ନିଜ ଭିଟାମାଟିରେ ପାଦ ଦେଲେ ଦୟା ଭୁୟାଁ ଓରଫ ଜଗପତି କାର୍ଯୀ ଦୀର୍ଘ ୩୫ ବର୍ଷ ପରେ

0
152

ପାରଳାଖେମୁଣ୍ଡି, ୨୯/୦୮/୨୦୨୦(ପ୍ରଭାତ କୁମାର ପାତ୍ର ) ନିଜ ଭିଟାମାଟିରେ ପାଦ ଦେଲେ ଦୟା ଭୁୟାଁ ଓରଫ ଜଗପତି କାର୍ଯୀ। ଦୀର୍ଘ ୩୫ ବର୍ଷ ପରେ ନିଜ ଆତ୍ମୀୟଙ୍କ ନିକଟରେ ପହଞ୍ଚିଛନ୍ତି ଦୟା। ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନାରେ ସାମିଲ କରି ଦୟାଙ୍କୁ ଓଡ଼ିଶାକୁ ଆଣିବା ପ୍ରୟାସ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ସୁଦୂର ଅରୁଣାଚଳ ପ୍ରଦେଶରୁ ସାଥୀରେ ନେଇ ଆସିଲେ ଗଜପତିକୁ।
-ଅସହାୟ ଅବସ୍ଥାରେ ଅରୁଣାଚଳ ପ୍ରଦେଶର ଲୋୟର ସୁଵାନସାରୀ ଜିଲ୍ଲା ଜିରୋ ମାର୍କେଟ ଅଞ୍ଚଳର ଏକ ଜଙ୍ଗଲରେ ରହିଥିଲେ ଦୟା ଓରଫ ଜଗପତି। ଜଙ୍ଗଲ ଭିତରେ ପଥର କୋରଡରେ କାଠ ତିଆରି କୁଡ଼ିଆରେ ଏକାକୀ ରହୁଥିବା ଦେଖି, ଲକଡାଉନ ସମୟରେ ତାଙ୍କୁ ଖାଦ୍ୟ ଯୋଗାଉଥିଲେ ସେଠାକାର ଜଣେ ଶିକ୍ଷକ ରୁଗୁଆମା। ତାଙ୍କ ପରିଚୟ ପାଇ ନିଜ ଗାଁକୁ ଫେରିବା ଆଗ୍ରହ ଦେଖି ଶିକ୍ଷକ ଜଣକ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ କରିଥିଲେ। ଏହାକୁ ଗୁରୁତ୍ବ ସହ ନେଇଥିଲେ ଜିଲ୍ଲାପାଳ ଅନୁପମ ସାହା। ପ୍ରବାସୀ ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ମୋ ପରିବାର ସହ ଯୋଗାଯୋଗ କରି ବା ସହ ଦୟାଙ୍କ ନିଜ ଗାଁ ରାୟଗଡ଼ ବ୍ଲକ, ତାଳମଣ୍ଡା ପଞ୍ଚାୟତ ଅବାରସିଂର ଭାଇ ସୁକୁ ଭୁୟାଁ ଓ ଭଉଣୀ ମଙ୍ଗଳା ଭୁୟାଁ ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।
ପରିବାର ପକ୍ଷରୁ ପୁତୁରା ମୁକୁନ୍ଦ ଭୁୟାଁଙ୍କୁ ସାଥୀରେ ନେଇ ଦୟାଙ୍କୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାହାରିଥିଲେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ। ଅରୁଣାଚଳ ପ୍ରଦେଶରେ ପହଞ୍ଚି ସେଠାକାର ପ୍ରଶାସନ ସହ ଆଲୋଚନା କରି ଦୟାଙ୍କୁ ଫ୍ଲାଇଟ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହିଞ୍ଚିବା ପରେ ଆଜି ନିଜ ଜନ୍ମଭୂମି ଗଜପତି ଜିଲ୍ଲାରେ ପାଦ ଦେଇଛନ୍ତି। ଏବଂ ଆତ୍ମୀୟଙ୍କ ନିକଟରେ ପହଞ୍ଚି ଏକ ନୂତନ ଜନ୍ମ ପାଇଥିବା କହିଛନ୍ତି ଦୟା ଭୁୟାଁ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ଦୟାକୁ ଫେରି ପାଇ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଦୟାକୁ ସୁନ୍ଦର ଭାବେ ଫେରାଇ ଆଣି ଜିଲ୍ଲା ପ୍ରଶାସନ ଏକ ବଡ଼ ମହାନତାର ପରିଚୟ ସୃଷ୍ଟି କରିଥିବା କହିଛନ୍ତି ବୁଦ୍ଧିଜୀବି। ଏଥିପାଇଁ ଜିଲ୍ଲାପାଳ ଅନୁପମ ସାହାଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ଦୟାର ଥଇଥାନ ଓ ଜୀବନଜୀବିକା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅନୁପମ ସାହା।

LEAVE A REPLY

Please enter your comment!
Please enter your name here