ଆସ୍କା ସେତୁ ଉଦଘାଟିତ,ଚଳିତ ବର୍ଷ ରାଜ୍ୟ ରେ ୧ ହଜାର କିଲୋମିଟର ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ

0
200

ଭୂବନେଶ୍ୱର/ଆସ୍କା,୦୩/୦୪/୨୦୨୧: ଆଜି ଆସ୍କା ଠାରେ କଇଁଫୁଲିଆ ହାଇଲେବଲ ସେତୁ ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଗୁରୁତ୍ବପୂର୍ଣ୍ଣ ସେତୁ କୁ ମାନ୍ୟବର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆ ରେ ଉଦଘାଟନ କରିଛନ୍ତି। ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ବଦଳ କରାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଲିଙ୍କ୍ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତା ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯାତାୟାତ ରେ ସୁବିଧା ଆସିବ।ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ବୋଲି ମୂଖ୍ଯମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି। ସଡକ, ସେତୁ ନିର୍ମାଣରେ ଉଲ୍ଲେଖନୀୟ ବିକାଶ ଆସିଛି। ପର୍ଯ୍ୟଟନ, କ୍ରିଡା ଆଦି କ୍ଷେତ୍ରରେ ବିଶ୍ବ ସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି । ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ।ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ । କୋରନା ର ଦ୍ବିତୀୟ ଲହରୀ ର ଭୟ ରହିଛି । ତେଣୁ ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ ଜାଗାରେ ସାମାଜିକ ଦୂରତା ରଖନ୍ତୁ ବୋଲି ମୂଖ୍ଯମନ୍ତ୍ରୀ ଏହି ଅବସରରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଆସ୍କା ସାସଂଦ ପ୍ରମିଳା ବିଷୋୟୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ପ୍ରମୁଖ ଉଦବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here