ଛତ୍ରପୁର,୦୧/୦୯/୨୦୨୧: ଆଗାମୀ ଦିନରେ ତୃତୀୟ ଲହର ଆସିବା ସମ୍ଭାବନା ହେତୁ ଗଞ୍ଜାମ ଜ଼ିଲ୍ଲାରେ ଏହାର ପ୍ରଦୁର୍ଭାବକୁ ଏଡ଼ାଇବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମେତ ଜ଼ିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସତର୍କତା ଅଵଲମ୍ବନ କରିବାନେଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି I କରୋନI ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ନେଇ ପୂର୍ବରୁ ପାଳନ କରାଯାଇଥିବା ସମସ୍ତ ସରକାରୀ ନିୟମରେ ବର୍ତ୍ତମାନ ଢିଲା ହେଉଥିବା ପରିଲକ୍ଷିତ ହେଉଛି I ଏଣୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇ ଜ଼ିଲ୍ଲାପାଳ ଜଣାଇ ଅଛନ୍ତିକି ଯେ, ଯଦି କେହି ସରକାରୀ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୁଅନ୍ତି ତେବେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ I ବର୍ତ୍ତମାନ ବଜାର ମାନଙ୍କରେ ପୂର୍ବପରି ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ, ମାସ୍କର ସଠିକ ବ୍ୟବହାର, ହାତ ଧୋଇବା ଇତ୍ୟାଦି ପାଳନ ଦିଗରେ କଡାକଡି କରାଯିବ I ଜନ ସଚେତନତା ସହିତ ଚଢ଼ାଉ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ କୁହାଯାଇଛି I ନିୟମର ଅନୁପାଳନ ଖିଲାପ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ସରକାରୀ ସ୍ତରରେ କଟକଣାକୁ କୋହଳ କରାଯାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହୁଛି । ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବ ନେଇ ସତର୍କତା ଏବଂ କୋଭିଡ୍ ନିୟମର ଅନୁପାଳନ କଡାକଡି ପାଳନ କରିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ଲହର ସଂକ୍ରମିତ ହେଲେ ଜନଜୀବନ ସାଙ୍ଗକୁ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ ରୂପେ ବାଧା ପ୍ରାପ୍ତ ହେବ । ଏହି ତୃତୀୟ ଲହରରୁ ବର୍ତ୍ତିବା ସକାଶେ ସାମୁହିକ ଭାବେ ପ୍ରୟାସ କରିବା ଜରୁରୀ ହୋଇ ପଡିଛି । ତୃଣମୂଳ ସ୍ତରରୁ କୋଭିଡ୍ ନିୟମ ଅନୁପାଳନ କରିବା ଆବଶ୍ୟକ । ପୂର୍ବ ପରି ସମସ୍ତ ଲୋକ ପ୍ରତିନିଧି କୋଭିଡ୍ ମନିଟର୍ ତଥା ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ବୈଠକ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କହିଛନ୍ତି । ଯେଉଁ ସ୍ଥାନରେ ସଂକ୍ରମିତ ହେଉଛନ୍ତି ତାହାର ତଥ୍ୟ ଆଧାର କରି ଗୁରୁତ୍ବର ସହକାରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସିଦ୍ଧ ମାଁ ତାରାତାରିଣୀଙ୍କ ପୀଠ ସ୍ଥଳୀରେ ଉନ୍ନୟନ କାର୍ଯ୍ୟ ଜୋରଦାରରେ ଚାଲିଛି । ମାଁ ଙ୍କ ଦର୍ଶନ ନିମନ୍ତେ ଭକ୍ତଗଣ ଉକ୍ତ ପୀଠକୁ ଯିବା ସମୟରେ ଉନ୍ନୟନ କାର୍ଯ୍ୟ ବାଧା ସହିତ ଦୁର୍ଘଟଣା ମଧ୍ୟ ଘଟିପାରେ । ଏଣୁ ତାରାତାରିଣୀ ମାଁ ଙ୍କ ଦର୍ଶନକୁ ନ ଯିବା ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଛି । ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ଗୁଡିକ ଖୋଲାଯାଇଛି ଯଦି ସଂପୃକ୍ତ ମନ୍ଦିର ଗୁଡିକରେ କୋଭିଡ୍ ନିୟମ ଅନୁପାଳନ ନ ହେଉଥିବା ପରିଲକ୍ଷିତ ହେଲେ ସାତ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନୀ ମାନେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର, ଅକ୍ସିମିଟର ରଖି ଖାଉଟି ମାନଙ୍କର ଅକ୍ସିଜେନ ସ୍ତର ଯାଂଚ୍ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ନଚେତ୍ ଉକ୍ତ ଦୋକାନ ଗୁଡିକୁ ମଧ୍ୟ ୫ ଦିନ ସକାଶେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଡିଓ, ତହସିଲଦାର, ଆଇ.ଆଇ.ସି. ନିଜ ସ୍ତରରେ ବୈଠକ କରି ସଚେତନତା ଓ ଚଢାଉ କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ କୁହାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କ ସ୍ତରର ବୈଠକରେ ଭ୍ୟାକସିନ୍ ୫ ଗୋଟି ନିୟମ ଟେଷ୍ଟିଂ, ଯାଂଚ୍ କାର୍ଯ୍ୟ, ଚିକିତ୍ସା, ଟିକାକରଣ ଏବଂ ଉପଯୁକ୍ତ କୋଭିଡ୍ ନିୟମ ଆଚରଣ ଅନୁକରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ମାସ୍କର ସଠିକ୍ ବ୍ୟବହାର, ନିଜକୁ ଏବଂ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବ ଏଣୁ ଏହାର ଗୁରୁତ୍ବ ଉପଲବ୍ଧି କରି ସମସ୍ତ ଜନ ସାଧାରଣ ଏବଂ କାର୍ଯ୍ୟାଳୟର କର୍ମଚାରୀ ଅଭ୍ୟାସ ଦିଗରେ ଯତ୍ନବାନ ହେବାକୁ କୁହାଯାଇଛି ।