ବୁଗୁଡା,୦୨/୦୮/୨୦୨୦: ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ସାମ୍ବାଦିକ ସୀମାଞ୍ଚଳ ପଣ୍ଡାଙ୍କ କରୋନା ପଜିଟିଭ ଚିହ୍ନଟ ପରେ ମୃତ୍ୟୁ ବରଣ କରିଥିବା ଯୋଗୁଁ ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସ୍ବର୍ଗତ ପଣ୍ଡିତ ସୀମାଞ୍ଚଳ ପଣ୍ଡା ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ, ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ପତ୍ରିକା “ନବୀନ” ର ବୁଗୁଡା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। କରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକ ସ୍ୱର୍ଗତ ସୀମାଞ୍ଚଳ ପଣ୍ଡା ଗତ ୧୩/୭/୨୦ ତାରିଖ ସୋମବାର ୮ ଘଣ୍ଟା ସମୟରେ ବ୍ରହ୍ମପୁର ମେଡ଼ିକାଲରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ତାଙ୍କର ଏକମାତ୍ର ପୁଅଙ୍କର କରୋନା ଲକ୍ଷଣ ଦେଖାଦେବା ଯୋଗୁଁ ବ୍ରହ୍ମପୁର ଚିକିତ୍ସା ପାଇଁ ନେବାବେଳେ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ସ୍ବର୍ଗତ ସାମ୍ବାଦିକ ସୀମାଞ୍ଚଳ ପଣ୍ଡାଙ୍କ ବିଧବା ପତ୍ନୀ, ବିଧବା ବୋହୁ ଓ ୧୪ ମାସର ଏକ ନାତି ନିଃସହାୟ ଅବସ୍ଥାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ନବୀନ ପତ୍ରିକା ପକ୍ଷରୁ ସାମ୍ବାଦିକ ସୀମାଞ୍ଚଳ ପଣ୍ଡାଙ୍କ ପାଇଁ ସୀମିତ ପରିମାଣର ବୀମା ଭୁକ୍ତ କାରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ସହାୟତା ରାଶି ତାଙ୍କ ପରିବାରକୁ ମିଳିପାରି ନାହିଁ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପ୍ରକାରେ ସାମ୍ବାଦିକ ସୀମାଞ୍ଚଳ ପଣ୍ଡାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।
ରିପୋର୍ଟ: ଅନିଲ କୁମାର ମହାରଣା