କରୋନା ଡର ଯାଇନି, ପୁଣି ଆଉ ଏକ ନୂଆ ଡର। ନାଁ ତାର ବ୍ଲାକ୍ ଫଙ୍ଗସ୍

0
267

ଭୂବନେଶ୍ୱର,୧୦/୦୫/୨୦୨୧:ରାଜ୍ୟର ଜଣେ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ସୂଚନା ମିଳିଛି।  ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି।
ବିଶେଷ କରି କରୋନାରୁ ସୁସ୍ଥ ହେବା ପରେ ବି ଚିନ୍ତା ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍ । କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦ୍‌ରୋଗୀ ଓ କିଡ୍ନୀ ସମସ୍ୟା ଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏମାନଙ୍କୁ ଆକ୍ରମଣ କରୁଛି। ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସ୍‌ଫୁସ୍‌ସ୍ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି । ତେବେ ଏହା କିଛି ନୂଆ ରୋଗ ନୁହେଁ, ତଥାପି କରୋନା କାଳରେ ବହୁଗୁଣ ବଢ଼ିଯାଇଛି ଏହାର ପ୍ରାଦୁର୍ଭାବ।
ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଏଭଳି ଫଙ୍ଗାଲ୍ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ । ଖାସ୍ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଏହି ସଂକ୍ରମଣ ହେବାର ଦେଖାଦେଉଛି  ।
ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ, ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ। ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ । ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଅତି ଜରୁରୀ।

LEAVE A REPLY

Please enter your comment!
Please enter your name here