ଭାଇରସ ଲଢେଇରେ ଭଲ ସ୍ଥିତିରେ ଅଛି ଭାରତ । ସୁସ୍ଥହାର ବଢିଛି, ମୃତ୍ୟୁହାର କମିଛି । ତଥାପି ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି

0
173

 

ନୂଆଦିଲ୍ଲୀ, ୨୦/୧୦/୨୦୨୦(ବ୍ୟୁରୋ ରିପୋର୍ଟ)
କରୋନା ମହାମାରୀ ଭିତରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୭ରୁ ୮ ମାସ ହେବ ଜାରି ରହିଥିବା କରୋନା ବିପକ୍ଷ ଲଢେଇରେ ଏବେ ଭଲ ସ୍ଥିତିରେ ଭାରତ ଅଛି ବୋଲି ମୋଦି କହିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଏପରିକି କରୋନା ପ୍ରଭାବିତ ଅନ୍ୟ ଦେଶ ତୁଳନାରେ ବେଶ ଭଲ ସ୍ଥିତିରେ ଭାରତ ରହିଥିବା କହିଛନ୍ତି ମୋଦି । ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୫୦୦ ଲୋକଙ୍କୁ କରୋନା ହେଉଥିବା ବେଳେ ମୃତ୍ୟୁହାର ୮୩ ରହିଛି । ସେହି ତୁଳନାରେ ଆମେରିକା ଓ ବ୍ରାଜିଲ ଭଳି ଦେଶ ଗୁଡିକରେ କରୋନାରେ ମୃତ୍ୟୁ ହାର ୬୦୦ରୁ ଅଧିକ ରହିଛି । କହିବାକୁ ଗଲେ ଦେଶରେ ମୃତ୍ୟୁହାର କମ ରହିଥିବା ବେଳେ ସୁସ୍ଥ ହାର ବଢିଛି । ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ଭାରତ। କରୋନା ମୁକାବିଲା ପାଇଁ ଏବେ ଭାରତରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୯୦ ଲକ୍ଷରୁ ଅଧିକ ବେଡ ଉପଲବ୍ଧ ରହିଥିବା ବେଳେ ଏବେ ଦେଶରେ କରୋନା ଭ୍ୟାକସିନ ଉପରେ ୨୦୦୦ରୁ ଅଧିକ ଲ୍ୟାବରେ ଗବେଷଣା ଚାଲିଛି । ଏପରିକି କିଛି ଭ୍ୟାକସିନକୁ ନେଇ ଆଶା ମଧ୍ୟ ସଞ୍ଚାର ହୋଇଛି । ଖୁବଶୀଘ୍ର ଦେଶରେ କରୋନା ଟେଷ୍ଟିଂ ୧୦ କୋଟି ପାର କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ପଟେ କରୋନାକୁ ମାତ୍ ଦେବାକୁ ଲଢେଇ ଜାରି ରହିଥିବା ବେଳେ ଅନ୍ୟପଟେ ଏବେ କରୋନାକୁ ନେଇ ଲୋକେ ଟିକିଏ ଖାମଖିଆଲି ହୋଇଯାଇଛନ୍ତି । ୟୁରୋପ ଓ ଅନ୍ୟ ରାଷ୍ଟ୍ରରେ କରୋନା ପୁଣିଥରେ ନିଜର କାୟା ବିସ୍ତାର କରିଛି । ତେଣୁ କରୋନା ଚାଲିଯାଇଛି କିମ୍ବା କରୋନାକୁ ନେଇ କୌଣସି ବିପଦ ନାହିଁ ବୋଲି ଭାବିବା ଉଚିତ୍ ନୁହେଁ । ଭ୍ୟାକସିନ ନ ଆସିବା ଯାଏଁ କରୋନା ଲଢେଇରେ କୌଣସି ଅବହେଳା କରିବା ଉଚିତ୍ ନୁହେଁ ବୋଲି ମୋଦି କହିଛନ୍ତି । ଏହାଦ୍ୱାରା ନିଜ ପରିବାର ସହ ଅନ୍ୟମାନଙ୍କୁ ମଧ୍ୟ ଆପଣ ବିପଦରେ ପକାଇ ପାରନ୍ତି । ତେଣୁ ପୂର୍ବଭଳି ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

LEAVE A REPLY

Please enter your comment!
Please enter your name here