକ୍ରମରେ ପରିଷଦର ସଭାପତି ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର୍ ପ୍ରେମାନନ୍ଦ ମହାପାତ୍ର ପୌରୋହିତ୍ୟ କରି ଗୁରୁଣାଂ ଗୁରୁ ପ୍ରଫେସର୍ ବାସୁଦେବ ସାହୁଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ବିବିଧ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ସ୍ମାରକୀ ୱେବିନାରରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରାକ୍ତନ ପ୍ରଫେସର୍ ନାରାୟଣ ସାହୁ ମୁଖ୍ୟଅତିଥି ଭାବେ ସଂଯୁକ୍ତ ହୋଇ ଓଡ଼ିଶାର ସାରସ୍ୱତ ଜଗତକୁ ପ୍ରଫେସର୍ ବାସୁଦେବ ସାହୁଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ରୂପେ ସଦ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦେଇ ପ୍ରଫେସର୍ ବାସୁଦେବ ସାହୁଙ୍କ ମହନୀୟ ବ୍ୟକ୍ତିତ୍ୱ ଓ ସାହିତ୍ୟିକ କୃତିତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝା ୱେବିନାରରେ ସଂଯୁକ୍ତ ହୋଇ ପ୍ରଫେସର୍ ବାସୁଦେବ ସାହୁଙ୍କ ସର୍ଜିତ ୩୧ଟି ଉପାଦେୟ ଗ୍ରନ୍ଥ ସମ୍ପର୍କରେ ଉଲ୍ଲେଖ ପୂର୍ବକ ତାଙ୍କର ଭାଷା-ବୈଜ୍ଞାନିକ ଦୃଷ୍ଟି, ଓଡ଼ିଆ ଭାଷାତତ୍ତ୍ୱ ଓ ଭାଷାବିଜ୍ଞାନ ଅନୁଶୀଳନରେ ମୌଳିକତା କିଭଳି ତାଙ୍କ ରଚିତ ପାଞ୍ଚଟି ଭାଷାବିଜ୍ଞାନ ସମ୍ପର୍କିତ ଗ୍ରନ୍ଥରେ ପ୍ରତିପାଦିତ ହୋଇଛି, ସେ ବିଷୟରେ ବ୍ୟାଖ୍ୟା କରିଥିଲେ l
ଏହି ସ୍ମାରକୀ ୱେବିନାରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରାକ୍ତନ ପ୍ରଫେସର୍ ସଂଘମିତ୍ରା ମିଶ୍ର, ଆୟକର ବିଭାଗର କମିଶନର୍ ସନ୍ତୋଷ କୁମାର ସାହୁ, ଡ.ସୌଭାଗ୍ୟ କୁମାର ସାହୁ, ଡ.ବେଣୁଧର ଦାସ, ସ୍ତମ୍ଭକାର ସୌମେନ୍ଦ୍ର ଜେନା, ଡ. ଜ୍ୟୋତ୍ସ୍ନାମୟୀ ରାଉତ, ଡ. ମଦନ ବେହେରା, ଡ. ଇତିଶ୍ରୀ ଦାଶ ପ୍ରମୁଖ ସଂଯୁକ୍ତ ହୋଇ ପ୍ରଫେସର୍ ସାହୁଙ୍କ ସ୍ମୃତି ପ୍ରତି ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ l
ଗବେଷଣା ଓ ସ୍ମୃତି ପରିଷଦର ସମ୍ପାଦକ ଡ. ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମାରକୀ ୱେବିନାରରେ ପ୍ରଫେସର୍ ସାହୁଙ୍କ ସୁକନ୍ୟା ଡ. ଶାଶ୍ଵତୀ ସୌମ୍ୟା ସାହୁ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ସୁଧନ୍ୟା ସାହୁ ଓ ସୁପୁଣ୍ୟା ସାହୁ ସ୍ତୂତିପାଠ କରିବା ସହ ବୈଷୟିକ ସହଯୋଗ କରିଥିଲେ l ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଫେସର୍ ସାହୁଙ୍କ ଅନେକ ଛାତ୍ର, ଗବେଷକ, ଶୁଭେଚ୍ଛୁ ଓ ସାହିତ୍ୟିକ ସଂଯୁକ୍ତ ହୋଇଥିବା ବେଳେ ଶେଷରେ ଅଧ୍ୟାପକ ସୁଧାମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here