ବ୍ରହ୍ମପୁର, ୨୩/୧୦/୨୦୨୦ : କଙ୍କୋରଡ଼ା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ପୀଠରେ ଶାରଦୀୟ ନବରାତ୍ର ପୂଜା ଇତି ମଧ୍ୟରେ ଅନୁଷ୍ଟିତ ହେଉଥିବା ଅବସରରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ପୀଠ ଉପସ୍ଥିତି ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଆଣିଛି ।ନିଜ କୂଳ ଇଷ୍ଟଦେବୀ ଭାବରେ ବିଧାୟକ ଶ୍ରୀ ଜେନାଙ୍କ ଉଥାନରେ ଭଗବତୀ ମାଁ ନାରାୟଣୀଙ୍କ ଅପାର କରୁଣା ରହୁଥିବାରୁ ମାଁ ଙ୍କ ପ୍ରତି ଆକୁଣ୍ଠ ବିଶ୍ୱାସ ରହିଥିବା ଜଣା ଯାଇଅଛି । ଏହି ଅବସରରେ ଆଜି ବିଧାୟକଙ୍କ ନିଜ ହାତପାଣ୍ଠିର ପ୍ରଥମ ବ୍ୟୟ ବରାଦ ଭିତ୍ତିରେ ଶକ୍ତିପୀଠର ବହୁଦିନରୁ ଆବଶ୍ୟକତା ଥିବା ହାଇମାକ୍ସ ଲାଇଟ୍ ସ୍ଥାପନ କରିଥିବା ଜଣାଯାଇଛି । ଆଜି ପବିତ୍ର ଦୁର୍ଗାଅଷ୍ଟମୀ ତିଥିରେ ବିଧାୟକ ନିଜ ପୂଜ୍ୟପିତାଙ୍କ ସହ ମନ୍ଦିର ଦର୍ଶନ କରିବା ସହିତ ପିତାଙ୍କ ଦ୍ଵାରା ହାଇମାକ୍ସ ଲାଇଟର ଉଦଘାଟନ କରିଛନ୍ତି । ନିଜ ଅଞ୍ଚଳ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ବିଧାୟକଙ୍କ ବାପା ଶ୍ରୀ ଅରକ୍ଷିତ ଜେନା ସୁଉଚ୍ଚ ଲୌହ ସ୍ତମ୍ଭ ସ୍ଥାପିତ ଉଚ୍ଚମାନର ଆଲୋକମାଳା ଖୁଣ୍ଟକୁ ଉନ୍ମୋଚନ କରିବା ସହ ସୁଇଚ ଟିପି ପ୍ରଥମ ଆଲୋକ ବିଚ୍ଛୁରିତ କରିଛନ୍ତି । ଅନୁଷ୍ଟିତ କାର୍ଯ୍ୟକ୍ରମରେ ମନ୍ଦିର କମିଟି , ପୂଜକ ମଣ୍ଡଳୀଙ୍କ ସହିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଅଛି । ବହୁଦିନ ଧରି ମାଁ ଙ୍କ ପୀଠର ଆବଶ୍ୟକତା ପୂରଣରେ ବିଧାୟକଙ୍କ ଭାବଧାରା ନେଇ ସାଧାରଣ ମହଲରେ ଆଲୋଚିତ ହେଉଅଛି ।
ସନ୍ତୋଷ କୁମାର ଦାଶ