ବ୍ରହ୍ମପୁର,୧୬/୧୦/୨୦୨୦ : ଆଦିବାସୀ ଅଧ୍ୟୁଷିତ ତଥା ଗମନାଗମନ କ୍ଷେତ୍ରରେ ପଛୁଆ ଗଜପତି ଜିଲ୍ଲାର ପ୍ରମୁଖ ନିର୍ଭରଯୋଗ୍ୟ ଅଞ୍ଚଳଭାବେ ପରିଚିତ ମୋହନା ବ୍ଲକ୍ ସଦର ମହକୁମା ତଥା ଅଞ୍ଚଳର ସାମଗ୍ରିକ ବିକାଶ ଧାରାକୁ ନେଇ ମୋହନା ଉନ୍ନୟନ ପରିଷଦ ନିଜ ଉଦ୍ୟମ ଜାରି ରଖିଛି । ତିନୋଟି ଜିଲ୍ଲାର ଗମନାଗମନର ମାଧ୍ୟମ ଥିବା ସହିତ ଜିଲ୍ଲା ସୀମାନ୍ତରେ ଥିବା କାରଣକୁ ନେଇ ଅଞ୍ଚଳ ସର୍ବଦା ପ୍ରଶାସନର ଅଣଦେଖା ହେଉଥିବା ନେଇ ଅଭିଯୋଗ କରିବା ସହିତ ପରିଷଦ ପକ୍ଷରୁ ୧୧ ଦଫା ଦାବିସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରି ବ୍ରହ୍ମପୁର ସାଂସଦଙ୍କୁ ଅବଗତ କରିଅଛି । ବିସ୍ତୀର୍ଣ୍ଣ ଅଞ୍ଚଳ ପରିବେଷ୍ଟିତ ମୋହନା ବ୍ଲକର ସାମୁହିକ ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱାରୋପ କରିବା ସହିତ ଅଞ୍ଚଳ ସମସ୍ୟାର ସମାଧାନ ପାଇଁ ଆଜି ମିଳିତ ଭାବରେ ମୋହନା ଉନ୍ନୟନ ପରିଷଦ , ମହିଳା ସଂଘ କର୍ମକର୍ତ୍ତା , ନିର୍ମାଣ ଶ୍ରମିକ ସଂଘ ସହିତ ଅଞ୍ଚଳ ବୁଦ୍ଧିଜୀବି ସମୂହ ଉପସ୍ଥିତ ରହି ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଭେଟି ଦାବୀ ପୂରଣରେ ସହଯୋଗ ଲୋଡିଛନ୍ତି ।
ପ୍ରମୁଖ ଦାବୀ ଭାବରେ ମୋହନାକୁ ଏନ୍. ଏ. ସି ଘୋଷଣା କରିବା ସହ ରାଜସ୍ୱ ଉପଖଣ୍ଡର ମାନ୍ୟତା ପ୍ରଦାନ କରିବା । ହିଲଟପ୍ କଲେଜ ଠାରୁ ଏମ୍. କେ. ସି. ଜି ବିଦ୍ୟାଳୟ ପର୍ଯ୍ୟନ୍ତ ଦୁଇ ଥକିଆ ରାସ୍ତାର ବ୍ୟବସ୍ଥା ।ବଜାରର ଦୁଇପାର୍ଶ୍ଵରେ ଡ୍ରେନେଜ ବ୍ୟବସ୍ଥା ସହ ବଜାରରେ ସ୍ଵତନ୍ତ୍ର ଶୌଚାଳୟ ନିର୍ମାଣ , ସୁବନ୍ଦୋବସ୍ତ ପାନୀୟ ଜଳର ବ୍ୟବସ୍ଥା , ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ କାର୍ଯ୍ୟାଳୟର ଭିତ୍ତିଭୂମିର ଉନ୍ନତି ଆଣି ଆବଶ୍ୟକ ମତେ ନୂତନ ଆର୍. ଆଇ ଅଫିସ ଖୋଲିବା , ଟ୍ରାଫିକ ଓ ଜନଗହଳି ନିୟନ୍ତ୍ରଣ ଦୃଷ୍ଟିରୁ ନୂଆଁ ବସ୍ ଟର୍ମିନାଲ୍ ନିର୍ମାଣ କରିବା ସହିତ ସିଂହଦ୍ଵାର ,ଥାନା ଏବଂ ହାଇସ୍କୁଲ ଛକରେ ସ୍ଵତନ୍ତ୍ର ବିଶ୍ରମାଗାର ପ୍ରତିଷ୍ଠା , ସବ୍ ରେଜିଷ୍ଟର ଅଫିସକୁ ସର୍ବକାଳୀନ କାର୍ଯ୍ୟକ୍ଷମ କରାଇବା ।
ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ସପ୍ତାହିକ ଭାବରେ ୨ ଦିନ ଭ୍ରାମ୍ୟମାଣ ଅଫିସ କରିବା ଏବଂ ଆଇନ ଶୃଙ୍ଖଳାର ସୂ ବନ୍ଦୋବସ୍ତ ପାଇଁ ମୋହନାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଖୋଲିବା ନେଇ ଦାବି ରଖାଯାଇଛି ।
ମୋହନା ଉନ୍ନୟନ ପରିଷଦ ପକ୍ଷରୁ ସଭାପତି ଦଣ୍ଡାସି ସାହୁ, ଉପସଭାପତି ସୀମାଞ୍ଚଳ କାର୍ଯୀ,ସଂପାଦକ ରସାନନ୍ଦ ପାଣି, ଉପଦେଷ୍ଟା ମଧୁସୂଦନ ପାଢ଼ୀ, ସଭ୍ୟ ରବି ସାମନ୍ତରା, ଭିକାରୀ ନାୟକ ଓ ମହିଳା ସଂଘ ର ସଦସ୍ୟା ,ନିର୍ମାଣ ସଂଘ ସଭାପତିଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀ ଉପସ୍ଥିତିରେ ସାଂସଦ ମାହୋଦୟଙ୍କ ସହ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଅଛି ।
ସନ୍ତୋଷ କୁମାର ଦାଶ