ଛତ୍ରପୁର,୦୨/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଅଧିକାଂଶ ଦେଶରେ ଦ୍ବିତୀୟ ଏବଂ ତୃତୀୟ କୋଭିଡ୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଯାଇଛି । ଯାହାକି ଭିନ୍ନ ଧରଣର ପ୍ରବାହ ଏବଂ ଏହି ପ୍ରବାହ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖା ଦେଉଛି । ଯଦି ଏହି ପ୍ରବାହ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୁଏ ତେବେ ତାହାକୁ ସମ୍ଭାଳିବା କଷ୍ଟକର ହୋଇ ପଡିବ । ଭର୍ତ୍ତମାନ ଉନ୍ନୟନ କାର୍ଯ୍ୟ କରିବାର ସମୟ ଆସୁଛି । ଏହି ସମୟରେ ଯଦି ଦ୍ବିତୀୟ ପ୍ରବାହ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ ଏହାକୁ ପରିଚାଳନା କରିବା ଦିଗରେ ପୁଣି ସମସ୍ତ ପ୍ରଶାସନିକ ଶକ୍ତି ବିନିଯୋଗ ହେବ । ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବ । ଏଣୁ ପ୍ରବାହକୁ ରୋକିବା ଦିଗରେ ସତର୍କତା ହିଁ ମୁଖ୍ୟ ଆୟୁଧ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଏହି କଥା ଉଲ୍ଲେଖ କରିଛନ୍ତି । ଯେଉଁ ମାନଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି ସେମାନେ ମଧ୍ୟ ଏହି ନୂତନ ଭାଇରସ୍ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେ ପର୍ଯ୍ୟନ୍ତ ଟୀକା କିମ୍ବା ଔଷଧ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ନାହିଁ, ସେ ପର୍ଯ୍ୟନ୍ତ ପ୍ରଥମେ ସଚେତନତା କରାଯିବ ଏବଂ ଦ୍ବିତୀୟରେ ଚଢାଉ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ହାତ ଧୋଇବା ସାନିଟାଇଜର୍ ବ୍ୟବହାର କରିବା ଅଭ୍ୟାସ ଦ୍ବାରାହିଁ ଜିଲ୍ଲାବାସୀ ସଂକ୍ରମଣରୁ ବର୍ତ୍ତି ପାରିଛନ୍ତି । ଏହି ଅଭ୍ୟାସ ଜାରି ରଖିବାକୁ ହେବ, ସେଥି ସକାଶେ ସତର୍କ କରାଇବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ଜଣାଇଛନ୍ତି । ପଞ୍ଚସୂତ୍ରୀ ବିରକ୍ତିକର ଲାଗୁଛି କିନ୍ତୁ ତହାଦ୍ବାରା ଜନ ଜୀବନ ବିପଦମୁକ୍ତ ହେଉଛି । ଟେଷ୍ଟିଂ ସଂଖ୍ୟା ବୃଦ୍ଧି, ସୁପର ସ୍ପ୍ରେଡର୍ ଚିହ୍ନଟ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟିକ୍ଟ ଟ୍ରେସିଂ, ଗ୍ରାମ ପଞ୍ଚାୟତ ସ୍ତରରେ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ, ବଡ ଦୋକାନ କିମ୍ବା ମଲ୍ ଗୁଡିକରେ ଅକ୍ସି ମିଟର ଓ ଥର୍ମାଲ୍ ସ୍କ୍ରିନିଂ ସୁନିଶ୍ଚିତ କରିବା, କୋଭିଡ୍ ମନିଟର୍ ଓ କୋଭିଡ୍ ସଖୀ ପ୍ରଶିକ୍ଷଣ ଏବଂ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଇତ୍ୟାଦି ସମସ୍ତ ବିଷୟକୁ ପାଳନ ଦିଗରେ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଖୋଲାଯିବ ନାହିଁ I ବର୍ତ୍ତମାନ ପିକନିକ୍ ବା ବଣଭୋଜି ସମୟ ଏଣୁ ପିକନିକ୍ ସ୍ଥାନ ଗୁଡିକରେ ଗହଳିପୂର୍ଣ୍ଣ ବଣଭୋଜି, ମ୍ୟୁଜିକ୍ କୁ ଜିଲ୍ଲା ପ୍ରଶାସନ ଦ୍ବାରା ବାରଣ କରାଯାଇଛି । ପିକନିକ୍ ସ୍ଥାନକୁ ସ୍ବଳ୍ପ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଏହି କାର୍ଯ୍ୟରେ ତହସିଲଦାରଗଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଫୋନ୍ ନମ୍ବର ଜାରି କରାଯିବ ଯଦି ପିକନିକ୍ ସ୍ପଟ୍ ରେ ଗହଳିପୂର୍ଣ୍ଣ ବାତାବରଣ ଦେଖାଯାଉଛି, କୋଭିଡ୍ ନିୟମର ପାଳନ ହେଉ ନାହିଁ ତେବେ ଜନ ସାଧାରଣ ଉକ୍ତ ନମ୍ବରକୁ ଫୋନ୍ କରି ଜଣାଇପାରିବେ ।
ସରକାରୀ ଅଧିକାରୀଗଣ ୫୦ପ୍ରତିଶତ ସମୟ କାର୍ଯ୍ୟାଳୟରେ ରହି ୫୦ ପ୍ରତିଶତ ସମୟ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସକାଶେ ଫିଲ୍ଡ ଭିଜିଟ୍ କରିବାକୁ କୁହାଯାଇଛି । ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ତାହାର ଉପଯୋଗ ଯେପରି ଶତପ୍ରତିଶତ ହେବ ତାହାକୁ ନେଇ ପରିଚାଳନା କରିବାକୁ ଜିଲ୍ଲାପାଳ ଜଣାଇଛନ୍ତି । ଜିଲ୍ଲାରେ ଥିବା ୨୪ ଗୋଟି ଆହାର କେନ୍ଦ୍ର ଆଜିଠାରୁ ଆରମ୍ଭ କରାଯାଇଛି । ଆହାର କେନ୍ଦ୍ର ନିକଟରେ ଜଣେ ସ୍ବାସ୍ଥ୍ୟ କର୍ମୀ ମୁତୟନ କରି ତଥ୍ୟ ସଂଗ୍ରହ ନିମନ୍ତେ ରେଜିଷ୍ଟର୍, ଅକ୍ସି ମିଟର, ଥର୍ମାଲ୍ ସ୍କ୍ରିନିଂ ଯନ୍ତ୍ର ରଖିବାକୁ କୁହାଯାଇଛି ।
ମୋ ଗାଁ ରେ ତହସିଲ୍ କାର୍ଯ୍ୟ ପୁଣି ତିନି ମାସ ସକାଶେ ଆରମ୍ଭ କରାଯିବ । ଗାଁ ଲୋକେ ସେହିଠାରୁ ପ୍ରମାଣ ପତ୍ର, ମ୍ୟୁଟେସନ୍, ପଟ୍ଟା ପ୍ରଦାନ, ରାଜସ୍ବ ଆଦାୟ କାର୍ଯ୍ୟ କରାଯାଇ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ । ଲୋକେ ଯେପରି ଏହି କାର୍ଯ୍ୟ ସକାଶେ ତହସିଲ୍ କାର୍ଯ୍ୟାଳୟ ଯିବେ ନାହିଁ ତାହା ସୁନିଶ୍ଚିତ କରାଯିବ । କେଉଁ ତାରିଖ ଓ କେଉଁ ସମୟରେ ମୋ ଗାଁ ରେ ତହସିଲ୍ ହେବ ତାହା ସଂପୃକ୍ତ ଗାଁ ଲୋକଙ୍କୁ ପୂର୍ବରୁ ଜଣାଇ ଦିଆଯିବ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଓ୍ବାସନ ଭି, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ . ।