ବ୍ରହ୍ମପୁର,୧୨/୦୯/୨୦୨୧: ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ର ଆଭାସି ମାଧ୍ୟମରେ ଅନୁଷ୍ଠିତ
ସଭାରେ ଗଜପତି ଜିଲ୍ଲାର ଓଡ଼ିଶା ଆନ୍ଧ୍ର ସୀମାନ୍ତ ରାୟଗଡ ବ୍ଳକ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକ ପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଠାରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ଶ୍ରୀ ଆପାଲୁ ରାଜୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ନିଜ ସମର୍ଥକଙ୍କ ସହ ପହଞ୍ଚି ଯେଉଁ ଭଳି ଭାବରେ ସେଠାରେ ଉପସ୍ଥିତ ଓଡ଼ିଶା ସରକାର ଙ୍କ ଅଧିକାରୀ ମାନଙ୍କୁ ଧମକ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ ଏବଂ ଏହା ଓଡ଼ିଶା ସରକାର ତଥା ଓଡ଼ିଆ ମାନଙ୍କ ଅସ୍ମିତା ପ୍ରତି ଅପମାନ ଜନକ। ତାଙ୍କ ବିରୁଦ୍ଧରେ ଓଡ଼ିଶା ରାଜ୍ୟ ସରକାର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଶ୍ରୀ ରାଜୁ ଙ୍କୁ ଗିରଫ କରାଯାଉ ବୋଲି ଉତ୍କଳ ସମ୍ମିଳନୀ ତରଫରୁ ଦୃଢ଼ ଦାବି କରାଯାଇଛି। ସମ୍ମିଳନୀର ଗଞ୍ଜାମ ଜିଲ୍ଲା ସଭାପତି ଡ଼ ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ପ୍ରଫେସର ଡକ୍ଟର ଅଦ୍ଵୈତ କୁମାର ପାତ୍ର ମୁଖ୍ୟ ଅତିଥି ଏବଂ ଆଇ. ସି. ଏ. ଆର୍ ସଂସ୍ଥାର ଭାରତୀୟ ଜଳ ପରିଚାଳନା ସଂସ୍ଥାନ ର ଅଧ୍ୟକ୍ଷ ବୈଜ୍ଞାନିକ ତଥା ବିଶିଷ୍ଟ ସ୍ତମ୍ଭକାର ଡ଼ ପ୍ରମୋଦ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।
ପ୍ରସଙ୍ଗ କ୍ରମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଜୟପୁର ମହାରାଜା ବିକ୍ରମ କେଶରୀ ଦେଓଙ୍କ ସମ୍ପର୍କରେ ପ୍ରକାଶିତ ଅପମାନ ଜନକ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରିବାସହ ରାଜ୍ୟ ସରକାର ଉକ୍ତ ପୁସ୍ତକକୁ ତୁରନ୍ତ ଖାରଜ କରିବା ଏବଂ ଲେଖକ ଦ୍ବୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଭାରେ ଦୃଢ଼ ମତ ପ୍ରକାଶ ପାଇଥିଲା। ଆବଶ୍ୟକ ସ୍ଥଳେ ଏଥି ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରତିବାଦ ସଭା କରାଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଉ ବୋଲି ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଡ଼. ପଣ୍ଡା ଆଲୋଚନା ରେ ମତବ୍ୟକ୍ତ କରିଥିଲେ ସ଼୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଜୟପୁର ମହାରାଜା ବିକ୍ରମ କେଶରୀ ଦେଓ ଙ୍କ ଅତୁଳନୀୟ ଅବିସ୍ମରଣୀୟ ଅବଦାନ ରହିଛି ତାଙ୍କ ନିଃସ୍ଵାର୍ଥପର ତଥା ନିଷ୍ଠାପର ଉଦ୍ୟମ ଦ୍ବାରା ଯୋଗୁଁ ୧୯୩୬ ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରାପ୍ତ ହୋଇ ପାରିଲା। ଏତଦବ୍ୟତୀତ ଆମ ଓଡିଆ ଜାତି ଏକ ପ୍ରାଗ୍ ଐତିହାସିକ ଜାତି ମହାପ୍ରଭୁ ଜଗନ୍ନାଥଙ୍କୁ ଆଧାର କରି ଗଢ଼ିଉଠିଥିବା ଏ ଜାତି ର ମହାନ୍ ସାଂସ୍କୃତିକ ପରମ୍ପରା ଐତିହ୍ୟ ରହିଛି ନୌବାଣିଜ୍ୟ କଳା, ସାହିତ୍ୟ, ଭାସ୍କର୍ଯ୍ୟ, ରାଜ୍ୟ ଜୟ ଇତ୍ୟାଦି ର ଗାଥା ଆଗଙ୍ଗା ଗୋଦାବରୀ ଏବେ ମଧ୍ୟ ଶିଳାଲେଖ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପାରଦର୍ଶିତା ରହିଛି। କିନ୍ତୁ ଆଜି ଆମେ ପଛରେ ପଡ଼ିଯାଇଛେ। ଆମ ଦୃଢ଼ ଇଚ୍ଛାଶକ୍ତିର ଅଭାବ, ରାଜନୈତିକ ପୃଷ୍ଠପୋଷକତା ବିଭିନ୍ନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ ଯୋଗୁଁ ସୀମାବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ ଘଟୁଛି।