ସାନଖେମୁଣ୍ଡି, ୦୬/୧୨/୨୦୨୦: ଗତ କାଲି ଭୁବନେଶ୍ୱର ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗହଣରେ ପୂର୍ବତନ ମନ୍ତ୍ରୀ , ଜିଲ୍ଲା ବିଜେଡ଼ି ସଭାପତି ତଥା ସମ୍ପ୍ରତି ଗୋପାଳପୁର ବିଧାୟକ ଥିବା ଡ଼ା, ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତି ନିଆଯାଇଥିବା ଦଳୀୟ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ପ୍ରତି ନିଆଯାଉଥିବା ନ୍ୟାୟିକ ବ୍ୟବସ୍ଥା ସଂପର୍କରେ ନିଜ ପ୍ରତିକ୍ରିୟା ରଖି ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ନିଜ ପୂର୍ବ ସମୟକୁ ଗଣମାଧ୍ୟମ ସାମନାରେ ରଖିଛନ୍ତି । ୨୦୦୯ ମସିହା ସାଧାରଣ ନିର୍ବାଚନ ସମୟରେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ଥାଇ କଂଗ୍ରେସରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ନିଜର କିଛି ସମର୍ଥକଙ୍କ କାର୍ଯ୍ୟକଳାପ କାରଣରୁ ପରାଜୟ ବରଣ କରିଥିଲେ । ସବୁ ଠିକ୍ ଥିଲାବେଳେ ତାଙ୍କ ପ୍ରତି ଥିବା ଜନ ସମର୍ଥନ ଠାରୁ ଦୁରେଇବାକୁ ସେତେବେଳେ ବିପକ୍ଷ ଦଳରୁ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ପ୍ରଶାସନ ସହ ପୋଲିସ ହାତ ବାରିଶି ସାଜି ବିନା କାରଣରେ ତାଙ୍କ ପାଇଁ କ୍ରମାନ୍ୱୟ ଭାବରେ ୫୪ ଗୋଟି କେଶର ବ୍ୟବସ୍ଥା କରାଯାଇଥିଲା । ଏତେ ପରିମାଣର କେଶର ଜାମିନ ପାଇଁ ତାଙ୍କୁ ପ୍ରାୟ ତିନି ବର୍ଷ ଜେଲରେ ରହିବାକୁ ପଡ଼ିଥିଲା । ତାଙ୍କ ପରିବାର ସଦସ୍ୟଙ୍କ ସହ ବାପାଙ୍କୁ ମଧ୍ୟ ପୋଲିସ୍ ଗିରଫ କରି ଜେଲରେ ରଖିଥିଲା । ସେ ସମୟରେ ତାଙ୍କ ଆତ୍ମର ବିଳାପ , ଆତ୍ମସଂଯମତା ଏବଂ ସମର୍ଥକଙ୍କ ତାଙ୍କ ପ୍ରତିଥିବା ବିଶ୍ଵାସ ଯୋଗୁଁ ସେ କେମିତି ଜାମିନରେ ଆସି ସୀମିତ ସମୟରେ ସମସ୍ତଙ୍କ ସହ ମିଶି ନିର୍ବାଚନ ଲଢି ପୁଣି କଂଗ୍ରେସରୁ ବିଧାୟକ ହେଲେ ତାହା ବର୍ଣ୍ଣନା କରିଥିଲେ । ପରନ୍ତୁ ଗୋପାଳପୁର ବିଧାୟକଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ଗୁମରର ପେଢି ଖୋଲିବାକୁ ନିର୍ଦ୍ଧିଷ୍ଟ ସମୟର ଆବଶ୍ୟକତାକୁ ଭିତ୍ତିକରି ସ୍ଵତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଆଜି ଦିନ ଦିନ ଧାର୍ଯ୍ୟ କରିଛନ୍ତି । ଆଜି ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ କୁକୁଡାଖଣ୍ଡି ନିକଟ ବଉଳଝୋଳିର ନିଜ ଫାର୍ମ ହାଉସ ଠାରେ ସମସ୍ଥ ଗଣମାଧ୍ୟମକୁ ସୋସିଆଲ ମିଡିଆରେ ନିମନ୍ତ୍ରଣ କରିଛନ୍ତି ।
ରମେଶଙ୍କ ପରିପକ୍ଵ ରାଜନୈତିକ ପାରିଦର୍ଶିତା କାରଣରୁ ସମ୍ପ୍ରତି ଜିଲ୍ଲା କଂଗ୍ରେସ ସଭାପତି ଥାଇ ନିଷ୍କ୍ରିୟ ଥିବା କଂଗ୍ରେସ ଛାମୁଆଁ କର୍ମୀଙ୍କୁ ଏକତ୍ର କରିବାର ଅଦମ୍ୟ ସାହସ ଓ ଉତ୍ତରଦାୟିତ୍ୱକୁ ରାଜ୍ୟ ସ୍ତରରେ ଚର୍ଚ୍ଚିତ ରଖିଥିବା ବେଳେ ଆଜିର ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳର ପୂର୍ବତନ ମନ୍ତ୍ରୀ ,ଜିଲ୍ଲା ସଭାପତି ତଥା ବର୍ତ୍ତମାନର ଗୋପାଳପୁର ବିଧାୟକଙ୍କୁ ନେଇ ରଖିବାକୁ ଥିବା ନିଜ ଗୁମର କଥାର ପରିଭାଷା କଣ ରହିବ ତାକୁ ନେଇ ବୁଦ୍ଧିଜୀବି ଚାହିଁ ରହିଥିବା ଲକ୍ଷ କରାଯାଉଅଛି ।
ସନ୍ତୋଷ କୁମାର ଦାଶ ।