ନୂଆଦିଲ୍ଲୀ,୩୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ୟ ସରକାରମାନେ କୌଣସି ପରସ୍ଥିତିରେ ମନଇଛା ଲକଡାଉନ୍ ନିର୍ଦ୍ଦେଶ ଜାରି କରିପାରିବେନି। ଲକଡାଉନ୍ କଟକଣା ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହ ଯୋଗାଯୋଗ କରି ଅନୁମତି ନେବାକୁ ହେବ। କେବଳ କଣ୍ଟେନମେଣ୍ଟ ଜୋନରେ ପ୍ରଶାସନ ଲକଡାଉନ୍ ଜାରି କରିପାରିବେ। ଏପରିକି କେନ୍ଦ୍ରର ଅନଲକ୍ ୪ର ମାର୍ଗଦର୍ଶିକାକୁ ମଧ୍ୟ ରାଜ୍ୟ ସରକାର କଡ଼ାକଡ଼ି ପାଳନ କରିବେ। ଏହାକୁ ଏଡ଼ାଇ କେନ୍ଦ୍ରର ଅଗୋଚରରେ କୌଣସି କଟକଣା ଜାରି କରିବା କିମ୍ବା ନିଷ୍ପତ୍ତି ନନେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବାରଣ କରିଛି । ଆସନ୍ତା ପହିଲାରୁ ଦେଶରେ ଅନଲକ୍ -୪ କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ନୂଆ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର।
ସେପଟେମ୍ବର ୩୦ ଯାଏ ସ୍କୁଲ, କଲେଜ ବନ୍ଦ ରଖିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ତେବେ ବଡ଼କଥା ହେଲା କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିଛି। ମାତ୍ର ସର୍ତ୍ତ ରହିଛି ଏଗୁଡ଼ିକରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ। ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ସେଠାରେ ଥର୍ମାଲ ସ୍କାନିଂ କରାଯିବା ସହିତ ହାତ ଧୋଇବାକୁ ପଡ଼ିବ ନଚେତ ସାନିଟାଇଜର ବ୍ୟବହାର କରିବାକୁ ହେବ। ସେପଟେମ୍ବର ୨୧ରୁ ଏହା କିନ୍ତୁ ଲାଗୁ ହେବ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଏଥିପାଇଁ କେବଳ ଅନୁମତି ମିଳିବ।
ତେବେ ଦେଶରେ ଅନଲାଇନ ଶିକ୍ଷାଦାନ ଜାରି ରହିବ। ଏଥିପାଇଁ ୫୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବେ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ପାଠ ବୁଝିବାକୁ ସ୍କୁଲ ଯାଇପାରିବେ । ଏଥିପାଇଁ ଅଭିଭାବକଙ୍କ ଅନୁମତି ସାଙ୍ଗରେ ନେବାକୁ ହେବ । ଦକ୍ଷତା ତାଲିମ କେନ୍ଦ୍ର ଓ ଆଇଟିଆଇ ଖୋଲିପାରିବ। ପିଏଚ୍ଡି କରୁଥିବା ଏବଂ ବୈଷୟିକ ଛାତ୍ରଛାତ୍ରୀମାନେ ପରୀକ୍ଷାଗାରକୁ ଆସି କାମ କରିପାରିବେ। ଏସବୁ ଆସନ୍ତା ୨୧ରୁ ଲାଗୁ ହେବ ।
ସେହିଭଳି ଅନ୍ତରାଷ୍ଟ୍ରୀୟ ଉଡାଣ, ସିନେମା ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଓ ଥିଏଟର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ସ୍ତରରେ ଦିଆଯାଇଥିବା ନିର୍ଦ୍ଦେଶ ସମସ୍ତଙ୍କୁ ମାନିବାକୁ ପଡ଼ିବ। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। ଦୋକାନରେ ମଧ୍ୟ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିବାକୁ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ନଜର ରଖିବ। ୬୫ ବର୍ଷରୁ ଊଦ୍ଧ୍ୱର୍ ଓ ୧୦ ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅତି ଜରୁରୀ ନଥିଲେ ବାହାରକୁ ବାହାରିବାକୁ ବାରଣ କରାଯାଇଛି।
କରୋନା ମହାମାରୀ ସହ ସତର୍କ ଓ ସାବଧାନର ସହ ବଞ୍ଚିବାକୁ ହେବ। ଏଥିପାଇଁ ଜୀବିକା ସହ ଅର୍ଥନୀତିକୁ ଆଗକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସେପଟେମ୍ବର ପହିଲାରୁ ଅନଲକ୍ ୪ ଲାଗୁ ହେବାକୁ ଯାଉଥିଲା ବେଳେ କେନ୍ଦ୍ର କଟକଣାରେ ବହୁ କୋହଳ ଆଣିଛି ।