ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସେବାରୁ ବଞ୍ଚିତ ଆଦିବାସୀ ଗ୍ରାମ ‘କରନ୍ଦାଗଡ଼’, ଚାନ୍ଦା କରି ଅର୍ଥ ଯୋଗାଡ ପରେ ପାହାଡ କାଟି କରୁଛନ୍ତି ରାସ୍ତା, ମନରେଗା ଯୋଜନା ଏମାନଙ୍କ ପାଈଁ ସାତ ସପନ

0
191

ବ୍ରହ୍ମପୁର,୦୬/୧୨/୨୦୨୦(ଟୁକୁନା ପ୍ରଧାନ)-: ଆଦିବାସୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଈଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ତାହା ତୃଣମୂଳ ସ୍ତରରେ ଓଲଟା ଦେଖିବାକୁ ମିଳୁଛି I ନା ମିଳୁଛି ସ୍ୱାସ୍ଥ୍ୟ ସେବା, ଶିକ୍ଷା ନା ଅଛି ଗମନାଗମନ ବ୍ୟବସ୍ଥା I ସ୍ୱାଧୀନତାର ୭୪ ବର୍ଷ ପରେବି ଏମିତି ଆଦିବାସୀ ଗ୍ରାମ ରହିଛି ଯେଉଁଠି ସବୁ ସେବା ସାତ ସପନ I ଏମିତି ଏକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଘୋଡାପଡା ପଂଚାୟତର କରନ୍ଦାଗଡ଼ ଗ୍ରାମ I ମୋଟ ୧୩ ଟି ପରିବାରର ୭୦ ରୁ ଅଧିକ ଲୋକଙ୍କୁ ନେଇ ଏହି ଆଦିବାସୀ ଗ୍ରାମ ରହିଛି I ଚାରିପଟେ ପାହାଡ ମଝିରେ ଏହି ଗ୍ରାମ I ବେଗୁନିଆପଡା ବ୍ଲକର ଏହି ଗ୍ରାମଟି ପ୍ରଥମେ ଚନ୍ଦନପୁର ପଂଚାୟତ ଅଧୀନରେ ଥିବା ବେଳେ ନୂତନ ପଞ୍ଚାୟତ ଗଠନ ପରେ ଏହା ଘୋଡାପଡା ପଞ୍ଚାୟତ ଅଧୀନରେ ରହିଛି I ଚନ୍ଦନପୁର ଠାରୁ ୧୦ କିମି ରାସ୍ତା ଗଲେ ପଡେ ଆଦିବାସୀ ଗ୍ରାମ ଯାନିବିଲି I ସେଠାରୁ ପାହାଡ଼ ଘାଟି ରାସ୍ତାର ପାଖାପାଖି ୫କିମି ରାସ୍ତା ଗଲେ ଏହି ଗ୍ରାମ ପଡେ I ଗ୍ରାମରେ ବିଦ୍ୟୁତ ନଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ଉନ୍ନୟନ ସଂସ୍ଥା ପକ୍ଷରୁ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିବା ବେଳେ ମୋଟ ୧୨ ଟି ସୋଲାର ପ୍ଲେଟ ମଧ୍ୟରୁ ୫ ଟି ଖରାପ ହୋଇଗଲାଣି ଯାହା ଫଳରେ ସେମାନେ ଡିବି ଆଲୁଅରେ ଚଳୁଛନ୍ତି I ଏହା ସହ ପିଇବା ପାଣି ସକାଶେ ବୋରିଂ କରାଯାଇ ସୋଲାର ବ୍ୟବସ୍ଥାରେ ପାଣି ଯୋଗାଇବା ପାଈଁ ବ୍ୟବସ୍ଥା କରାଯାଇଥିଲା ବେଳେ ବର୍ତମାନ ତାହା ଖରାପ ହୋଇ ପଡିଛି ଫଳରେ ଲୋକେ ନିକଟରେ ଥିବା କୂଅରୁ ପାଣି ଆଣି ପିଉଛନ୍ତି I ଏହା ସହିତ ଏମାନଙ୍କ ପାଈଁ ଶିକ୍ଷା ସାତ ସପନ I ଏଠାରୁ ୭ କିମି ଦୂରରେ ଅର୍ଥାତ ରାଇପଡା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଏହି