ସାନଖେମୁଣ୍ଡିକୁ ତୋଫାନୀ ଗସ୍ତରେ ଜିଲ୍ଲାପାଳ । ୨୦ ରୁ ଅଧିକ ପଞ୍ଚାୟତରେ ବିଭାଗୀୟ ଉନ୍ନୟନ କାର୍ଯ୍ୟ ସମୀକ୍ଷା ସହ ଭିତ୍ତିଭୂମି ଆକଳନ ।

0
271

ବ୍ରହ୍ମପୁର,୧୦/୦୩/୨୦୨୧: ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲଙ୍ଗେ ମହୋଦୟ ଆଜି ପ୍ରତ୍ୟୁଷରୁ ସାନଖେମୁଣ୍ଡି ବ୍ଲକକୁ ତୋଫାନୀ ଗସ୍ତରେ ଆସି ୨୦ରୁ ଅଧିକ ପଞ୍ଚାୟତ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ପରିଦର୍ଶନ କରିବା ସହିତ ଜନମଙ୍ଗଳ ଯୋଜନାର ସଫଳ ରୂପାୟନ ଜନିତ ଭିତ୍ତିଭୂମିକୁ ଆକଳନ କରିଛନ୍ତି । ଗସ୍ତ କାଳୀନ ପରିଦର୍ଶନ ସମୟରେ ପଞ୍ଚାୟତ ସ୍ତରରେ ରହିଥିବା ଆବଶ୍ୟକତା , ଯୋଜନାର ସଫଳ ରୂପାୟନ କରିବାରେ ଜନ ସାଧାରଣଙ୍କ ପ୍ରତିକ୍ରିୟା ପଚାରି ବୁଝିବା ସହିତ କୃଷି ଓ କୃଷକ , ମହିଳା ସଶକ୍ତିରଣ , ଗ୍ରାମ ରାସ୍ତା ଉନ୍ନତିକରଣ , ଅଞ୍ଚଳ ପର୍ଯ୍ୟଟନର ବିକାଶ , ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ରୂପରେଖ ସହିତ ଜନ ସାଧାରଣଙ୍କ ସମସ୍ୟା ନିରାକରଣ ଜନିତ ସୁଦୂର ପ୍ରସାରୀ ମତାମତ ଗ୍ରହଣ କରିଛନ୍ତି । ବ୍ଲକ୍ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ,ଶ୍ରୀନିବାସ ବେହେରା , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କହଁର , ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳ ଏବଂ ଅନ୍ୟାନ୍ୟ ଲାଇନ୍ ଅଧିକାରୀଙ୍କ ସହିତ ପଞ୍ଚାୟତ ଅଞ୍ଚଳ ପରିଦର୍ଶନ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଦାନ ୱାରୀ ସମୀକ୍ଷା କରିଥିବା ଜଣା ଯାଇଅଛି ।

