ବାତ୍ୟା ‘ଗୁଲାବ’ ୧୧ ଜିଲ୍ଲାକୁ ବିପଦ ଆଶଙ୍କା, ପ୍ରବଳ ବର୍ଷା ଓ ୯୫ କିମି ବେଗରେ ବୋହିବ ପବନ

0
284

ଭୂବନେଶ୍ୱର,୨୫/୦୯/୨୦୨୧: ଆଜି ରାତି ୯ଟାରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ, ବାତ୍ୟା ‘ଗୁଲାବ’ ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବର ୩୭୦କିମି ଓ କଳିଙ୍ଗପଟ୍ଟନମର ୪୪୦କିମି ପୂର୍ବରେ ବଙ୍ଗୋପାସାଗରରେ ରହିଛି । ଏହା ଘଣ୍ଟା ପ୍ରତି ୭କିମି ବେଗରେ ଗତି କରୁଛି। ଏହା ୨୬ତାରିଖ ସନ୍ଧ୍ୟାରେ କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଞ୍ଜାମ, ଗଜପତି ଓ ପୁରୀ, କୋରାପୁଟ, ମାଲକାନଗିରି,ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବୋହିବାର ଆଶଙ୍କା ରହିଛି । ଏଥିପାଇଁ ଏସବୁ ଜିଲ୍ଲାର ଲୋକମାନଙ୍କୁ ପାହାଡ଼ିଆ ଅଂଚଳରେ ଥିବା ଗୁମ୍ପା ଓ ସମ୍ବେଦନଶୀଳ ସ୍ଥାନରେ ଆଶ୍ରୟ ନନେବା ପାଇଁ ପରାମର୍ଶ ଦିଆଯାଇଛି ।ଏସବୁ ଜିଲ୍ଲାରେ ମାଟି ରାସ୍ତା ଓ କାନ୍ଥ ଭୁଷୁଡ଼ିବା ସହ, ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ସହରାଂଚଳରେ ଜଳ ନିଷ୍କାସନରେ ସମସ୍ୟା, ଫସଲ ନଷ୍ଟ, ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଓ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଭଳି ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାସହିତ ଅନ୍ୟ ଦୁଇଟି ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ଜଳବନ୍ଦୀ ଅବସ୍ଥା, ମାଟି ରାସ୍ତା ଧୋଇଯିବା, କାନ୍ଥ ଭୁଷୁଡ଼ିବା, ସହରଗୁଡ଼ିକରେ ଜଳ ନିଷ୍କାସନରେ ସମସ୍ୟା ସହ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି ।ବାତ୍ୟା ପ୍ରଭାବରେ ଓଡ଼ିଶାରେ ଘଣ୍ଟା ପ୍ରତି ୮୦ରୁ ୯୫କିମି ପର୍ଯ୍ୟନ୍ତ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୯୫କିମି ବେଗରେ ପବନ ବୋହିବାର ଥିବାବେଳେ ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଣ୍ଟାପ୍ରତି ୭୫କିମି ପର୍ଯ୍ୟନ୍ତ ପବନ, ନବରଙ୍ଗପୁର ଓ ମାଲକାନଗିରିରେ ୭୦କିମି ପର୍ଯ୍ୟନ୍ତ ପବନ ବୋହିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରେ ୨୭ତାରିଖରେ ପବନର ବେଗ ପ୍ରାୟ ୬୦କିମି ରହିବ ।ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ୱ ଆଦି ଜିଲ୍ଲାରେ ବି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସବୁ ଜିଲ୍ଲାରେ ୱେଲୋ ଓାର୍ଣ୍ଣିଂ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here