ହଳଦିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଓମ୍ ବିହାର ଅଞ୍ଚଳରେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଓ.ଏସ.ୱା.ସି.ର ସଦସ୍ୟ ବୃନ୍ଦ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଏସ.ଡି. ଓ. ନଂ୨ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

0
193

ବ୍ରହ୍ମପୁର,୨୯/୦୭/୨୦୨୧: ହଳଦିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଓମବିହାର ଅଞ୍ଚଳରେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଓ.ଏସ.ୱା.ସି.ର ସଦସ୍ୟ ବୃନ୍ଦ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଏସ.ଡି. ଓ. ନଂ୨ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ।ଦୀର୍ଘ ୮ ବର୍ଷ ହେବ ଓମବିହାର ଅଞ୍ଚଳରେ ଜନବସତି ଗଢି ଉଠିଲାଣି । ଏଠାରେ ପ୍ରାୟତଃ ୨୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ୭୦୦ କିମ୍ବା ତଦୁର୍ଦ୍ଧ ହେବ । ଏହି ଅଞ୍ଚଳ ବର୍ତ୍ତମାନ ଏକ ବଡ଼ ଜନବସତି ହୋଇ ଗଢିଉଠିଥିବା ସତ୍ତ୍ବେ ବିଦ୍ୟୁତଜନିତ ସମସ୍ୟା ଯୋଗୁଁ ସହରତଳି ଅଞ୍ଚଳ ଓମବିହାର ଠାରେ ବସବାସ କରୁଥିବା ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋ-ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତକାଟ, ଭୋଲ୍ଟେଜ ଟ୍ରିପ୍ ନେଉଥିବା ଭଳି ସମସ୍ୟା ସବୁବେଳେ ଅଧିକାଂଶ ଭାବରେ ଲାଗିରହୁଛି ।ପ୍ରକାଶ ଥାଉକି ଏଠାରେ ବସବାସ କରୁଥିବା ପରିବାର ମାନଙ୍କରେ ଅନେକ ଛାତ୍ରୀଛାତ୍ର, କର୍ମଜୀବୀ ମହିଳା, ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ରହିଛନ୍ତି । ଲୋ-ଭୋଲ୍ଟେଜ ସମସ୍ୟା ଯୋଗୁଁ ସନ୍ଧ୍ୟା ହେଲେ ଓମବିହାର ଅଞ୍ଚଳବାସିନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କରୋନା କଟକଣା ନିମନ୍ତେ ଛାତ୍ରଛାତ୍ରୀ ମାନେ ଘରେ ରହି ଅନଲାଇନ ପାଠ ପଢ଼ୁଥିବା ବେଳେ ଲୋ-ଭୋଲ୍ଟେଜ ଯୋଗୁଁ ପାଠ ପଢାରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି । ଏହି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ଟ୍ରିପ, ବିଦ୍ୟୁତ କାଟ ଏବଂ ମୂଖ୍ୟତଃ ଲୋ-ଭୋଲ୍ଟେଜ ଯୋଗୁଁ ପ୍ରତ୍ୟେକ ପରିବାର ହନ୍ତସନ୍ତ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଅତଏବ ଏ’ସମସ୍ତ ବିଦ୍ୟୁତଜନିତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଆମ ସଂଗଠନ (ଓ.ଏସ.ୱା.ସି.)ର ସଭାପତି ଉମାଶଙ୍କର ସାହୁ, ସାଧାରଣ ସମ୍ପାଦକ ତଥା ସାମାଜିକ କର୍ମୀ ଅନନ୍ତ ନାରାୟଣ ମହାନ୍ତି, ଇଂ. ଶିବାନନ୍ଦ କର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ବୃନ୍ଦ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ (ନଂ୨) ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଠାରେ ନିମ୍ନଲିଖିତ ୩ଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ସେସବୁକୁ ତ୍ୱରାନ୍ୱିତ କରିବା ନିମନ୍ତେ ଦାବୀ ଉପସ୍ଥାପନା କରିଛନ୍ତି ।

୧. ପ୍ରାଥମିକ ଭାବେ ଲୋ-ଭୋଲ୍ଟେଜ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ଓମ୍ ବିହାର ଅଞ୍ଚଳର ୧ମ ଗଳି ଟ୍ରାନ୍ସଫର୍ମର ଠାରୁ ସେହି ଲେନ୍ ର ପଶ୍ଚିମଦିଗକୁ ପ୍ରଥମଲେନ ଏକଷ୍ଟେନ୍ସନ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହରେ ବ୍ୟବହୃତ ସିଙ୍ଗଲଫେଜ ତାର ପରିବର୍ତ୍ତେ ସମ୍ପୁର୍ଣ୍ଣ ରୂପେ ଥ୍ରୀ-ଫେଜ ତାରର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ ।

୨. ଓମବିହାର ପ୍ରଥମଲେନ ଠାରେ ଥିବା ୬୩ କେ.ଭି. କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମରକୁ ୧୦୦ କେ.ଭି./୨୫୦ କେ.ଭି. ରେ ଅପଗ୍ରେଡ କରାଯାଉ ।

୩. ଓମ ବିହାର ୯ମ ଲେନ ଠାରେ ନିର୍ମାଣାଧୀନ ଆୟାପ୍ପା ମନ୍ଦିର ସାମ୍ନାରେ ଆଉ ଏକ ୨୫୦ କେ.ଭି. ଟ୍ରାନ୍ସଫର୍ମର ସ୍ଥାପନ କରାଯାଉ।
ଉପରୋକ୍ତ ସମସ୍ୟାର ସମାଧନ ନିମନ୍ତେ ଆଵଶ୍ୟକ ପଦକ୍ଷେପ ନେବେ ବୋଲି ଓମ୍ ବିହାର ଶକ୍ତିନଗର ୟୁଥ କମିଟି (ଓ.ଏସ.ୱା.ସି.) ତରଫରୁ ବିଦ୍ୟୁତ ବିଭାଗୀୟ ନିର୍ବାହୀଯନ୍ତ୍ରୀ,ସହକାରୀ ଯନ୍ତ୍ରୀ (ନଂ୨) ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦିଆଯାଇଛି । ବିଭାଗୀୟ ଅଧିକାରୀ ମାନେ ଉପରୋକ୍ତ ସମସ୍ୟା ଗୁଡିକୁ ଆଗାମୀ ୧୦ ଦିନ ମଧ୍ୟରେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here