ବ୍ରହ୍ମପୁର ,୦୪/୦୯/୨୦୨୧: ଗଞ୍ଜାମ ଜିଲ୍ଲାରେ ଥିବା ଦୁଇ ପୋଲିସ ଜିଲ୍ଲା ମଧ୍ୟରୁ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ ନୂଆଗାଁ ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିଚାଳନା ନେଇ କିଛିଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଅଛି । ପୂର୍ବ ଦିନରେ ଏହି ଥାନା ଅଞ୍ଚଳ ପରିସରରେ ଘଟିଥିବା ଦୁଷ୍କର୍ମ ଜନିତ ହରିଜନ ଯୁବତୀ ହତ୍ୟାକାଣ୍ଡ , ଦେଖାଳୀ ଛକରେ ପୋଷାଗୁଣ୍ଡାଙ୍କ ରାହାଜାନୀ , ବମକୋଇ ମୁଖ୍ୟରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଖଣ୍ଡାଧାରି ଅସାମାଜିକ ତତ୍ଵଙ୍କ ଆତଙ୍କରାଜ ଅଥବା ବାଲି ମାଫିଆଙ୍କ ପ୍ରାଦୁର୍ଭାବକୁ ନେଇ ପୋଲିସର ଭୂମିକା ସନ୍ଦେହ ଘେରରେ ଥିବା ବେଳେ ସମ୍ପ୍ରତି ଭ୍ରମରପୁର ଗ୍ରାମରେ ଜନୈକା ବିବାହିତା ଦୁଇ ପୁତ୍ର ସନ୍ତାନର ଜନନୀକୁ ବାପଘର ସମ୍ପତି ଲୋଭରେ ନିର୍ଯାତନା ଦେବାସହ ଜନ୍ମିତ ଶିଶୁପୁତ୍ର ସମ୍ମୁଖରେ ସ୍ବାମୀ , ଶାଶୁ , ଶ୍ଵଶୁର , ଦେଢ଼ ଶାଶୁ ଓ ନଣନ୍ଦ ମିଶି ମିଳିତ ଆକ୍ରମଣ କରି ମାରିଦେବା ପରେ ଘଟଣା ଦିଗ ବଦଳାଇବାରେ ପୋଲିସର ଭୂମିକାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଅଛି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ମୃତକଙ୍କ ମା ଥାନାରେ ଏତଲା କଲାପରେ ମଧ୍ୟ ଥାନା ପକ୍ଷରୁ ମାମଲା ରୁଜୁ ନ କରି ସ୍ଥାନୀୟ ଥାନା ଦଲାଲଙ୍କ ତଥ୍ୟ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ହତବାନ୍ଧି ବସିବା , ପରବର୍ତ୍ତୀ ସମୟରେ ଅଭିଯୋଗ କାରିଣୀ ଅଞ୍ଚଳ ସମାଜସେବୀ ଉତ୍ତମ ପାଣିଗ୍ରାହୀଙ୍କ ସହାୟତାରେ ବ୍ରହ୍ମପୁର ପୋଲିସ ଏସ ପି ଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିବାର କିଛି ମୁହୂର୍ତ୍ତରେ କେ ନୂଆଗାଁ ପୋଲିସ ଏତଲାରେ ଥିବା ପାଞ୍ଚଜଣଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଉଠାଇ ଆଣି ଅଟକ ରଖିଥିବା ସୂଚନା ମିଳିଛି ।