ଛତ୍ରପୁର,୦୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯକ୍ଷ୍ମା ଫୋରମ୍ ଓ ଜନ ଔଷଧି ସମ୍ପର୍କିତ ଏକ ବୈଠକ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରୁ ଯକ୍ଷ୍ମାରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ପ୍ରତି ଘରକୁ ଘର ବୁଲି ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କ୍ୟାମ୍ପେନିଙ୍ଗ ମୋଡ୍ ରେ ଚିକିତ୍ସା କରାଯାଉ । ଏଥି ନିମନ୍ତେ ଏକ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉ । ଏହି ପ୍ରଚାର ପତ୍ରରେ ଯକ୍ଷ୍ମା ରୋଗ କଣ, ଏହା କିପରି ବ୍ୟାପେ ଓ ଏହାର ନିରାକରଣର ଉପାୟ ସମ୍ପର୍କିତ ତଥ୍ୟ ସହିତ କ୍ୟାମ୍ପେନିଙ୍ଗ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ୨୦୧୯ ମସିହାରେ ଶତକଡା ୮୪.୦୯ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣା ପଡିଥିଲା । ଚଳିତ ବର୍ଷ ସମସ୍ତ ଚିହ୍ନିତ ହୋଇଥିବା ଯକ୍ଷ୍ମାରୋଗୀ ଯେପରି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରିବେ ସେ ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ ।
ଜିଲ୍ଲା ସ୍ତରୀୟ ଜନଔଷଧି ପରିଚାଳନା କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା କେନ୍ଦ୍ର ମାନଙ୍କରେ ବିକ୍ରି ହେଉଥିବା ଉତ୍ତମ ମାନର ଔଷଧ ବିକ୍ରିବଟା ସମ୍ପର୍କରେ ଆଲୋଚନା ହୋଇଯାଇଛି । ୨୦୧୧ ମସିହା ଠାରୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଥିବା ଜନଔଷଧି ବିତରଣ କେନ୍ଦ୍ର ରେ ଜେନେରିକ୍ ଔଷଧ ବିକ୍ରି କରାଯାଉଛି । ୨୦୨୦ ମସିହା ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ୬୧,୬୭,୨୬୨ ଟଙ୍କାର ଔଷଧ କିଣାଯାଇ ୬୮,୭୩,୬୮୯ ଟଙ୍କାର ବିକ୍ରି କରାଯାଇଥିବା ତଥ୍ୟ କମିଟି ଦ୍ବାରା ପ୍ରକାଶ କରାଯାଇଥିଲା । ଏହାର ଲାଭାଂଶରୁ ଫାର୍ମାସିଷ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କୁ ଦରମା ପ୍ରଦାନ କରାଯାଇ ଏହାର ପରିଚାଳନା କରାଯାଉଛି । ଜନ ସାଧାରଣ ଏହି ଜନ ଔଷଧି କେନ୍ଦ୍ରରୁ କମ୍ ଦାମରେ ଔଷଧ କିଣିବା ନିମନ୍ତେ ସଚେତନତା କରିବାକୁ କୁହାଯାଇଥିଲା ।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ମ୍ୟାନେଜର୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ସିଟି ହସ୍ପିଟାଲ୍ ସୁପରିନଟେଣ୍ଡେଣ୍ଟ ଡଃ ବିଶ୍ବମ୍ଭର ବେହେରା, ଡଃ ଅବନୀ କୁମାର ପାତ୍ର, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ଟିଇ) ଡଃ ଅବନୀ କୁମାର ପାତ୍ର ଏବଂ ଡଃ ଅମୂଲ୍ୟ କୁମାର ମିଶ୍ର, ଡଃ ସୁଚିତ୍ରା ସାହୁ ଏବଂ ସ୍ବାସ୍ଥ୍ୟ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।