ବୁଗୁଡା,୦୯/୦୩/୨୦୨୧: ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଓ ଏହା ଦ୍ୱରା କଣ କ୍ଷତି ହେଉଛି ଜନସଚେତନତା ପାଇଁ ମାର୍ଚ୍ଚ ୯ ତାରିଖ ଦିନ ବୁଗୁଡା ବନାଞ୍ଚଳ ପକ୍ଷରୁ ଏକ ଶୋଭାଯାତ୍ରା ସହ ସାଧାରଣ ସଭାର ଆୟୋଜନ ହୋଇଯାଇଛି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବହୁ ମୂଲ୍ୟବାନ ଗଛ ଓ ଔଷଧିୟ ବୃକ୍ଷ ପୋଡି ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣ ହେବା ଦେଖାଦେଇଛି। ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ଦିବାରାତ୍ର ନିଆଁକୁ ଆୟତ କରିବା ପାଇଁ ଲାଗି ପଡିଛନ୍ତି। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ବିଭିନ୍ନ ବିଟ ରେ ନିଆଁ ଲାଗିଥିବା ବେଳେ ଅନେକ ସ୍ଥାନରେ ବନବିଭାଗ ଦ୍ୱରା ତାହା ଆୟତ କରାଯାଇଛି। ଜଙ୍ଗଲରେ ନିଆଁ ଲଗାଇବା ବେଳେ ଦୁଇ ଅସାମାଜିକ ବ୍ୟକ୍ତିଙ୍କୁ ବୁଗୁଡା ବନବିଭାଗ କର୍ମଚାରୀ ବୃନ୍ଦ ଗିରଫ କରିଥିବା ଜଣାପଡିଛି। ଆଜି ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଓ ଲିପିକା ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ ରେ ବୁଗୁଡା ବନାଞ୍ଚଳର ବିଭିନ୍ନ ଗ୍ରାମରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଏକ ସଚେତନତା ରାଲେ ଅନୁଷ୍ଠିତ ହୋଇଥିଲା। ପରେ ବୁଗୁଡାରେ ଏକ ସାଧାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ରେଞ୍ଜର ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଏସିଏଫ ଶଙ୍କର୍ଷଣ ବେହେରା, ବୁଗୁଡା ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତ, ଜୀବନ ଜୀବିକା ମିଶନର ଶୁଭ୍ରକାନ୍ତ ମିଶ୍ର, ଓ ଶୋଭାନ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ବୃନ୍ଦ ଜଙ୍ଗଲରେ ନିଆଁ ଲାଗିବ ଦ୍ୱରା କିପରି ଆମ ଉପରେ କୁପ୍ରଭାବ ପଡୁଛି ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଯେଉଁ ବ୍ୟକ୍ତିମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ସେମାନଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିବା ସହ ଜଙ୍ଗଲରେ ନିଆଁ ଲାଗିବା ସଙ୍ଗେ ସଙ୍ଗେ ବନ ବିଭାଗକୁ ଜଣାଇବାକୁ ଅନୁରୋଧ କରିଥିଲେ। ଅଗ୍ନିଶମ ଅଧିକାରୀ ଶ୍ରୀ ରାଉତ ଜଙ୍ଗଲରେ ନିଆଁ ଲାଗିଲେ କିକରି ନିଆଁକୁ ଆୟତ କରିହେବ ସେହି ପ୍ରଣାଳୀ ବିଷୟ ପ୍ରକାଶ କରିଥିଲେ। ନିଆଁକୁ ଆୟତ କରିବା ପାଇଁ ଜନସାଧାରଣଙ୍କ ଗୁରୁ ଦାୟିତ୍ୱ ରହିଥିବା ବିଷୟ ନେଇ ଏସିଏଫ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଦ୍ୱରା ଜଙ୍ଗଲ ନିଆଁ ଭଳି ମହା ବିପତ୍ତି ରକ୍ଷା ପାଇପାରିବେ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଥିଲେ।