ବ୍ରହ୍ମପୁର,୨୧/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ଚତୁର୍ଥ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ପ୍ରଭୁଦାସ ନାୟକଙ୍କ ସମେତ ଯାଜକ ସୁଶାନ୍ତ ଦିଗାଲ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ। ଯାଜକ ସୁଶାନ୍ତ ଦିଗାଲ ଦିବ୍ୟଯଜ୍ଞର ପୌରହିତ୍ୟି କରିଥିଲେ ଏବଂ “ମାଁ ମାରିୟା,ପାପୀଙ୍କର ଶରଣ” ଏହି ବିଷୟ ଶ୍ରଦ୍ଧାଳୁ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳର ଯୁବ ଗୋଷ୍ଠି ମାନେ ପ୍ରାର୍ଥନା ପରିଚାଳନା ସହ ସଙ୍ଗୀତ ଗାୟନର ଦାୟିତ୍ୱ ନେଇଥିଲେ। ଓଡ଼ିଶା ସରକାରଙ୍କ କୋଭିଡ଼ କଟକଣା ନିୟମ ଅନୁଯାୟୀ ବିଭିନ୍ନ ଅନୁଷ୍ଠାନର ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟ ମାନେ ଅତି ସ୍ୱଳ୍ପ ସଂଖ୍ୟକ ଭାବରେ ଉପସ୍ଥିତ ରହି ଏହି ପବିତ୍ର ନବୀନା ଓ ଦିବ୍ୟଯଜ୍ଞରେ ସହଯୋଗ କରିଥିଲେ। ଅନ୍ୟ ସମସ୍ତ ବ୍ରହ୍ମପୁର ଧର୍ମାଞ୍ଚଳର ମଣ୍ଡଳୀ ବା ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ ଦ୍ୱାରା ଅନଲାଇନ ମାଧ୍ୟମରେ ଏହି ପବିତ୍ର ନବୀନା ଏବଂ ଦିବ୍ୟଯଜ୍ଞ ପରିବେଷଣର ବ୍ୟବସ୍ଥା କରାଯାଇଥିଲା।