ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ପକ୍ଷରୁ କ୍ରାଉନ ହୋଟେଲ ନିକଟରେ ଜାତୀୟ ରାଜପଥ ଅବରୋଧ

0
205

ଭୁବନେଶ୍ୱର, ୨୬/୦୩/୨୦୨୧: ତିନି କଳା କୃଷି ଆଇନ ପ୍ରତ୍ୟାହାର, ସମସ୍ତ କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବାକୁ ଆଇନ ପ୍ରଣୟନ, ଦରଦାମ ନିୟନ୍ତ୍ରଣ, ସରକାରୀ ସଂସ୍ଥାକୁ କର୍ପୋରେଟ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ନୀତି ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡ଼ାକରାରେ ୨୬ ମାର୍ଚ୍ଚ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ) ରେଡ଼ ଷ୍ଟାର ପକ୍ଷରୁ ସମର୍ଥନ ଜଣାଇ ଦେଶବ୍ୟାପୀ ଏହାକୁ ସଫଳ କରିବାକୁ ପାର୍ଟି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଭାରତ ବନ୍ଦକୁ ସଫଳ କରିବାକୁ ରେଡ଼ ଷ୍ଟାର ଖୋର୍ଦ୍ଧା ଜିଲ୍ଲା କମିଟି ନେତୃତ୍ୱରେ ଆଜି ପୂର୍ବାହ୍ନରେ ଏକ ଶୋଭାଯାତ୍ରା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଇନକିଲାଵ ଭବନରୁ ବାହାରି ବଜାର ଓ କଲୋନୀ ଅଞ୍ଚଳ ପରିକ୍ରମା ସାରି କ୍ରାଉନ ହୋଟେଲ ସମ୍ମୁଖ ଜାତୀୟ ରାଜପଥ ନିକଟରେ ପହଂଚି ପିକେଟିଂ କରିବା ସହିତ ପୂର୍ବାହ୍ନ ୧୦.୩୦ମି ସମୟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ମଧ୍ୟାହ୍ନ ୧୨ ଘଟିକା ସମୟରେ ବ୍ୟାପକ ପୋଲିସ ଫୋର୍ସ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବଳପୂର୍ବକ ଗିରଫ କରି କମିଶନରେଟ ପୋଲିସ ରିଜର୍ଭ ବାଟାଲିୟନ ମଧ୍ୟରେ ଅଟକ ରଖିଥିଲେ। ସନ୍ଧ୍ୟାରେ ସମସ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ ଭ୍ୟାନରେ ନେଇ ସେମାନଙ୍କ ନିଜ ନିଜ ଜାଗାରେ ଛାଡି ଦେଇଥିଲେ। ପାର୍ଟି କେନ୍ଦ୍ରୀୟ କମିଟି ସଦସ୍ୟା କମ୍ରେଡ଼ ପ୍ରମିଳା, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ କମ୍ରେଡ଼ ରାଜେନ୍ଦ୍ର ବାରିକଙ୍କ ସମେତ ସର୍ବଶ୍ରୀ ରାମଚନ୍ଦ୍ର ସାହୁ, ହେନା ବାରିକ, ବିଚିତ୍ର ପାତ୍ର, ରଞ୍ଜନ ମିଶ୍ର, ପ୍ରତିମା ନାୟକ, ଆଶା ସାହୁ, ମୁରଲୀଧର ଭୂୟାଁ, ସରୋଜ ଦାସ, ଦିଲ୍ଲୀପ ସିଂ ଆଦି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ପାର୍ଟି ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାର୍ଟି ଓ ଗଣ ସଂଗଠନର ସାଥୀମାନେ ସକ୍ରିୟଭାବେ ସାମିଲ ହୋଇ ଏହି ଭାରତ ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଥିଲେ ଏବଂ କୃଷକ ଆନ୍ଦୋଳନ ସମର୍ଥନରେ ଏହି ବନ୍ଦକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଜଣାଇ ଏହାକୁ ସଫଳ କରିଥିବାରୁ ପାର୍ଟି ରାଜ୍ୟ କମିଟି ସମ୍ପାଦକ କମ୍ରେଡ଼ ଶିବରାମଙ୍କ ପକ୍ଷରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here