ସକାଳ ସାତଟା ସମୟରୁ ମୈାଳାଭଞ୍ଜା ପଂଚାୟତରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳଙ୍କ ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କାର୍ଯ୍ୟକ୍ରମ ଛଣମେରୀ , କଂସାମାରୀ , ପୋଡ଼ାମାରୀ , ପଦ୍ମପୁର , ପଟ୍ଟିଗୁଡ଼ା , ଟି ଗୋବିନ୍ଦପୁର ପଞ୍ଚାୟତର ଅଞ୍ଚଳ ରହିଥିବା ବେଳେ ଅନୁଧ୍ୟାନ ସମୟରେ ଆଦର୍ଶ ପୋଖରୀ ଓ ସୌନ୍ଦର୍ଯ୍ୟ କରଣ , ନିର୍ମିତ ଗ୍ରାମ୍ୟ ପାର୍କ ସୌନ୍ଦର୍ଯ୍ୟ କରଣ ସହ ଆଲୋକକରଣ , ଚଉଡା ଫେବର ଗାଁ ରାସ୍ତା , ଆଦର୍ଶ ଗାଈ ଗୁହାଳ , ପଥ ପାର୍ଶ୍ଵ ବୃକ୍ଷରୋପଣ , ଗ୍ରାମ୍ୟ ସ୍ୱଚ୍ଛ ପରିବେଶ ସହ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମୂହର କାର୍ଯ୍ୟକାରିତା ନେଇ ତର୍ଜମା କରିଥିଲେ । ତପ୍ତପାଣି ଉଷ୍ମ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରି ପର୍ଯ୍ୟଟକଙ୍କ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଦୋକାନୀଙ୍କ ଯୋଗୁଁ ସୃଷ୍ଟି ହେଉଥିବା ପୂତି ଗନ୍ଧମୟ ଆବର୍ଜନାର ପ୍ରକ୍ରିୟା କରଣ ପାଇଁ ତାଗିଦ୍ କରିବା ସହ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନେବାକୁ ଆଦେଶ ଦେଇଥିଲେ । ପୁଣି ଏହି ଅବସରରେ ପଞ୍ଚାୟତର ଶ୍ରୀରାମ ନଗରରେ ଶବର ସମିତି ସୌଜନ୍ୟରୁ ଆୟୋଜିତ ହୋଇଥିବା କୃଷକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିଲେ ।

ଗସ୍ତର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନ୍ତର୍ଗତରେ ସିଙ୍ଗପୁର , ଗଙ୍ଗାପୁର , ଜିଉରା , ପାଟପୁର , ରାଧାଦେଇପୁର , ସତପେଣ୍ଠ ଗୋପାଳପୁର , ପାଇକ ରାମଚନ୍ଦ୍ରପୁର , ଆଡପଡ଼ା , ଖଲିଙ୍ଗି ଓ ଏରେଣ୍ଡରା ପଞ୍ଚାୟତ ପରିଦର୍ଶନ କରିଥିଲେ । ଯିଉରା ପଞ୍ଚାୟତ ଗସ୍ତକାଳରେ ପରିବା ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହିତ ପରିବା ସଂରକ୍ଷଣ ସୁବିଧା ପାଇଁ ଥିବା ଯୋଜନା ସମନ୍ଧରେ ମିଳିତ ଆଲୋଚନା କରିଥିଲେ । ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ରତନେଇ ପାହାଡ଼ ଶୀର୍ଷରେ ସ୍ଥିତ ମା ,’ ରତନେଇ ମନ୍ଦିର ଅନୁଧ୍ୟାନ କରି ଅଧିକାରୀ ଓ ଜନପ୍ରତିନିଧିଙ୍କ ସହିତ ମନ୍ଦିର ଉନ୍ନତିକରଣ ଓ ରାସ୍ତା ସଞ୍ଜୋଗିକରଣ ଉପରେ ଗୁରୁତ୍ଵ ଦେବାକୁ ଆଦେଶ କରିଥିଲେ । ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ରତନେଇ ପାହାଡ଼ ଶୀର୍ଷରେ ଥିବା ମନଲୋଭା ପରିବେଶକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରାଥମିକ ପଦକ୍ଷେପର ଚୁଡାନ୍ତ ରିପୋର୍ଟ ପରିବେଷଣ କରିବାକୁ ମୌଖିକ ଆଦେଶ କରିଛନ୍ତି । ଏହା ସହିତ ପ୍ରାୟ ପଞ୍ଚାୟତରେ ଥିବା ଦୀର୍ଘକାଳୀନ ପାନୀୟ ଜଳ ସଙ୍କଟରେ ସୁଧାର ଆଣି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ସ୍ତରୀୟ ଆଲୋଚନା କରିଛନ୍ତି । ସମୟ ଅଭାବ କାରଣରୁ ବଳକା ପଞ୍ଚାୟତକୁ ଆସନ୍ତା ଦିନରେ ଅନୁଧ୍ୟାନ କରିବାକୁ ସମୟ ଦେଇ ସନ୍ଧ୍ୟା ସମୟରେ ଜିଲା ମହକୁମା ଫେରିଥିବା ସୂଚନା ମିଳିଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here