ଶେରଗଡ,୧୧/୦୯/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି )ଗତକାଲି ଅପରାହ୍ନ ସମୟରେ ଶେରଗଡ଼ ବ୍ଲକର ଠୂରୁବୁରାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣଭାଗ ଗ୍ରାମର ଶତ୍ରୁଘନ ନାଇକ( ୫୧ବର୍ଷ ) ନିଜର ଧାନ ବିଲରେ ନିଜ ଝିଅ ସହ କାମ କରୁଥିବା ସମୟରେ ବଜ୍ରାଘାତ ରେ ମୃତ୍ୟୁ ଘଟିଛି ।ଶତ୍ରୁଘନ ନାଇକ ନିଜର ଚାରି ପୁଅ, ଏକମାତ୍ର ଝିଅ ଓ ସ୍ତ୍ରୀ ସହ ଅନ୍ୟର ଜମି ରଖି ଭାଗଚାଷି ରୂପେ ଚାଷକାର୍ଯ୍ୟ କରି ପରିବାର ପରିପୋଷଣ କରୁଥିଲେ। ଶୁକବାର ଦିନ ବିଲରେ ନିଜ ଝିଅକୁ ସାଙ୍ଗରେ ନେଇ କାମକରୁଥିବା ବେଳେ ହଠାତ ବଜ୍ରାଘାତ ଯୋଗୁଁ ବିଲରେ ହିଁ ଶତ୍ରୁଘନଙ୍କ ମୃତ୍ୟୁ ହେବା ସଂଗେସଂଗେ ଝିଅର ଗୋଡ଼ରେ ଆଘାତ ହୋଇ କିଛି ଅଂଶ ପୋଡ଼ିଯାଇଛି। ସଙ୍ଗେ ସଙ୍ଗେ 108 ଯୋଗେ ହିଞ୍ଜିଳି ସରକାରୀ ଡାକ୍ତରଖାନା କୁ ନେଇ ଝିଅକୁ ଚିକିତ୍ସା ପାଇଁ ଛାଡି ଶତ୍ରୁଘନଙ୍କୁ ପୋଷ୍ଟ ମୋଟମ ନିମନ୍ତେ ବ୍ରହ୍ମପୁର ବଡମେଡିକାଲ କୁ ନିଆଯାଇଥିଲା।ଶନିବାର ଦିନ ମଧ୍ୟାହ୍ନ ରେ ସ୍ୱର୍ଗଦ୍ୱାର ରଥ ଯୋଗେ ଶବକୁ ଅଣାଯାଇ ପରିବାର ଓ ଜ୍ଞାତିବାର୍ଗଙ୍କ ଦ୍ୱାରା ଶବ ସଂସ୍କାର କାର୍ଯ୍ୟ କରାଯାଇଥିଲା। ଏହିଭଳି ଅକାଳ ମୃତ୍ୟୁ ଯୋଗୁଁ ସ୍ତ୍ରୀ ନିଜ ପିଲାମାନଙ୍କ ଭବିଷ୍ୟତ ଗଠନକୁ ନେଇ ଦୁଃଖ ଓ ଶୋକରେ ଭାଙ୍ଗିଯାଇ ସରକାରଙ୍କ ଠାରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।ଏହି ଅଭାବନୀୟ ଘଟଣା ଯୋଗୁଁ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।