ଏହାର ଆଶୁ ସମାଧାନ ପାଇଁ ଉକ୍ତ ଅଞ୍ଚଳର ବିକାଶ ଆବଶ୍ୟକତା ରହିଛି। ‘ରସଗୋଲା’ ଓଡ଼ିଆ ଙ୍କ ର ବୋଲି ଚାଲିଥିବା ବିବାଦ ର ସମାଧାନ ପାଇଁ ସେ ନିଜ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଆମ ଓଡ଼ିଆ ମାନଙ୍କ ସ୍ବାଭିମାନ କୁ ବଜାୟ ରଖିବା ପାଇଁ ସେ ଲେଖନୀ ଚାଳନା କରୁଥିବା କଥା ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ରାଜ୍ୟ ସଭାପତି ପ୍ରଫେସର ପାତ୍ର ଅବଗତ କରାଇଥିଲେ ଯେ ସୀମାବର୍ତ୍ତୀ ଅଞ୍ଚଳର ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏବଂ ଆଗାମୀ ଦିନରେ ବିବାଦୀୟ ସୀମାରେ ସମ୍ମିଳନୀ ତରଫରୁ ସଭା ସମିତି କରାଯିବ ଏବଂ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ସହ ଉଭୟ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ମହାରାଜା ଙ୍କ ଅପମାନ ଜନକ ଲେଖା କୁ ସେ ଦୃଢ଼ ନିନ୍ଦା କରିବା ସହ ସମଗ୍ର ରାଜ୍ୟରେ ଏହାର ପ୍ରତିବାଦ ସଭା ହେବବୋଲି ମତବ୍ୟକ୍ତ କରିଥିଲେ।କୋଟିଆ ଅଞ୍ଚଳରେ ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ ଜାରି ରହିଛି ତଥାପି ରାଜ୍ୟ ସରକାର ଉପାନ୍ତ ଅଞ୍ଚଳର ସାମୁହିକ ବିକାଶ ପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ସଭାରେ ଅଧ୍ୟକ୍ଷତା କରୁଥିବା ସଭାପତି ଡ଼ ସୁବ୍ରତ କୁମାର ସାହୁ ମତ ପ୍ରକାଶ କରିଥିଲେ ଯେ ଆଗାମୀ ଦିନରେ ଏହାର ସମାଧାନ ପାଇଁ ସମ୍ମିଳନୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବା ସହ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ।ସଭାରେ ଅନ୍ୟତମ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରର ପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ୍ ଡ଼ ବନମାଳୀ ପାଣିଗ୍ରାହୀ, ଡ଼ ଭରତ ପଣ୍ଡା , ଅବସରର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ଉପାନ୍ତ ଅଞ୍ଚଳ ତଥ୍ୟ ସଂଗ୍ରାହକ ସୁବକ୍ତା କାହ୍ନୁ ବାଳକୃଷ୍ଣ ବିହାରୀ, ସମ୍ମିଳନୀ ର ଉପସଭାପତି ଡାକ୍ତର ନକୁଳ ସାହୁ ପ୍ରମୁଖ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କ ତାଲିବାନୀ ଆଚରଣର ତୀବ୍ର ସମାଲୋଚନା କରିଥିଲେ । ଏହାର ଆଶୁ ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମତପ୍ରକାଶ କରିଥିଲେ ଯେ ଉପାନ୍ତ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ନିର୍ବାଚିତ ପ୍ରତିନିଧି ବିଧାୟକ ସାଂସଦ ଙ୍କ ସମେତ ସ୍ଥାନୀୟ ସରପଞ୍ଚଙ୍କ ମଧ୍ୟ ପୁରାପୁରି ଦାୟିତ୍ଵ ରହିଛି ଏବଂ ସ୍ଥାନୀୟ ସମସ୍ତ ପ୍ରଶାସନିକ ଅଧିକାରୀ ଗଣ ସମୟାନୁକୁଳ ପଦକ୍ଷେପ ଗ୍ରହଣ କରିବା ରେ ଅବହେଳା କରାଯିବାରୁ ବାରମ୍ବାର ଅନୁପ୍ରବେଶ ଘଟୁଛି ତେଣୁ ସେମାନଙ୍କ ପ୍ରଚେଷ୍ଟା ଆବଶ୍ୟକ। ଏହି ଆଲୋଚନା ସଭାରେ ଗୋପାଳକୃଷ୍ଣ ପାଢ଼ୀ, ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅଶୋକ କୁମାର ସାହୁ, ନୃସିଂହ ପ୍ରସାଦ ପଣ୍ଡା,ଇଂ ସୂର୍ଯ୍ୟକାନ୍ତ ପାତ୍ର , ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ, ଡାକ୍ତର ସମରେନ୍ଦ୍ର କୁମାର ସାହୁ ପ୍ରମୁଖ ସହ ଅନ୍ୟ ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ। ଉପସଭାପତି ଡାକ୍ତର ନକୁଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।