ବ୍ରହ୍ମପୁର,୦୨/୦୯/୨୦୨୧:କନିସି ତହସିଲ ଅନ୍ତର୍ଗତ କେଲୁଆପଲ୍ଲୀ ଗ୍ରାମର ସାତଟି ପରିବାରଙ୍କୁ ଦୀର୍ଘ ୪ବର୍ଷ ହେଲା ଦୁମଦୁମି ଓଡ଼ିଆରପି କଲୋନୀ ରେ ଗୃହହୀନ ପରିବାର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଡେସିମିଲି ଜାଗା ସହିତ ଗୃହ ମିଳିଥିଲା। କିନ୍ତୁ ଏଯାବତ୍ ପଟ୍ଟା ମିଳି ନ ଥିବାରୁ ନିଜ ପିଲା ମାନଙ୍କର ସରକାରୀ ପ୍ରମାଣ ପତ୍ର ମିଳୁନାହିଁ। ଯଦ୍ୱାରା ଶିକ୍ଷା ସ୍ବାସ୍ଥ୍ୟ ସୁବିଧା ଯୋଜନା ରେ ବଞ୍ଚିତ ହୋଇଛନ୍ତି ବୋଲି ଉପରୋକ୍ତ ୭ ଟି ପରିବାର ଅଭିଯୋଗ କରିଛନ୍ତି। “ମୋ ସରକାର” ମାଧ୍ୟମରେ ହାତ ପାହାନ୍ତା ରେ ପଟ୍ଟା ପ୍ରଦାନ ନିମନ୍ତେ “ମୋ ଗାଁ ରେ ତହସିଲ” ଜରିଆରେ ରାଜ୍ୟ ସରକାର ପଟ୍ଟା ବଣ୍ଟନ ଡିଣ୍ଡିମ ମାରୁଥିବା ବେଳେ ଏଠାରେ କିନ୍ତୁ ବଞ୍ଚିତ ହୋଇଛନ୍ତି ଏହି ପରିବାର। ଏମାନଙ୍କ ମଧ୍ୟରୁ କୁମାରୀ ନାୟକ, କନ୍ଧୁଣୀ ନାୟକ, ସତ୍ୟ ମହାନ୍ତି, କାଳିନ୍ଦୀ ନାୟକ, ନିରଞ୍ଜନ ନାୟକ, ଉର୍ମିଳା ନାୟକ, ପାର୍ବତୀ ନାୟକ, ସମସ୍ତ ପରିବାର ୧୦ ଡେସିମିଲି ଜାଗା ସହିତ ଗୃହ ପାଇଛନ୍ତି। ଏମାନଙ୍କ ନାମରେ ନେଟ୍ ରେ କପି ଥିଲେ ମଧ୍ଯ ସରକାରୀ ପ୍ରମାଣ ଭାବେ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ପଟ୍ଟା ପ୍ରଦାନ ଦିଆଯାଇ ନାହିଁ ବୋଲି ସମାଜ ସେବୀ ଜଗମୋହନ ପାତ୍ର ଓ ସନତ ନାୟକ କହିଛନ୍ତି। ଏମାନଙ୍କୁ ଆର.ଓ.ଆର କପି ବାହାର କରି ପ୍ରତ୍ୟେକ ଘରକୁ ଯାଇ ଦେଇଥିବା ଜଣାପଡିଛି। କ’ଣ ପାଇଁ ଏମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ରାଜସ୍ବ ନୀରିକ୍ଷକ ପଟ୍ଟା ପାଇଁ ପୁଣି ଆବେଦନ କରିବା ପାଇଁ କହୁଛନ୍ତି। ଏହା ନେଇ କନିସି ତହସିଲଦାର ତାପସ କୁମାର ରାଉତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ସେମାନେ ଅସଲି ପଟ୍ଟା ପାଇଁ ପୁଣି ଅନଲାଇନ ଆବେଦନ କରିପାରିବେ। ଆର. ଓ. ଆର କପି ଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି।