ବ୍ରହ୍ମପୁର,୦୭/୦୯/୨୦୨୦ : ସମ୍ପ୍ରତି ଗଞ୍ଜେଇ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଥିବା ଗଜପତି ଜିଲ୍ଲା ଅନ୍ତର୍ଜାତୀୟ ନିଶା ବଜାରରେ ନିଜର ନାଁ କୁ ପାରମ୍ପରିକ ଭାବରେ ପ୍ରତିଷ୍ଠା କରିଅଛି ।ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ପରିବେଷ୍ଟିତ ଘଞ୍ଚ ଜଙ୍ଗଲରେ ରୀତିମତ ଭାବରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ତଥା ପୋଲିସ୍ ଓ ଅବକାରୀ ବିଭାଗର ନାକ ନିଶ ତଳେ ନିର୍ବିକାର ଭାବରେ ମାଫିଆ ଗୋଷ୍ଠୀ ଗଞ୍ଜେଇ ଚାଷ କରୁଥିବା ବେଳେ ପ୍ରଶାସନ ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜୁଅଛି । ଅନ୍ୟ ପକ୍ଷରେ ମାସିଆରି ଧାର୍ଯ୍ୟ ପାଉଣା ଏବଂ ମାଫିଆଙ୍କ ଗୋଷ୍ଠୀ କନ୍ଦଳର ଫାଇଦା ନେଇ କିଛି ଗାଡି ମୋଟର ଯାଞ୍ଚ୍ କରି ବିଭାଗର ନାଁ କୁ ରୋଷନ କରୁଥିବା ଦେଖାଯାଉଛି । ମୋହନା , ଅଡବା , ଆର୍ ,ଉଦୟଗିରି , ନଳାଘାଟ୍ ଆଦି ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଅବାଧ୍ୟ ଗଞ୍ଜେଇ ଚାଷ ସହ ବ୍ୟବସାୟ ଚାଲୁଥିଲେ ମଧ୍ୟ ବିଭାଗ ପୁସମାସ ନ୍ୟାୟରେ ନିଜ ପାକେଟ ଗରମ କରୁଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଗହଣରେ ଆଲୋଚନା କରାଯାଉଛି । ଅନ୍ୟ ପକ୍ଷରେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଦୁର୍ଭାବ ସ୍ଥିତାବସ୍ଥାରେ ଥିବା ଜଣାଯାଇଛି ।ଅଭିଜ୍ଞ ମହିଳା ଆଇ ପି ଏସ ସାରା ଶର୍ମାଙ୍କ ବଦଳି ପରେ ଜିଲ୍ଲାରେ ନୂଆଁକରି ଯୋଗଦେଇଥିବା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ କଡା ତାଗିଦ୍ , ମୋହନା ଓ ଅଡ଼ବା ପୋଲିସର ଜୋରଦାର ପାଟ୍ରୋଲିଙ୍ଗ ଦ୍ୱାରା କରୋନା ଜନିତ ଲକ୍ ଡାଉନ୍ ଅବଧିରେ କୋଟିଏ ଟଙ୍କାରୂ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଗାଡ଼ି ଓ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ କିଛି ମାଫିଆଙ୍କ ଦ୍ଵାରା ପ୍ରଶାସନିକ ଗଳାବାଟ ଦେଇ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ତଥ୍ୟ ରହିଅଛି ।
ଅନ୍ୟ ପକ୍ଷରେ ଜିଲ୍ଲା ଅବକାରୀ ବିଭାଗ ଗଞ୍ଜେଇ ବଟା ପିଇ ନିଘୋଡ଼ ନିଦରେ ଶୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଗଞ୍ଜେଇ ଧର ପଗଡ ଯୋଜନା ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ନିଦ ହଜେଇଥିବା ଲକ୍ଷ କରାଯାଇଛି ।
ଘଟଣାକ୍ରମରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ସମୟରେ ମୋହନା ଥାନା ଅନ୍ତର୍ଗତ ପଥରଗଡ଼ ଗ୍ରାମରେ ଏକ ଗଞ୍ଜେଇ ଗାଡ଼ିକୁ ବାଟ କଢାଇ ନେଉଥିବା କାର ନମ୍ବର ଡ଼ିଏଲ- ୦୩ ସିବିଜି ୫୭୫୮ ସହିତ ଏକ କଦଳୀ ବୋଝେଇ ଟ୍ରକ ନମ୍ବର ୟୁପି- ୮୬ଟି, ୪୫୨୦ କୁ ପୋଲିସ ସନ୍ଦେହରେ ଅଟକାଇ ଥିଲେ | ଟ୍ରକ ମଧ୍ୟରୁ ଯାଞ୍ଚ ବେଳେ ୫୩୦ କିଲୋ ଗଞ୍ଜେଇ ଜବତ ହେବାସହ ଗଞ୍ଜେଇ ମାଫିଆ ଉତ୍ତର ପ୍ରଦେଶ ରାଜ୍ୟ ଆଗ୍ରା ଜିଲ୍ଲାର ନୁର ଇସଲାମ , ନାସିରୁଦିନ ଖାନ , ଗୁଲସନ ମଲିକ , ବିଜୟ ସିଂକୁ ଗିରଫ କରିଥିଲେ | ପୋଲିସର ତଦନ୍ତରେ ଏମାନେ ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁରୁ ଗ୍ରାମରୁ ଗଞ୍ଜେଇ ସଂଗ୍ରହ କରି ଆଇଚେର ଗାଡ଼ିରେ ଆଗ୍ରା ନେଉଥିବା ନେଇ ଥାନାଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି |ମୋହନା ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସଂଘମିତ୍ରା ଦେବୀଙ୍କ ଉପସ୍ଥିତରେ ଗଞ୍ଜେଇ ଜବତ କରାଯିବା ସହ ଗିରଫ ହୋଇଥିବା ଚାରିଜଣଙ୍କ ବିରୋଧରେ ଥାନା କେଶ୍ ନଂ ୧୩୭ /୨୦ ପ୍ରକାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ମାମଲାର ତଦନ୍ତକାରୀ ଅଧିକାରୀ ଭାବରେ ଏସ ଆଇ ସିନ୍ଧୁ ସାରକା ତଦନ୍ତ ଭାର ନେଇଥିବ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ – ସନ୍ତୋଷ କୁମାର ଦାଶ