କେ. ନୂଆଗାଁ ଥାନାରେ ଅଗଷ୍ଟ ୩୦ ତାରିଖରେ ଅଭିଯୋଗକାରିଣୀ ଭ୍ରାମରପୁର ବାଘମରା ସାହିର କେ ସୁମନ୍ତିଙ୍କ ଏତଲା ପ୍ରକାରେ ପାଞ୍ଚବର୍ଷ ହେବ ସେ ତାଙ୍କ ଝିଅ ପୁଷ୍ପା ଓରଫ ମାମିକୁ ସେହି ଗ୍ରାମର ଏନ୍ ସକିଲିଙ୍କ ପୁଅ ଏନ୍ ଗୌରୀ ସହିତା ବିବାହ ଦେଇଥିଲେ । ଜ୍ବାଇଁ ଘର ଦାବି ମୁତାବକ ନଗଦ ଟଙ୍କା , ସୁନା ଆସବାବ ପତ୍ର ଆଦି ପ୍ରଦାନ କରିଥିଲେ । ଝିଅ ବିବାହର ୧୬ ଦିନ ପୂର୍ବରୁ ନିଜର ଏକମାତ୍ର ପୁଅର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲେ ମଧ୍ୟ ବାଧ୍ୟହୋଇ ସେ ଝିଅ ବିବାହ କରାଇଥିଲେ । ଇତିମଧ୍ୟରେ ଏନ୍ ଗୌରୀଙ୍କ ଦୁଇଗୋଟି ଶିଶୁ ପୁତ୍ର ଜନ୍ମ ହୋଇଥିଲେ ମଧ୍ୟ ଉଭୟ ପ୍ରାୟ ଅଜା ଘରେ ଲାଳନ ପାଳନ ହେଉଥିଲେ । ପରନ୍ତୁ ଜ୍ବାଇଁଘର ପରିବାର ପକ୍ଷରୁ ଝିଅ ବାପଘର ସମ୍ପତିକୁ ନିଜ ନାମରେ କରାଇବାକୁ ନେଇ ସର୍ବଦା ଦାମ୍ପତ୍ୟ କଳି ରହୁଥିବା ନେଇ ମାମି ନିଜ ମା ନିକଟରେ ପ୍ରକାଶ କରିଥିଲା ଏବଂ ଏଥିକୁ ନେଇ ତାକୁ ପ୍ରାୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିବା ସୂଚନା ରହିଥିଲା । ନିଜ ପୁଅର ମୃତ୍ୟୁପରେ ଝିଅ ଏକମାତ୍ର ଭରସା ହୋଇଥିବାରୁ ସମସ୍ତ ସମ୍ପତି ନିଜ ଅନ୍ତେ ଅଧିକାର କରିବାକୁ ନେଇ ମଧ୍ୟ ସିମନ୍ତି ଓ ସ୍ବାମୀ ଜଟ ପାତ୍ର ଭରସା ଦେଇଥିଲେ । କିନ୍ତୁ ସମସ୍ତ ସମ୍ପତ୍ତିକୁ ନିଜ ନାମରେ କରାଇବାକୁ ନେଇ ନିଜ ଵାପା ମା ଭାଇଭଉଣୀଙ୍କ ଚାପରେ ଗୌରୀ ସର୍ବଦା ମାମୀକୁ ଅକଥନୀୟ ମାଡ଼ ମାରିଥିବା ଜଣାଯାଇଥିଲା । ଅଗଷ୍ଟ ୨୮ତାରିଖ ଘଟଣା ଦିନ ମାମି ଧାନରୁଆ ସାରି ମା ଘରେ ଥିବା ସାନ ଛୁଆକୁ ଧରି ନିକଘରେ ପହଞ୍ଚି ରନ୍ଧା ବଢ଼ା କରିଥିଲା । ରାତ୍ର ଦଶଟା ବେଳେ ମୋବାଇଲ ଯୋଗେ ମା ସହିତ କଥା ମଧ୍ୟ ହୋଇଥିଲା । ।ସ୍ବାମୀ ଏନ୍ ଗୌରୀଙ୍କ ଭଉଣୀ ସିମନ୍ତିର ମୋବାଇଲ୍କୁ ରାତ୍ରି ତିନିଟାରେ ମିସ କଲ୍ କରିଥିଲା ।