ବ୍ରହ୍ମପୁର,୧୪/୦୫/୨୦୨୧: ଜଣାଶୁଣା ହେତୁବାଦୀ ତଥା ପ୍ରଗତିଶୀଳ ବୁଦ୍ଧିଜୀବୀ ଇଂ ରାଜା ସୁରେଶ ଆଜି ଅପରାହ୍ନ ରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । କୋଭିଡରେ ଆକ୍ରାନ୍ତ ହୋଇ ସେ ଗତ ଏପ୍ରିଲ ୧୯ ତାରିଖରୁ ବ୍ରହ୍ମପୁର ସ୍ଥିତ ଅଶ୍ଵିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ମାନବବାଦୀ ହେତୁବାଦୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଓ ସର୍ବ ଭାରତୀୟ ସ୍ତରରେ ହେତୁବାଦୀ ସଂଗଠନମାନଙ୍କ ମିଳିତ ମଂଚ ଫେଡେରେସନ୍ ଅଫ୍ ଇଣ୍ଡିଆନ ରେସନାଲିଷ୍ଟ୍ ଏସୋସିଏସନସର ଜାତୀୟ ସମ୍ପାଦକ ଥିଲେ । ୧୯୫୬ ମସିହାରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ରାଜା ସୁରେଶ ଖଲ୍ଲିକୋଟ କଲେଜରୁ ଆଇଏସସି ପାସ୍ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ୟୁରୋପର ଚେକୋସ୍ଳୋଭାକିଆ ସ୍ଥିତ ପ୍ରାଗ୍ ୟୁନିଭରସିଟିରେ ମେକାନିକାଲ ଇଂଜିନିୟରିଂରେ ବିଟେକ୍ ଓ ଏମଟେକ୍ କରିଥିଲେ । ସେଠାରୁ ଫେରି ୧୯୮୪ ମସିହାରେ ସେ ଆସିକା ଚିନିଶିଳ୍ପରେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ । ସେଠାକାର ଚିଫ୍ ଇଞ୍ଜିନିୟର ଭାବେ ଅବସର ନେବା ପରେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ସେ ରାଜ୍ୟ ତଥା ଦେଶର ଜଣେ ଜଣାଶୁଣା ହେତୁବାଦୀ ଥିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ସମାଜରୁ କୁସଂସ୍କାର, ଅନ୍ଧବିଶ୍ୱାସ, ସାମ୍ପ୍ରଦାୟିକତା ଓ ଜାତି ତଥା ଲିଙ୍ଗଗତ ଭେଦାଭେଦ ବିରୋଧରେ ଏକ ସକ୍ରିୟ ଅଭିଯାନ ଚଳାଇଥିଲେ । ହେତୁବାଦ ବ୍ୟତୀତ ସେ ସହରର ତଥା ରାଜ୍ୟର ବିଭିନ୍ନ ଜନ ସମସ୍ୟା ନେଇ ବି ସକ୍ରିୟ ଥିଲେ । ସେ ରକ୍ତଦାନ ଓ ଶରୀର ଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଜଣେ ନିୟମିତ ରକ୍ତଦାତା ଭାବେ ସେ ନିଜେ ୧୬୪ ଥର ରକ୍ତଦାନ କରିଛନ୍ତି । ତେବେ ମୃତ୍ୟୁ ପରେ ମେଡିକାଲ କଲେଜକୁ ନିଜର ଶରୀର ଦାନ କରିବାକୁ ସେ ଘୋଷଣା କରିଥିଲେ ମଧ୍ୟ କୋଭିଡ ଯୋଗୁଁ ତାଙ୍କର ସେହି ସ୍ଵପ୍ନ ପୂରଣ ହୋଇପାରିଲା ନାହିଁ ।ସମାଜ ପାଇଁ ଉତ୍ସର୍ଗୀକୃତ ଏଭଳି ଜଣେ ବ୍ୟକ୍ତିଙ୍କ ଅସମୟରେ ମୃତ୍ୟୁ ତାଙ୍କର ଅଗଣିତ ବନ୍ଧୁ ଓ ସାଥୀମାନଙ୍କୁ ମର୍ମାହତ କରିଦେଇଛି । ତାଙ୍କ ମୃତ୍ୟୁରେ ସମାଜ ବୈଜ୍ଞାନିକ ଚେତନାର ପ୍ରଚାର କରୁଥିବା ଜଣେ ସଂଗ୍ରାମୀଙ୍କୁ ହରାଇଲା ବୋଲି ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସଭାପତି ଇ. ତେଜେଶ୍ଵର ରାଓ, ସମ୍ପାଦକ କେ. ନନ୍ଦେଶୁ ସେନାପତି, ଡି ମୋହନ ରାଓ, କିଶୋର ଚନ୍ଦ୍ର ମିଶ୍ର, ଅଧ୍ୟାପିକା ରାଜବାଳା ତ୍ରିପାଠୀ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।