ମୌଲାଭଞ୍ଜା ଘୋଡ଼ାହାଡ ନଦୀ ବ୍ରିଜ ରସ୍ତାପାର୍ଶ୍ଵ ବୁଡ଼ାମୂଳରୁ ଅଚିହ୍ନା ଯୁବତୀର ଉଲଗ୍ନ ପଚାଶବ ଉଦ୍ଧାର । ପୋଲିସର ତନାଘନା । ଦୁଷ୍କର୍ମ ପରେ ହତ୍ୟାକରି ଫୋପାଡ଼ିଥିବା ସନ୍ଦେହ ।

0
228

ବ୍ରହ୍ମପୁର, ୩୦/୦୮/୨୦୨୧:
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାଅଞ୍ଚଳ ମୌଲାଭଞ୍ଜା ନିକଟ ଜାତୀୟ ରାଜପଥ ନଂ ୩୨୬ ଘୋଡାହାଡ ନଦୀ ବ୍ରିଜ ରାସ୍ତାପାର୍ଶ୍ବରୁ ସୋମବାର ସକାଳ ସମୟରେ ଜନୈକା ଅଚିହ୍ନା ଯୁବତୀର ଉଲଗ୍ନ ମୃତଦେହ ଦିଗପହଣ୍ଡି ପୋଲିସ ଉଦ୍ଧାର କରି ଅନୁସନ୍ଧାନ ଜାରୀ ରଖିଥିବା ସୂଚନା ମିଳିଅଛି । ସୂଚନା ପ୍ରକାରେ ସୋମବାର ସକାଳୁ ସ୍ଥାନୀୟ କିଛି ଲୋକ ସକାଳ ନିତ୍ୟକର୍ମ ଓ ସ୍ନାନ ଶୌଚ ପାଇଁ ନଦୀ ବ୍ରିଜ୍ ତଳକୁ ଗଲାବେଳେ ଦୁର୍ଗନ୍ଧ ହେଉଥିବା ଜାଣିବାକୁ ପାଇଥିଲେ । ପଚାଗନ୍ଧ ବାରି ରାସ୍ତା ନିକଟରେ ଥିବା ଏକ ବୁଦା ମୂଳରେ ଜନୈକା ଅଚିହ୍ନା ଯୁବତୀଙ୍କ ଗଳିତ ଶବ ପଚିସଢ଼ି ରହିଥିବା ଦେଖିବାକୁ ପାଇଥିଲେ । ସାଧାରଣରେ ଘଟଣା ପ୍ରଚାରିତ ହେବାପରେ ଆଖପାଖ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ସୂତ୍ରରୁ ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଥିବା ଜଣାଯାଇଅଛି । ପରନ୍ତୁ ମୃତା ଯୁବତୀଙ୍କ ପରିଚୟ ଏବଂ ଉଲଗ୍ନ ମୃତଦେହ ଏଠାରୁ ମିଳିବା ନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଥିବା ଲକ୍ଷ କରାଯାଇଅଛି । ଅନ୍ୟ ପକ୍ଷରେ ମୃତା ଯୁବତୀଙ୍କୁ କେହି ଦୁର୍ଷ୍କମ କରି ପର ମୁହୂର୍ତ୍ତରେ ଜଘନ୍ୟ ହତ୍ୟାକାଣ୍ଡ କରି ଦୁଇଦିନ ପୂର୍ବରୁ ବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଦିଗପହଣ୍ଡି ଥାନାପକ୍ଷରୁ ସୂଚନା ପାଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର ଏବଂ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ମୌଲାଭଞ୍ଜା ପହଞ୍ଚି ଘଟଣାର ଖୋଳତାଡ଼ କରୁଥିବା ବେଳେ ଯୁବତୀଙ୍କ ଶରୀରରେ କୈାଣସି କ୍ଷତ ଚିହ୍ନ ନଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ସାଇଣ୍ଟିଫିକ ଟିମର ଅନୁସନ୍ଧାନ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବା ନେଇ ପୋଲିସ ପକ୍ଷରୁ ସାଧାରଣରେ ସୂଚିତ କରାଯାଇଅଛି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here