ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ବସନ୍ତୋତ୍ସବ ପାଳିତ

0
569

ବ୍ରହ୍ମପୁର, ୧୧/୦୨/୨୦୨୧ :
ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ‘ ଜାତୀୟ ସଙ୍ଗୀତ କଳା କେନ୍ଦ୍ର’ ର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ଷଷ୍ଠ ଶ୍ରାଦ୍ଧୋତ୍ସବକୁ ‘ବସନ୍ତୋତ୍ସବ:୨୦୨୧’ ଭାବେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । କଳା କେନ୍ଦ୍ର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଆନ୍ତର୍ଜାତିକ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ହୃଷୀକେଶ ପାଣିଗ୍ରାହୀ, ଏସ୍.ଏମ୍.ଆଇ. ଟି. ଅଧ୍ୟକ୍ଷ ଡଃ. ଭଗବାନ ଗନ୍ତାୟତ, ପ୍ରାକ୍ତନ ବି. ଡି. ଏ. ଅଧ୍ୟକ୍ଷ ସୁବାସ ମହାରଣା, ବରିଷ୍ଠ ସାରସ୍ଵତ ସାଧକ କବି ନିର୍ମାଲ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଙ୍ଗୀତଜ୍ଞ ତ୍ରିପୁରାରି ସାବତ ବାସ୍ତବରେ ଜଣେ ସଂସ୍କୃତି ପୁରୁଷ ଥିଲେ ଓ ଗଞ୍ଜାମରେ ସଂସ୍କୃତିର ଅବକ୍ଷୟ କାଳରେ ଜାଗ୍ରତ ପ୍ରହରୀ ଭଳି କାମ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପରିଚାଳିତ ସଙ୍ଗୀତଜ୍ଞ ତ୍ରିପୁରାରି ସାବତ ସ୍ମୃତି ସାଂସଦ ପକ୍ଷରୁ ପ୍ରଜ୍ଞାଦୀପ୍ତ ସଙ୍ଗୀତଜ୍ଞ ବି. ଜଗନ୍ନାଥ ଦୋରା ଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ କବି ନିର୍ମାଲ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଙ୍କ ଭକ୍ତି ମଞ୍ଜରୀ ଗ୍ରନ୍ଥ ଓ ଦେବୀ ପ୍ରସାଦ ସାହୁଙ୍କ ସମିକ୍ଷଗ୍ରନ୍ଥ ଭକ୍ତି ମଞ୍ଜରୀ ବିହଂଗାବଲୋକନ କୁ ଲୋକାର୍ପଣ କରିଥିଲେ । କଳା କେନ୍ଦ୍ରର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ଵାଗତ ଭାଷଣ ଦେଇଥିବା ବେଳେ କିରଣ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଚରଣରେ କବୟିତ୍ରୀ ବନ୍ଦନା ମିଶ୍ରଙ୍କ ସଂଯୋଜନା କ୍ରମେ ବହୁ କବି କବୟିତ୍ରୀ ବସନ୍ତ ଶୀର୍ଷକ କବିତା ପାଠ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ କ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭଗବାନ ଜେନା ଓ ମନୋଜ ପାଣିଗ୍ରାହୀ ଜଗନ୍ନାଥ ଭଜନ ଗାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଉଦ୍ଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଦିଗୁ ଙ୍କ ସଂଯୋଜନା କ୍ରମେ ନୁପୁର ଓ କଳା କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ପରିଶେଷରେ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ରାମ ପ୍ରସାଦ ସାବତ, ସ ସମାହିତ ପାଢ଼ୀ, ସୁଦାମ ପାଣିଗ୍ରାହୀ, ଦେବୀ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here