ଭୁବନେଶ୍ୱର,୦୬/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି (AIKSCC) ପକ୍ଷରୁ ୮ ଡିସେମ୍ବର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୃଢ଼ ସମର୍ଥନ ଘୋଷଣା କରାଯାଇଛି। ୦୮ ଡିସେମ୍ବରର ଏହି ଆନ୍ଦୋଳନ ଦେଶର ବ୍ୟାପକ ଚାଷୀମୂଲିଆ ଓ ସାଧାରଣ ଶ୍ରମଜୀବୀ ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷକ ଓ ଖାଉଟି ବିରୋଧୀ ୩ ଗୋଟି କୃଷି ସମ୍ବନ୍ଧୀୟ ଆଇନ ଯଥା ୧. ମଣ୍ଡି ହରଣ ଆଇନ ୨. ଠିକା ଚାଷ ଆଇନ ଓ ୩. ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ବାତିଲ ଦାବିରେ କୃଷକ ସଂଗଠନମାନେ ଦିଲ୍ଲୀ ଚାଲ ଡାକରା ଦେଇ ଗତ ୧୦ ଦିନ ଧରି ଜବରଦସ୍ତ ଆନ୍ଦୋଳନ ଜାରୀ ରଖିଛନ୍ତି। ଗତ ୩ ତାରିଖରେ ମୋଦି ସରକାର ସହ ଆଲୋଚନା ପରେ ସରକାର ସାମାନ୍ୟ କିଛି ସଂଶୋଧନ ସହିତ ଆଇନ ଗୁଡିକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୃଢ଼ମନା କୃଷକ ଆନ୍ଦୋଳନକାରୀ ଦୃଢ଼ଭାବେ ଘୋଷଣା କରିଥିଲେ। ସମ୍ପୂର୍ଣ୍ଣ ଆଇନ କର୍ପୋରେଟ ସପକ୍ଷବାଦୀ ଓ କୃଷକ ବିରୋଧୀ। ସରକାର ଏହି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଘୋଷଣା କରିବା ଦରକାର ତାଠାରୁ କୌଣସି କମ ସର୍ତ୍ତରେ କୃଷକ ମାନେ ରାଜି ନୁହନ୍ତି। ସରକାର ହଁ କି ନାଁ ଆସନ୍ତା ୯ ଡିସେମ୍ବରରେ ଜଣାଇବେ।
ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ କୃଷକ ଆନ୍ଦୋଳନକୁ ବଳିଷ୍ଠ କରି ତଥା କୃଷକଙ୍କ ଦାବୀ ସମର୍ଥନରେ ବ୍ୟାପକ ଅନ୍ୟାନ୍ୟ ଶ୍ରମଜୀବୀ ଓ ପ୍ରଗତିଶୀଳ ଶକ୍ତି ଓ ଜନଗଣଙ୍କ ସମର୍ଥନ ଦେଖାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଆନ୍ଦୋଳନ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇ ଏହାକୁ ସଫଳ ଆଡ଼କୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ।
ଆମ ଦେଶର ଏବେ ମଧ୍ୟ ପ୍ରାୟ ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଦେଶ ଯେତେ ଡ଼ିଜିଟାଲ ହେଲେ ମଧ୍ୟ ଗୁଗଲରୁ ଖାଦ୍ୟ ପଦାର୍ଥ ବାହାରିବ ନାହିଁ। ଏହି ଆଇନ କେବଳ ଚାଷକୁ ଚାଷୀଙ୍କ ହାତରୁ ଛଡ଼ାଇ କର୍ପୋରେଟ୍ ପୁଞ୍ଜିପତିଙ୍କ କରାୟତ କରିବା ଏବଂ ନିତ୍ୟ ଆବଶ୍ୟକ ଖାଦ୍ୟପଦାର୍ଥର ବେପାରକୁ ବୃହତ୍ତ ପୁଞ୍ଜିପତିଙ୍କ କବଳିତ କରି ୯୫ ଭାଗ ଦେଶବାସୀଙ୍କୁ ଦିନରାତି ଶୋଷି ମାତ୍ର ୫ ଭାଗଙ୍କ ଗୋଲାମ କରି ରଖିବା ପାଇଁ ଉଦ୍ଦିଷ୍ଟ ଅଟେ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପ୍ରଗତିଶୀଳ ଗଣତାନ୍ତ୍ରିକ ଶକ୍ତି, କୃଷକ, କୃଷି ଶ୍ରମିକ, ଭାଗଚାଷୀ, ସଂଗଠିତ, ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ, ମନରେଗା ଶ୍ରମିକ, ନିର୍ମାଣ ଶ୍ରମିକ, ବସ୍ତିବାସିନ୍ଦା, ଛାତ୍ର, ଯୁବକ, ମହିଳା ଆଦି ବିପୁଳ ସଂଖ୍ୟାରେ ଏହି ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇ ତଥା ଏହକୁ ସକ୍ରିୟ ସମର୍ଥନ ଜଣାଇ ଏହାକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ପାର୍ଟି ରାଜ୍ୟ କମିଟି ପକ୍ଷରୁ ନିବେଦନ କରାଯାଇଛି।