ଝିଅର ମିସ କଲ୍ ଦେଖି ସିମନ୍ତି ତତକ୍ଷଣାତ୍ କଲ୍ କରିବାରୁ ମାମି ମରିଯିବା ନେଇ ପାତ୍ରପୁର ମେଡିକାଲରୁ ଖବର ଦେଇଥିଲେ । ଝିଅର ମରିବା ଖବରରେ ମ୍ରିୟମାଣ ମା ସିମନ୍ତି ପାତ୍ରପୁର ଡାକ୍ତରଖାନାରେ ପହଞ୍ଚି ଝିଅର ଶବ ପାଖରେ କିଏ ନଥିବା , ଜ୍ୱାଇଁ ମଧ୍ୟ ଉଭାନ ହୋଇଯାଇଥିଲେ । ଡାକ୍ତରଖାନାର ଦରକାର ଅଛି କହି ମା ଠାରୁ ଟିପ ଚିହ୍ନ ରଖି ପୋଲିସ ଖବର ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲା । କେରଳରେ ଦାଦନ ଖତୁଥିବା ବାପା କେ ଜଟ ଗାଁକୁ ଫେରିଲା ପରେ ଅଗଷ୍ଟ ୩୦ ତାରିଖରେ କେ ନୂଆଗାଁ ଥାନାରେ ଏତଲା ପରେ ମଧ୍ୟ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଥାନା ପକ୍ଷରୁ ମେଡ଼ିକାଲରେ ନିଆଯାଇଥିବା ମା ସୀମନ୍ତୀର ଟିପଚିହ୍ନ ଆଧାରରେ ଝିଅ ମାମି ବିଷଖାଇ ମରିଥିବା ନେଇ ଚଞ୍ଚକତା କରି ସ୍ବାମୀ ଘର ପରିବାର ନିଜ ପକ୍ଷରୁ ପୋଲିସ ପାଖରେ ସଫେଇ ଦେଇ ଖସି ଯିବାକୁ ଯୋଜନା କରିଥିଲେ । ପରନ୍ତୁ ମୃତା ମାମିକୁ ସପରିବାର ମିଶି ଜଘନ୍ୟ ଭାବେ ମାଡ଼ ମାରି ତକିଆରେ ଚାପି ମାରିଥିବା ନେଇ ଜନ୍ମିତ ଚାରିବର୍ଷର ପୁଅର ବୟାନ ଆଧାରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ପିନାକ ମିଶ୍ର ଘଟଣାକୁ ଗୁରୁତ୍ଵ ଦେଇ ଚିକିଟି ଏସ ଡି ପି ଓ ଏବଂ କେ ନୂଆଗାଁ ଥାନାକୁ ଦେଇଥିବା ଆଦେଶ ପରେ କ୍ରିୟାଶୀଳ ପୋଲିସ ମୃତା ମାମିର ସ୍ବାମୀ ଏନ୍ ଗୌରୀକୁ ଅଟକ ରଖିଥିଲେ ମଧ୍ୟ ଚାପରେ ରହି ଅନ୍ୟ ଅଭିଯୁକ୍ତକୁ ଗିରଫ କରିନଥିବା ନେଇ ସନ୍ଦେହରେ ଥିବା ଅଭିଯୋଗ ହେଉଅଛି । ମାମୀର ଦୁଇ ପୁଅ ଆଈ ସିମନ୍ତୀ ପାଖରେ ରହୁଥିବା ବେଳେ ଏକମାତ୍ର ଝିଅକୁ ହରେଇଥିବା ବାପାମାଆ ବଡ଼ ନାତିର ବୟାନ ଆଧାରରେ ଝିଅ ହତ୍ୟାକାରୀ ଶ୍ଵଶୁର ଏନ୍ ସାକିଲି , ଶାଶୁ ତୁଳସୀ , ଦେଢ଼ ଶାଶୁ କସ୍ତୁରୀ ଓ ଲକ୍ଷ୍ମୀ ପାତ୍ରକୁ ଗିରଫ କରିବା ସହ ଉପଯୁକ୍ତ ନ୍ୟାୟ ପାଇଁ ଆଶା ବାନ୍ଧି ରହିଛନ୍ତି ।
ସନ୍ତୋଷ କୁମାର ଦାଶ ।