କ୍ଷୁଦ୍ର ଚଳଚ୍ଚିତ୍ର “କରୋନାର ଅବାଞ୍ଛିତ ଉପହାର” ଲୋକାର୍ପିତ

0
190

 

ବ୍ରହ୍ମପୁର,୧୧/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟସ୍ତରୀୟ କଳାକାର ସଂଗଠନ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ଏବଂ “ସୁପ୍ରଭା ଫିଲ୍ମ୍ ଇଣ୍ଡଷ୍ଟ୍ରି”ର ସମ୍ମିଳିତ ଉଦ୍ୟମରେ କ୍ଷୁଦ୍ର ଚଳଚ୍ଚିତ୍ର “କରୋନାର ଅବାଞ୍ଛିତ ଉପହାର” ଲୋକାର୍ପଣ ଉତ୍ସବ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ କଣ୍ଟେଇପଲ୍ଲୀ ସନ୍ନିକଟ ଉଖୁଡେଇ ପାହାଡ଼ର ପାଦଦେଶରେ ଥିବା ମା’ ଉଖୁଡେଇ କମ୍ୟୁନିଟି ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅବସପ୍ରାପ୍ତ ଅଧ୍ୟକ୍ଷ ଡ଼ଃ କୃତିବାସ ବିଶ୍ଵାଳ, ଅବସପ୍ରାପ୍ତ ଶିକ୍ଷାବିତ୍ ବନମାଳୀ ଲେଙ୍କା, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ କରୋନା କଟକଣା ଘେନି ଜୀବିକା ହରେଇ ବସିଥିବା କଳାକାର ସମାଜ ହତୋତ୍ସାହ ନ ହୋଇ କଟକଣା ହଟିବା ପର୍ଯ୍ୟନ୍ତ ରୋଜଗାର ପନ୍ଥାର ବିକଳ୍ପକୁ ଆପଣେଇ ନେବା ନିମନ୍ତେ ମାନସିକ ଖୋରାକର ପ୍ରେରଣାଦାୟୀ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିର ସାଫଲ୍ୟ ଦିଗନ୍ତର ତର୍ଜମା କରି ଚିତ୍ରନାଟ୍ୟ ରଚୟିତା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଓ ନିର୍ଦ୍ଦେଶକ ଜୟନ୍ତ ବେହେରାଙ୍କ ଭୂୟସୀ ପ୍ରଶଂସା କରିବା ସହ ମହାସଂଘର ଏଭଳି ଉଦ୍ୟମକୁ ସାଧୁବାଦ ଜ୍ଞାପନ କରିଥିଲେ । ବ୍ରଜ କିଶୋର ସ୍ୱାଇଁ ପ୍ରାରମ୍ଭିକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପରିଚାଳନା କ୍ରମେ ଚଳଚ୍ଚିତ୍ରଟିରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ବଣ୍ଟନ କରିଥିଲେ । ସଭାପତି ଡାକ୍ତର ସାହୁ ସର୍ବସାଧାରଣଙ୍କ ସଂଦର୍ଶନ ନିମନ୍ତେ ଶୁଭ ଉଦ୍ଘାଟନ କରିଥିଲେ । ପରିଶେଷରେ ଅଭିନେତା ଜୟକୃଷ୍ଣ ପଟ୍ଟନାୟକ ସାଙ୍ଗଠନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ କଳାକାରମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here