ନୂଆଦିଲ୍ଲୀ,୧୭/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍କୁ ମିଳିଲା ୮୬୨ କୋଟି ଟଙ୍କାର ଠିକା। ଟାଟା ବ୍ୟତିରେକେ, ଦ୍ବିତୀୟ ସର୍ବନିମ୍ନ ଟେଣ୍ଡର୍ ଥିଲା ଲର୍ସନ୍ ଆଣ୍ଡ ଟବ୍ରୋର। ଲର୍ସନ୍ ଆଣ୍ଡ ଟବ୍ରୋ ଦାଖଲ କରିଥିବା ଟେଣ୍ଡର୍ର ମୂଲ୍ୟ ଥିଲା ୮୬୫ କୋଟି ଟଙ୍କା। କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ‘ସିପିଡବ୍ଲୁଡି’ କରିଥିବା ମୂଳ ଆକଳନ ଅନୁସାରେ, ସଂସଦ ଭବନର ନିର୍ମାଣ ମୂଲ୍ୟ ପ୍ରାୟ ୯୪୦ କୋଟି ଟଙ୍କା ହୋଇପାରେ।
ସଂସଦ ଭବନ ନିର୍ମାଣ ନିମନ୍ତେ ଠିକା ପାଇଥିବା କଥା ଟାଟା ଗ୍ରୁପ୍ ସୁନିଶ୍ଚିତ କରିଛି। ଏକ ବିବୃତିରେ ଟାଟା କହିଛି ଯ, ନୂଆ ସଂସଦ ଭବନ ପ୍ରକଳ୍ପ ଲାଗି ‘ଟାଟା ପ୍ରୋଜେକ୍ଟ୍ ଲିମିଟେଡ୍’ ସର୍ବନିମ୍ନ ଟେଣ୍ଡର୍ଧାରୀ ହୋଇଥିବା କଥା ଜଣାଇ ଆମେ ଆନନ୍ଦିତ।
ଟାଟା ଆହୁରି ମଧ୍ୟ କହିଛି ଯେ, ସରକାରୀ ଆକଳନ ହିସାବରେ ନୂଆ ସଂସଦ ଭବନ ନିର୍ମାଣରେ ୯୪୧ କୋଟି ଟଙ୍କା ବ୍ୟୟ ହେବ।
ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ନୂଆ ସଂସଦ ଭବନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ଏ ବର୍ଷ ପ୍ରାରମ୍ଭରେ ନରେନ୍ଦ୍ର ମୋଦୀ ସରକାର ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ କରିଥିଲେ। ସରକାର କହିଥିଲେ ଯେ, ଏବକାର ସଂସଦ ଭବନ ପରିସର ମାତ୍ରାଧିକ ବ୍ୟବହାର ହୋଇ ଜରାଜୀର୍ଣ୍ଣତାର ଲକ୍ଷଣ ଦେଖା ଦେଲାଣି।