ନୟାଗଡ,୦୬/୦୯/୨୦୨୦ : କୁମାର ସାହେବ ନାମରେ ସୁପରିଚିତ କନ୍ଧମାଳର ପୂର୍ବତନ ସାଂସଦ ସ୍ବର୍ଗତ ହେମେନ୍ଦ୍ର ସିଂହଙ୍କ ଷଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ଇତି ମଧ୍ୟରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଅଛି । ଏହି ଅବସରରେ ଦଣ୍ଡୋର ପାଣିଷଣ୍ଢ ମନ୍ଦିର ପ୍ରାଙ୍ଗଣରେ ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେଏକ ସ୍ମୃତିସଭା ଅନୁଷ୍ଠିତ ହୋଇଅଛି । ନୟାଗଡ଼ ବିଜେପିର ଯୁବ ନେତୃତ୍ୱ ଶ୍ରୀ ସନ୍ତୋଷ ପ୍ରଧାନ ଉକ୍ତ ସ୍ମୃତିଚାରଣ ସଭାରେ ପୌରହିତ୍ୟକରି କୁମାର ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ବଳିଷ୍ଠ ନେତୃତ୍ୱ , ବ୍ୟକ୍ତିତ୍ୱ ଏବଂ ପ୍ରଗତିଶୀଳ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। କୁମାର ସାହେବଙ୍କ ଚିନ୍ତା ଚେତନା ଓ ଉନ୍ନତି ପରିକଳ୍ପିତ ସମୃଦ୍ଧ ନୟାଗଡ଼ ଗଠନ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେଲେ ହିଁ ତାହା ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀଯୁକ୍ତ ପ୍ରଧାନ ମଞ୍ଚାସୀନ ସଭାରେ ନିଜର ବକ୍ତବ୍ୟ ରଖିଥିଲେ।
ଅନୁଷ୍ଟିତ ଏହି ସ୍ମୃତିଚରଣ ଶ୍ରାଦ୍ଧ ବାର୍ଷିକୀ ସଭାରେ କନ୍ଧମାଳର ପ୍ରାକ୍ତନ ସାଂସଦ ତଥା ସ୍ବର୍ଗତ କୁମାର ସାହେବଙ୍କ ଧର୍ମପତ୍ନୀ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ସପରିବାରେ ଯୋଗଦେଇ ସାମାଜିକ ଦୂରତ୍ୱ ରଖି ଉପସ୍ଥିତ ଥିବା ଶତାଧିକ ସାଧାରଣ ଜନତାଙ୍କୁ ଭ୍ରଷ୍ଟାଚାର ମୁକ୍ତ , ଭୟମୁକ୍ତ ବିକଶିତ ନୟାଗଡ଼ ଗଠନ ନେଇ କୁମାର ସାହେବଙ୍କ ଥିବା ଅଧୁରା ସ୍ୱପ୍ନକୁ ସାକାର କରିବାକୁ ନିଜେ ପ୍ରତିଶ୍ରୁତିବଦ୍ଧ ଥିବା ନେଇ ଅନୁଷ୍ଟିତ ସ୍ମୃତିସଭାରେ ନିଜର ବକ୍ତବ୍ୟ ରଖିଥିଲେ। ସେ ସର୍ବଦା ନୟାଗଡ଼ ବାସୀଙ୍କ ସହିତ ଅଛନ୍ତି ଓ ସର୍ବଦା ରହିବା ନେଇ ପୁନରପି ଦୋହରାଇଥିଲେ । ସଭାସଦ୍ ବର୍ଗଙ୍କ ସହ ଓଁ କାର ଧ୍ୱନି ପରେ ସ୍ବର୍ଗତ କୁମାର ସାହେବଙ୍କ ଉଦ୍ଧେଶ୍ୟରେ ଏକ ମିନିଟ ସମୟ ନିରବ ପ୍ରାର୍ଥନା କରିଥିଲେ । ପ୍ରଦୀପ ପ୍ରଜ୍ବଳନ ସହ ହୁଳହୁଳି ଶବ୍ଦରେ ସ୍ମୃତି ସଭା ଉଛୁଳି ଉଠିଥିଲା।
ଉପସ୍ଥିତ ସଭାସଦ ବୃନ୍ଦ ମୁଖା ବ୍ୟବହାର କରିଥିଲେ ହେଁ ସଚେତନତା ଉଦ୍ଦେଶ୍ୟରେ ପୁଣିଥରେ ମୁଖା(ନୋଜ ମାସ୍କ) ବଣ୍ଟନ କରାଯାଇଥିଲା । କୁମାର ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ କର୍ତ୍ତବ୍ୟ ପରାୟଣ ଓ କର୍ମଠ ଗୁଣର ଅବତାରଣା କରାଇ ପାଣ୍ଡେରୀପଡାର ସର୍ବଶ୍ରୀ ଜଗନ୍ନାଥ ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ମନ୍ଦିର ପରିସର ସଫାସୁତୁରା କାର୍ଯ୍ୟ ସମ୍ପାଦନ କରିଥିଲେ।
ନୟାଗଡ଼ ଜିଲ୍ଲାର ସଦର , ହନୁମାନ ମନ୍ଦିର ପ୍ରାଙ୍ଗଣ , ଶରଧାପୁର ପଞ୍ଚାୟତ , ମଶାବାରି ସମେତ ରଣପୁର , ଖଣ୍ଡପଡା ଏବଂ ଦଶପଲ୍ଲା ଆଦି ସ୍ଥାନରେ ସ୍ବର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ସ୍ମୃତିରେ ଏଭଳି ସ୍ମୃତିସଭାମାନ ଆୟୋଜିତ ହୋଇଥିଲା।
ରିପୋର୍ଟ – ରବୀନ୍ଦ୍ର ପ୍ରଧାନ