ବ୍ରହ୍ମପୁର , ୦୭/୦୯/୨୦୨୦ :
ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ଅଡବା ପୋଲିସ୍ ଥାନା ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବାହାରକୁ ଚାଲାଣ କରାଯାଉଥିବା ଏକ ବୋଲେରକୁ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଜବତ ବୋଲେରୋ ରେ ନଂ – ଓ ଡି ,୦୭ ଏଡି -୧୯୧୩ ପୀକପ୍ ମଧ୍ୟରୁ ୧୬୨୯ କେ ଜି ଗଞ୍ଜେଇ ଜବତ କରାଯାଇଅଛି ।
ମିଳିଥିବା ସୂଚନା ପ୍ରକାରେ କୌଣସି ସୂତ୍ରରୁ ଅଡବା ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନିର୍ଭରଯୋଗ୍ୟ ଖବର ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର୍ ପଟ୍ଟନାୟକ ଅଡବା ଥାନାକୁ ସଜାଗ ରହିବାକୁ ନିର୍ଦ୍ଧେଶ ଦେଇଥିଲେ । ଏସ୍ ପି ଙ୍କ ଆଦେଶ ପ୍ରକାରେ ଥାନା ଏସ ଆଇ ଚନ୍ଦନ ଦାସଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ପୋଲିସ୍ ବାହିନୀ ରାତ୍ରୀକାଳୀନ ପଇନ୍ତରା ସମୟରେ ଚୁଡାଙ୍ଗପୁର – କେଶରିଗୁଡା ଛକ ନିକଟରୁ ଗଞ୍ଜେଇବାହୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ ।ଗାଡିରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ ଅଟକ ବୋଲେରୋ ସହିତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଅଛି ।ଅଟକ ଦୁଇ ଜଣ ଗଞ୍ଜାମ ପାଟପୁର ଥାନା କଂସମାରି ଗ୍ରାମର ସାଲୁଡୁ ଦିଲେଶୁ ଦୋରା (୩୧) ଏବଂ ଧରମପୁର ଗ୍ରାମର ସନ୍ତୋଷ ସାହୁ(୨୩) ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବାନେଇ ଆକଳନ କରାଯାଇଛି । ଜବତ ସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୋହନା ବିଡ଼ିଓ ଶ୍ରୀ ବଂଶୀଧର ଖୋସଲା ଦାୟିତ୍ଵ ନିଭାଇଥିବା ବେଳେ ଉପଖଣ୍ଡ ପୋଲିସ୍ ଅଧିକାରୀ ଅନିଲ କୁମାର୍ ପ୍ରଧାନ ଗଞ୍ଜେଇ ଧରପଗଡ ଓ ଜବତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ ।
ରିପୋର୍ଟ – ସନ୍ତୋଷ କୁମାର ଦାଶ