ଗ୍ରାମର ପିଲା ସେଠାକୁ ଯିବା ଅସମ୍ଭବ ଓ ୫ କିମି ଦୂରରେ ଯାନିବିଲି ଠାରେ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଏଠାକୁ ମଧ୍ୟ ପିଲା ପାଠ ପଢିବାକୁ ଯାଇପାରୁନାହାନ୍ତି I ଏହି ଗ୍ରାମର ସୁରେଶ ଶବର, ସୁମନ୍ତ ଶବର ଓ ଶରତ ଶବର କୋଦଳା ଠାରେ ଥିବା ଆଶ୍ରମ ସ୍କୁଲରେ ବର୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଏହି ସ୍ଥାନରେ ମୋବାଇଲ ନେଟୱର୍କ ନଥିବା ଯୋଗୁଁ ସେମାନେ ଅନଲାଇନ୍ ପାଠପଢାରୁ ବଞ୍ଚିତ I ଏହା ସହିତ ଏହି ଗ୍ରାମର ରୁନି ଶବର, ନାଗେଶ୍ୱରୀ ଶବର, ସରିତା ଓ ମିନି ଶବର ପୋଲସରା ନିକଟସ୍ଥ ଲୁଣିଆପଡା ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ରହି ପାଠ ପଢ଼ୁଥିବା ବେଳେ ଅନ୍ୟ ପିଲାଙ୍କ ଭବିଷ୍ୟତ ଅନ୍ଧାର I ଏହି ଗ୍ରାମରେ ୬ ଟି ଇନ୍ଦିରା ଆବାସ ମିଳିଥିବା ବେଳେ କଞ୍ଚାମାଲ ନେବା ଅଧିକ ଖର୍ଚ ପଡୁଥିବାରୁ ତାହା ମଧ୍ୟ ଅଧା ପନ୍ତରିଆ ହୋଇ ରହିଛି I ସ୍ୱଚ୍ଛ ଭାରତ ଅଭିଯାନରେ ଏହି ଗ୍ରାମରେ ୧୩ ଟି ପାଇଖାନା ନିର୍ମାଣ ଆର୍ଥିକ ଅନୁଦାନ ବିନା ଅଧା ନିର୍ମାଣରେ ରହିଛି ପୁଣି ଯାହା ସରିଛି ତାହା ମଧ୍ୟ ବିଲ୍ ହୋଇପାରିନି ବୋଲି ଲୋକେ ଅଭିଯୋଗ କରିଛନ୍ତି I ସବୁଠାରୁ ସ୍ପର୍ଶ କାତର ବିଷୟ ହେଲା ଏହି ଗ୍ରାମକୁ ରାସ୍ତା ନାହିଁ I ଦେହ ଖରାପ ହେଲେ ଏମାନଙ୍କ ପାଈଁ ଦୋଳା ହିଁ ଭରସା I ବାରମ୍ବାର ବେଗୁନିଆପଡା ବ୍ଲକରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ଏହି ଗ୍ରାମବାସୀ ଗୁହାରି କଲାପରେବି ରାସ୍ତା ନହେବାରୁ ପ୍ରତି ପରିବାର ପିଛା ୨୫୦୦୦/- ଲେଖାଏଁ ଚାନ୍ଦା ପକାଇ ମେସିନ ଭଡାକୁ ଆଣି ବର୍ତମାନ ଯାନିବିଲି ଠାରୁ ପାହାଡ କାଟି ରାସ୍ତା ନିର୍ମାଣ କରୁଛନ୍ତି ଏହି ଗ୍ରାମବାସୀ I ଋଣ ଶୁଝିବା ପାଈଁ ସେମାନେ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି ଓ ପ୍ରତିଦିନ ୨ ଜଣ ଲେଖାଏଁ ପାଳି କରି ଯାଇ କାମ ତଦାରଖ କରୁଛନ୍ତି I ଏହି ଅର୍ଥ ଧାର ଉଦ୍ଧାର କରି ଏହି କାମରେ ଲଗାଇବା ସହ ସେମାନେ ନିଜ ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ କରିବା ପାଈଁ ଅଣ୍ଟା ଭିଡିଛନ୍ତି I ତଥାପି