Home ବ୍ରହ୍ମପୁର ସ୍ପେଶାଳ ରାହା ଦେଖାଇଛି ମିଶନ ଶକ୍ତି, ଆଉ ସଫଳତା ଆଣିଛନ୍ତି ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ।

ରାହା ଦେଖାଇଛି ମିଶନ ଶକ୍ତି, ଆଉ ସଫଳତା ଆଣିଛନ୍ତି ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ।

0
302

ପୋଲସରା,୨୯/୦୩/୨୦୨୧: ଆତ୍ମବିଶ୍ବାସ ଓ ଇଚ୍ଛାଶକ୍ତି ବଳରେ ଏବଂ ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ପଥ ପ୍ରଦର୍ଶନରେ ସଫଳତା ଆଣି ପାରିଛନ୍ତି ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ଚିରିକିପଡା ଶାସନ ଗ୍ରାମରେ ପ୍ରତିଷ୍ଠିତ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟ ବୃନ୍ଦ। ନିହାତି ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ଚିରିକିପଡା ଶାସନ ଗ୍ରାମର ମହିଳାମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ଆମର ରୋଜଗାର କରିବାର କ୍ଷମତା ପୁରୁଷମାନଙ୍କ ଠାରୁ କମ୍ ନୁହେଁ। ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ଗତ ୨୦୨୦ ମସିହା ନଭେମ୍ବର ୧୦ ତାରିଖ ଦିନ ମାତୃଶକ୍ତି ମିକ୍ସର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ମାସିକ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ କରିବାରେ ସଫଳ ହୋଇପାରିଛନ୍ତି। ଲକ୍ଷ୍ମୀ ସାହୁ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭାନେତ୍ରୀ ଥିବାବେଳେ ଚନ୍ଦ୍ରମା ବିଷୋୟୀ ଅଛନ୍ତି ସମ୍ପାଦିକା ଓ ଉଦ୍ୟୋଗୀ ମିତ୍ର ଭାବେ ମାମି ପ୍ରଧାନ ସମସ୍ତ ପ୍ରକାର ସହଯୋଗ କରି ସଫଳତା ଆଣିପାରିଛନ୍ତି। ଜନସାଧାରଣଙ୍କ ଆବଶ୍ୟକ ମୁତାବକ ଉତ୍ତମ ଗୁଣବତ୍ତା ମିକ୍ସର ତିଆରି କରି ନିଜ ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଇ ସୁନାମ ଅର୍ଜନ କରିବା ସହ ସ୍ୱାବାଲମ୍ବୀ ହୋଇପାରିଛନ୍ତି। ୩୦ ଜଣ ମହିଳା ଙ୍କ ଦ୍ଵାରା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହଯୋଗରେ ଚିରିକିପଡା ଶାସନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ତିନି ଲକ୍ଷ ଟଙ୍କାର ସହାୟତା ରାଶି ପାଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀର ଏହି ମିକ୍ସର ଉତ୍ପାଦନ ପ୍ରକ୍ରିୟା ଆହୁରି ଉନ୍ନତମାନର କରିବା ପାଇଁ ରାଜ୍ୟ ସରକାରଙ୍କ ଓରମାସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରଶିକ୍ଷଣ ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଇଛି। ଏହି ଗ୍ରୁପକୁ କୋଭିଡ଼ି ସହାୟତା ରାଶି ୧୦ ହଜାର ଟଙ୍କା ଦିଆଯାଇଥିବା ବେଳେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ମୋ ଉପକାରୀ ବଗିଚା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଯାହା ଫଳରେ ମହିଳାମାନେ ଛତୁ ଚାଷ ଓ ପରିବା ଚାଷ କରି ନିଜେ ରୋଜଗାର କ୍ଷମ ହେବାସହ ଅଞ୍ଚଳ ବାସୀଙ୍କୁ ପନିପରିବା ଯୋଗାଉଛନ୍ତି। ଏହି ସବୁ କାର୍ଯ୍ୟଦ୍ୱାର ସେମାନେ ସ୍ୱାବାଲମ୍ବୀ ହେବା ସହ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ କୁ ପୋଲସରା ବ୍ଳକରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇ ପାରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!