ସରକାରୀ ସହାୟତା ପାଈଁ ଆଶା ରଖିଛନ୍ତି I ଏନେଇ ବିପ୍ର ଶବର କୁହନ୍ତି ଏହି ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଏ ଯାଏଁ ରାସ୍ତା ଟିଏ ମଧ୍ୟ ହୋଇପାରୁନାହିଁ I ବାରମ୍ବାର ରାସ୍ତା ପାଈଁ ଅନୁରୋଧ କଲେବି ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁ ଯାହା ଫଳରେ ଆମେ ଘର ପିଛା ୨୫୦୦୦/- ଟଙ୍କା ଋଣ କରି ଚାନ୍ଦା କରି ମେସିନ ଦ୍ୱାରା ରାସ୍ତା କାମ କରୁଛୁ ଆଉ ଯଦି ପ୍ରଶାସନ ସହାୟତାର ହାତ ବଢେଇବ ତେବେ ଆମେ ଉପକୃତ ହେବୁ I ଏହା ସହିତ ପିଲାଙ୍କ ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ସେବା ପାଈଁ ଏହି ଗ୍ରାମକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆସିବା ଆବଶ୍ୟକ Iମହାଲକ୍ଷ୍ମୀ ଶବର କୁହନ୍ତି ଆମ ଗାଁ ବଣ ଭିତରେ ଅଛି ଏଣୁ ସରକାରଙ୍କ ପାଖରେ ଆମ ଗୁହାରି ପହଂଚି ନାହିଁ I ଏପରିକି ଏଠାରେ ବିଦ୍ୟୁତ ନାହିଁ କି ପାଣି ପାଈଁ ସୁବିଧା ନାହିଁ ଫଳରେ ଆମେ ଅସୁବିଧା ଭୋଗ କରୁଛୁ I ଯେଉଁ ସୋଲାର ପ୍ଲେଟ ମିଳିଛି ତାହା ଖରାପ ହୋଇଗଲାଣି ଏଣୁ ତୁରନ୍ତ ଆମକୁ ବିଦ୍ୟୁତ ଯୋଗାଇବା ଦରକାର I ଏହା ସହିତ ପିଲାଙ୍କ ଶିକ୍ଷା ପାଈଁ ମଧ୍ୟ ଆମକୁ ସହଯୋଗ ମିଳିବା ଦରକାର Iସୁରେଶ ଶବର ଦଶମ ଶ୍ରେଣୀ ଛାତ୍ର କୁହନ୍ତି ଆମେ ୩ ଜଣ କୋଦଳା ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଛୁ I କରୋନା ପାଈଁ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ଆମେ ଘରେ ଅଛୁ କିନ୍ତୁ ମୋବାଇଲ ନେଟୱର୍କ ନଥିବା ଯୋଗୁଁ କିଛି ବି ପଢିପାରୁନୁ ଫଳରେ କେମିତି ଆମେ ବୋର୍ଡ ପରୀକ୍ଷା ଦେବୁ ତାହା ଚିନ୍ତା ଲାଗୁଛି I ଏନେଇ ବିଡ଼ିଓ ବେଦବର ପ୍ରଧାନ ଏହି ଗ୍ରାମକୁ ରାସ୍ତା ନଥିବା ନେଇ ଅଭିଯୋଗ ଆସିଛି କିନ୍ତୁ ପାହାଡକୁ ମେସିନ ଦ୍ୱାରା କାଟି ମନରେଗା ଯୋଜନାରେ କାମ କରିବା କଷ୍ଟ ଓ ନିୟମ ବିରୋଧ ଏଣୁ ସେମାନେ ମେସିନ ସାହାଯ୍ୟରେ କାମ କରି ରାସ୍ତା ବାହାର କରିବା ପରେ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଯଥାସମ୍ଭବ ସାହାଯ୍ୟ କରାଯିବ I

LEAVE A REPLY

Please enter your comment!
Please enter your name here